ପଦ୍ମପୁରରେ ବିଜେଡିର ବାଜିମାତ୍; ୪୨,୬୭୯ ଭୋଟ୍‌ରେ ଜିତିଲେ ବର୍ଷା

Advertisment

୧ଲକ୍ଷରୁ ଅଧିକ ଭୋଟ ପାଇବାରେ ବର୍ଷା ପ୍ରଥମ, ପୂର୍ବ ଭୋଟ୍ ବଜାୟ ରଖିଲା ବିଜେପି, କଂଗ୍ରେସ ହରାଇ‌ଲା ୯୦% ଭୋଟ୍

୧ଲକ୍ଷରୁ ଅଧିକ ଭୋଟ ପାଇବାରେ ବର୍ଷା ପ୍ରଥମ, ପୂର୍ବ ଭୋଟ୍ ବଜାୟ ରଖିଲା ବିଜେପି, କଂଗ୍ରେସ ହରାଇ‌ଲା ୯୦% ଭୋଟ୍

ସୋମବାର ଶପଥ ନେବେ ବର୍ଷା

ବରଗଡ଼/ପଦ୍ମପୁର : ସର୍ବଦା ଦ୍ବନ୍ଦ୍ବ ଭିତରେ ଥିବା ପଦ୍ମପୁର ଉପନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ପଦ୍ମପୁରରେ ବିଜେଡିର ଚମକ ବଜାୟ ରହିଛି। ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍‌ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍‌ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟ୍‌ରେ ସୀମିତ ରହିଛନ୍ତି। କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍‌ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍‌ ପଡ଼ିଛି।

ଗୁରୁବାର ପଦ୍ମପୁର ଆର୍‌ଏମ୍‌ସିଠାରେ ଆରମ୍ଭ ହୋଇଥିଲା ଭୋଟ୍‌ ଗଣତି। ପ୍ରଥମେ ୩ଶହଟି ପୋଷ୍ଟାଲ୍‌ ବାଲଟ୍‌ ଗଣାଯାଇଥିଲା। ଏଥିରେ ବିଜେଡିକୁ ୧୩୫, ବିଜେପିକୁ ୯୪ ଏବଂ କଂଗ୍ରେସ ୧୩ଟି ଭୋଟ୍‌ ପାଇଥିଲା। ୪୮ଟି ଭୋଟ୍‌ ନାକଚ ହୋଇଥିଲା। ଏହାପରେ ଇଭିଏମ୍‌ ଦେଇଥିଲା ଫଳାଫଳ। ପ୍ରଥମ ରାଉଣ୍ଡ୍‌ରେ ବର୍ଷା ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗୁଆ ରହିଥିଲେ। ଏହାପରେ ପ୍ରତି ରାଉଣ୍ଡ୍‌ରେ ତାଙ୍କ ସପକ୍ଷରେ ଭୋଟ୍‌ ବ୍ୟବଧାନ ବଢ଼ିବଢ଼ି ଚାଲିଥିଲା। ୨୩ଟି ରାଉଣ୍ଡ୍‌ର ଗଣତି ଭିତରେ ପ୍ରଥମାର୍ଦ୍ଧରେ ହିଁ ବିଜେଡି ବିଜୟ ପାଇବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଦ୍ବିତୀୟାର୍ଦ୍ଧର ଗଣତି ବେଳେ ବିଜେପି ଲୟକୁ ଫେରିବ ବୋଲି ଆଶା ବାନ୍ଧିଥିଲା। କିନ୍ତୁ ଭୋଟ୍‌ ବ୍ୟବଧାନ ଆଶ୍ଚର୍ଯ୍ୟଜନକ ଭାବେ ୪୨ହଜାର ଛୁଇଁଥିଲା। ପରେ ୨ଟି ଇଭିଏମ୍‌କୁ ୨୪ ନମ୍ବର ରାଉଣ୍ଡରେ ଗଣାଯାଇଥିଲା। ଏହାପରେ ବ୍ୟବଧାନ ସାଢ଼େ ୪୨ ହଜାର ଅତିକ୍ରମ କରିଥିଲା, ଯାହାକି ପର୍ଯ୍ୟବେକ୍ଷକ ମହଲକୁ ବି ଚକିତ କରିଦେଇଛି।

ଏହି ଫଳାଫଳ ବି ଶାସକ ବିଜେଡିକୁ ଉତ୍ସାହିତ କରିଛି। ଗତ ନିର୍ବାଚନ ତୁଳନାରେ ଦଳ କେବଳ ଅଧିକ ଭୋଟ୍‌ ପାଇନାହିଁ, ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍‌ ହାସଲ କରିଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ବିଜେପି ପୂର୍ବଭଳି ନିଜର ପକେଟ୍‌ ଭୋଟ୍‌କୁ ବଜାୟ ରଖିବାରେ ସକ୍ଷମ ହୋଇଛି। ଗତ ନିର୍ବାଚନ ଭଳି ଦଳ ନିଜର ଭୋଟ୍‌କୁ ୭୬-୭୮ ହଜାରରେ ରଖିପାରିଛି। ତେବେ ସର୍ବାଧିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଂଗ୍ରେସ। ପୂର୍ବରୁ କଂଗ୍ରେସ ଏଠାରେ ୩୦ରୁ ୩୩ହଜାର ଯାଏଁ ନିଜ ପକେଟ୍‌ ଭୋଟ୍‌ ପାଇ ଆସୁଥିଲା। କିନ୍ତୁ କଂଗ୍ରେସର ୯୦ ପ୍ରତିଶତ ପକେଟ୍‌ ଭୋଟ୍‌ ବିଜେଡି ଖାତାକୁ ଯେ ଚାଲିଯାଇଛି, ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ଏଭଳି ଦୟନୀୟ ସ୍ଥିତି ସହ କଂଗ୍ରେସ ନିଜ ଅମାନତ ବି ହରାଇଛି।

ବିଜୟୀ ପ୍ରାର୍ଥିନୀ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳୀୟ ନେତା, କର୍ମୀ ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ବିଜୟ ସହିତ ପଦ୍ମପୁର ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ବିଧାୟିକା ଭାବେ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe