ବରଗଡ଼: ବରଗଡ଼ବାସୀ ପୁଣି ଭୋଟିଂ ଟ୍ରେଣ୍ଡ ବଦଳାଇ ଦେଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଅହେତୁକ ସଫଳତା ପାଇଥିବା ବିଜେପି ଏଥର ଧରାଶାୟୀ ହୋଇଛି। ଗତଥର ବିଜେପି ୨୫ ଏବଂ ବିଜେଡି ୯ଟି ଆସନ ହାତେଇଥିଲା। କିନ୍ତୁ ଏଥର ଫଳ ଓଲଟା ହୋଇଛି। ବିଜେଡି ୨୭ ଏବଂ ବିଜେପି ମାତ୍ର ୭ଟି ଜୋନ୍ରେ ବିଜୟ ଲାଭ କରିିଛି।
ଅତାବିରାରେ ୪ଟି, ବରଗଡ଼ର ୪ଟି, ଅମ୍ବାଭୋନାର ୨ଟି, ଝାରବନ୍ଧର ୨ଟି, ଭେଡ଼େନର ୩ଟି, ଭଟଲିର ୩ଟି, ସୋହେଲାରେ ୩ଟି ଜୋନ୍ରେ ବିଜେଡି କ୍ଲିନ୍ ସ୍ବିପ୍ କରିଛି। ତେବେ ବିଜେପି ପାଇଁ ଆଶ୍ବସ୍ତିକର କଥା ହେଲା, ଦଳ ଗାଇସିଲାଟ୍ ଜୋନ୍-୨, ପାଇକମାଳ ଜୋନ୍-୨, ବରପାଲି ଜୋନ୍-୩, ପଦ୍ମପୁର ଜୋନ୍ ୧ଓ ୩ରେ ନିଜ ଗଡ଼ ରକ୍ଷା କରିବାରେ ସଫଳ ହୋଇଛି। ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଏହି ଶ୍ରେୟ ନିଶ୍ଚିତ ଭାବେ ଯିବ। ସେହିପରି ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ୍ରେ ଗୋଟିଏ ଲେଖାଏଁ ଆସନ ଜିଣିବା ମଧ୍ୟ ବିଜେପି ପାଇଁ କିଛିଟା ସାନ୍ତ୍ବନାମୂଳକ କଥା। ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ନିର୍ବାଚନ ମଣ୍ଡଳୀରେ ସବୁତକ ଆସନ ହାତେଇବା ପାଇଁ ବିଜେଡି ପ୍ରସ୍ତୁତି ଚଳାଇଥିଲା। କିନ୍ତୁ ସ୍ଥାନୀୟ ବିଧାୟିକା ରୀତା ସାହୁ ଏହି ଆଶା ପୂରଣ କରିବାରେ ଫେଲ୍ ମାରିଛନ୍ତି।
ଯାହା ତାଙ୍କ ପାଇଁ ଏବଂ ଦଳ ପାଇଁ କିଛିଟା ଚିନ୍ତାର କାରଣ ସାଜିଛି। ଏବେ ଜିଲ୍ଲା ପରିଷଦ ସଦସ୍ୟ ରେସ୍ ଆରମ୍ଭ ହୋଇଯାଇଛି। ବିଜେଡିର ମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀର ସବୁତକ ଆସନ ଜିତାଇବାରେ ସଫଳ ହୋଇଛନ୍ତି। ତେଣୁ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ବସାଇବାକୁ ନିଶ୍ଚିତ ଭାବେ ଗୋଟି ଚାଳନା ହେବ। ଏନେଇ ଖୋଲାଖୋଲି ଇଂଗିତ ମିଳିନାହିଁ। ସମ୍ଭବତଃ ଆଗକୁ ପ୍ରଥମେ ଆପୋସ ବୁଝାମଣା ପ୍ରକ୍ରିୟା ଚାଲିବ। ଏଥିରୁ କିଛି ଫଳାଫଳ ନମିଳିଲେ ଉପର ମହଲକୁ ନିଷ୍ପତ୍ତି ପାଇଁ ବାଟ ଛଡ଼ାଯିବ ବୋଲି ଶୁଣିବାକୁ ମିଳୁଛି। ବର୍ତମାନ ସ୍ଥିତି ଦେଖିଲେ ଜଣେ ମହିଳା ପ୍ରାର୍ଥୀଙ୍କୁ ଅଧ୍ୟକ୍ଷା ପଦ ଦେବା ପାଇଁ ଚିନ୍ତା କରାଯାଉଥିବା ଜଣାପଡ଼ିଛି।
Follow Us