ଭୁବନେଶ୍ବର : ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶନିବାର ଦିନ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଏବଂ ୩୧୪ଟି ବ୍ଲକରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ନେତୃତ୍ବରେ ଯୁବ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦ୍ଘାଟନ କରିଥିଲେ। ଏହି ଶିବିରରୁ ୩୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଚାରି ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୫ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି। ଏହାସହ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ୨୫ଟି ଲେଖାଏଁ ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି ହୋଇଛି।
ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ, ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସମେତ ଦୁର୍ଗା ସାମନ୍ତରାୟ, ଚିନ୍ମୟ ସାହୁ, ରୁଦ୍ର ସାମନ୍ତରାୟ, ଜ୍ୟୋତି ରଞ୍ଜନ ଜେନା, ତନ୍ମୟ ସ୍ବାଇଁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
Follow Us