ରଘୁନାଥପାଲିରେ ବିଜେଡିର ମହିଳା କାର୍ଡ: ସୁବ୍ରତ କଟିଲେ, ଅନଭିଜ୍ଞ ପତ୍ନୀ ଅର୍ଚ୍ଚନାଙ୍କୁ ଟିକେଟ

ନିରାଶ ହେଲେ ପ୍ରଫୁଲ୍ଲ ଓ ପ୍ରଶାନ୍ତ

ରଘୁନାଥପାଲିରେ ବିଜେଡିର ମହିଳା କାର୍ଡ: ସୁବ୍ରତ କଟିଲେ, ଅନଭିଜ୍ଞ ପତ୍ନୀ ଅର୍ଚ୍ଚନାଙ୍କୁ ଟିକେଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲି ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଦୀର୍ଘଦିନ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ହ୍ୟାଟ୍ରିକ୍ ବିଜୟଲାଭ କରିଥିବା ସୁବ୍ରତ ତରାଇଙ୍କୁ ବାଦ୍‌ଦେଇ ତାଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରାଙ୍କୁ ଦଳ ଟିକେଟ ଦେଇଛି। ସୁବ୍ରତଙ୍କ ପତନାଭିମୁଖୀ ଲୋକପ୍ରିୟତା ସାଙ୍ଗକୁ ଏକାଧିକ ବଳିଷ୍ଠ ଆଶାୟୀଙ୍କ ଯୋଗୁଁ ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅପରପକ୍ଷରେ ରାଜନୀତି ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷଭାବରେ ଜଡ଼ିତ ନଥିବା ତଥା ସଂପୂର୍ଣ୍ଣ ଅନଭିଜ୍ଞା ଅର୍ଚ୍ଚନାଙ୍କୁ ଦଳୀୟ ଟିକେଟ ମିଳିବାପରେ ଏବେ ଚର୍ଚ୍ଚା ଜୋର୍ ଧରିଛି।

ସୂଚନା ଅନୁସାରେ, ଏଥର ସୁବ୍ରତଙ୍କ ଟିକେଟ କଟିବାନେଇ ଗତ ଦୁଇବର୍ଷ ହେଲା ଚର୍ଚ୍ଚା ଲାଗିରହିଥିଲା। ତୃତୀୟଥର ବିଜୟୀ ହେବାପରେ ସୁବ୍ରତ ଏକପ୍ରକାର ରଘୁନାଥପାଲି ନିର୍ବାଚନମଣ୍ଡଳୀରୁ ଉଭାନ ହୋଇଯାଇଥିଲେ। ଏମିତିକି ତାଙ୍କ ବିରୋଧରେ ନିଖୋଜ ପୋଷ୍ଟର ମରାଯାଇଥିଲା। ପ୍ରାୟ ୬/୭ ମାସ ପୂର୍ବେ ହଠାତ୍ ସୁବ୍ରତଙ୍କ ଆବିର୍ଭାବ ଘଟିଥିଲା। ସେତେବେଳେ ନିଜ ନିର୍ବାଚନମଣ୍ଡଳୀରେ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଯିବାସମୟରେ ଜଣେ ମହିଳା ୫ ବର୍ଷର ହିସାବ ମାଗିଥିଲେ। ବିଗତଦିନରେ ଲମ୍ବା ଅନୁପସ୍ଥିତି ସାଙ୍ଗକୁ ନିଜ ନିର୍ବାଚନମଣ୍ଡଳୀର ଭୋଟର୍‌ଙ୍କ ଦ୍ବାରା ଖୋଲା ବିରୋଧର ସମ୍ମୁଖୀନ ହେବା, ସୁବ୍ରତଙ୍କ ଲୋକପ୍ରିୟତା ହ୍ରାସ ପାଇଥିବାନେଇ ସ୍ପଷ୍ଟ କରିଥିଲା।

ଅପରପକ୍ଷରେ, ସୁବ୍ରତଙ୍କ ଲମ୍ବା ଅନୁପସ୍ଥିତି ହିଁ ଦୁଇ ବଳିଷ୍ଠ ଟିକଟ ଦାବିଦାର, ପ୍ରଫୁଲ୍ଲ ସୁନ୍ୟାନୀ ଓ ପ୍ରଶାନ୍ତ ସେଠୀଙ୍କୁ ଟିକଟ ଦୌଡ଼ରେ ସାମିଲ କରିଥିଲା। ସମ୍ଭବତଃ ତିନି ଦଶନ୍ଧିଧରି କଂଗ୍ରେସରେ ସକ୍ରିୟ ଥିବା ପ୍ରଫୁଲ୍ଲ ଓ ସାରଦାଙ୍କ ଏକାନ୍ତ ଅନୁଗତ ପ୍ରଶାନ୍ତଙ୍କ ଲୋକପ୍ରିୟତା ଓ ଜନସମର୍ଥନ ହିଁ ରଘୁନାଥପାଲି ଆସନରେ ପ୍ରାର୍ଥୀ ଘୋଷଣାକୁ ଝୁଲାଇ ରଖିଥିଲା। ଘୋଷଣାରେ ଯେଭଳି ବିଳମ୍ବ ହୋଇଚାଲିଥିଲା, ସୁବ୍ରତଙ୍କ ଟିକେଟ ନ ପାଇବା ଆଶଙ୍କା ବଢ଼ିଚାଲିଥିଲା। ତେବେ ଶେଷରେ ଦଳ ମହିଳା କାର୍ଡ ଖେଳି ଅର୍ଚ୍ଚନାକୁ ନିର୍ବାଚନୀ ମଇଦାନରେ ଛିଡ଼ାକରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe