୨୫ ବର୍ଷ ପରେ ବୀରମିତ୍ରପୁର ଆସନରେ ଖାତା ଖୋଲିଲା ବିଜେଡି

Advertisment
୨୫ ବର୍ଷ ପରେ ବୀରମିତ୍ରପୁର ଆସନରେ ଖାତା ଖୋଲିଲା ବିଜେଡି

ରାଉରକେଲା: ଦୀର୍ଘ ୨୫ ବର୍ଷ ପରେ ବୀରମିତ୍ରପୁର ଆସନରେ ଖାତା ଖୋଲିଛି ବିଜୁ ଜନତା ଦଳ। ଶଙ୍ଖ ଫୁଙ୍କିଛନ୍ତି ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପୁଅ ରୋହିତ ଯୋଶେଫ ତିର୍କି। ବାପାଙ୍କ ସାହାରାରେ ନିର୍ବାଚନ ବୈତରଣୀ ପାର କରିଛନ୍ତି। ବିଜେପିର ପ୍ରଚଣ୍ଡ ଲହର ସତ୍ତ୍ବେ ସ୍ଥାନୀୟ ବିଧାୟକ ଶଙ୍କର ଓରାମଙ୍କୁ ୬,୮୮୪ ଭୋଟ୍‌ରେ ହରାଇଛନ୍ତି। ତାଙ୍କୁ ୮୪ ହଜାର ୧୧୬ ଖଣ୍ଡ ଭୋଟ ମିଳିଥିବାବେଳେ ନିକଟତମ ପ୍ରତିଦ୍ବନ୍ଦୀ ଶଙ୍କର ଓରାମ ୭୭ ହଜାର ୨୩୨ ଖଣ୍ଡ ଭୋଟ ପାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ନିହାର ସୁରିନଙ୍କ ନାମାଙ୍କନ ନାକଚ ହେବା ପରେ ଦଳର ନେତା ଓ କର୍ମୀମାନେ ଝାଡ଼ଖଣ୍ଡ ପାର୍ଟିର ରେମିସ ଜୋଜୋଙ୍କୁ ସମର୍ଥନ କରିଥିଲେ। ରେମିସ ୮,୮୭୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ରହିଛନ୍ତି ବିଜେଡି ଛାଡି ସ୍ବାଧୀନ ଭାବେ ଛିଡା ହୋଇଥିବା ଓ କଂଗ୍ରେସ୍‌ ସମର୍ଥନ କରିଥିବା ରାଜେଶ କେର୍କେଟା। ତାଙ୍କୁ ୪ ହଜାର୯୩୮ ଖଣ୍ଡ ଭୋଟ ମିଳିଛି।

ଜର୍ଜ ତିର୍କି କଂଗ୍ରେସରେ ଯୋଗଦେବା ପରେ ୨୦୧୯ରେ ବୀରମିତ୍ରପୁର ଆସନ ପୁଅ ରୋହିତ ପାଇଁ ଛାଡିଥିଲେ। ସେ ନିଜେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ହେଲେ ଉଭୟ ବାପପୁଅଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ପରାଜୟ ପରେ ଉଭୟେ କଂଗ୍ରେସ ଛାଡିଥିଲେ। ଜର୍ଜ ସେନା ନାଁରେ ସଙ୍ଗଠନ କରି ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ପୁଅ ରୋହିତକୁ ବିଜେଡିରେ ସାମିଲ କରିବା ସହ ଟିକେଟ୍‌ ହାତେଇଥିଲେ। ପରେ ନିଜେ ମଧ୍ୟ ସାମିଲ ହୋଇ ବିଜେଡିରେ ଜର୍ଜସେନାର ବିଲୟ କରାଇଥିଲେ। ଜର୍ଜ ଓ ରୋହିତ ବିଜେଡିରେ ସାମିଲ ହେବା ପରେ ଦଳର ଅନେକ ନେତା ଦୂରେଇ ଯାଇଥିଲେ। ନିର୍ବାଚନରେ କାର୍ଯ୍ୟରେ ଅସହଯୋଗ କରିଥିଲେ। ନିହାର ସୁରିନ ବିଜେଡି ଛାଡି ଜେ‌ଏମ୍‌ଏମ୍‌ ଟିକେଟ୍‌ରେ ନାମାଙ୍କନପତ୍ର ଦାଖଲ କରିଥିଲେ। ହେଲେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ନିହାରଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ ରୋହିତଙ୍କ ବିଜୟ ବାଟ ଖୋଲିଯାଇଥିଲା। ଜେଏମ୍ଏମ୍‌ର ଅଧିକାଂଶ ନେତା ଓ କର୍ମୀ ରେମିସଙ୍କୁ ସମର୍ଥନ ନ କରି ରୋହିତଙ୍କୁ ସମର୍ଥନ କରିଥିଲେ। ଅନ୍ୟପଟେ ବୀରମିତ୍ରପୁର ଜର୍ଜ ତିର୍କିଙ୍କ ନିଜସ୍ବ ଭୋଟ୍‌, ବିଜେଡି ଓ ଜେଏମ୍‌ଏମ୍‌ର ଭୋଟ ତାଙ୍କ ପୁଅକୁ ବିଜୟୀ କରିବାରେ ବେଶ୍‌ ସହାୟକ ହୋଇଥିଲା। ଦୀର୍ଘ ୨୫ ବର୍ଷ ପରେ ବୀରମିତ୍ରପୁରରେ ବିଜେଡି ଖାତା ଖୋଲିଥିବାରୁ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe