ବାଲେଶ୍ବର: ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଜେଡି ପକ୍ଷରୁ ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ଧରି ବନ୍ଦ ପାଳନ କରାଯିବ। ଏ ନେଇ ଦଳ ପକ୍ଷରୁ ସ୍ଥାନୀୟ ଏକ ହୋଟେଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି। ମାମଲାର ନ୍ୟାୟିକ ତଦନ୍ତ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଘଟଣା ସହିତ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି।
ଆସନ୍ତାକାଲି ବାଲେଶ୍ବର ବନ୍ଦ ବେଳେ ଦୋକାନ ବଜାରଠାରୁ ଆରମ୍ଭ କରି ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ତେବେ ଜରୁରିକାଳୀନ ସେବା ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ପୂର୍ବତନ ସାଂସଦ ଶ୍ରୀ ଜେନା ଛାତ୍ରୀ ମୃତ୍ୟୁ ଘଟଣାରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି), ଅଧ୍ୟକ୍ଷ, ବାଲେଶ୍ବର ଏସ୍ପି, ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ସାଂସଦଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅବଗତ ଥିଲେ ବି ନିରବଦ୍ରଷ୍ଟା ସାଜିଥିଲେ। ତେଣୁ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ପୀଡ଼ିତା ସମସ୍ତଙ୍କର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଗେଇ ଆସିନଥିଲେ। କଲେଜ ଆଭ୍ୟନ୍ତରୀଣ କମିଟି କିଭଳି ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କ ସପକ୍ଷରେ ରିପୋର୍ଟ ଦେଲା, ଛାତ୍ରୀଙ୍କୁ ଅସଦାଚରଣ ଓ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲେ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ବୋଲି ଶ୍ରୀ ଜେନା ପ୍ରଶ୍ନ ଉଠାଇଛନ୍ତି। ଏଭଳି ଘଟଣା ଯେମିତି ଆଗକୁ ନ ଘଟେ ବିଜେଡି ତା’ର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ଜେନା କହିଛନ୍ତି। ସୋର ବିଧାୟକ ମାଧବ ଧଡ଼ା ବନ୍ଦ ଡାକରାକୁ ସଫଳ କରିବାକୁ ନିବେଦନ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୌର ଅଧ୍ୟକ୍ଷା ସବିତା ସାହୁ, ବିଜୁ ଛାତ୍ର ଜନତା ସଭାପତି ସିମନଦାସ ମହାପାତ୍ର, ଯୁବ ଜନତା ସଭାପତି ତାପସ ପରିଡ଼ା, ଜିଲ୍ଲାପରିଷଦ ସଭ୍ୟ ଜୟରାମ ଦାସ, ରେମୁଣା ବିଜେଡି ନେତ୍ରୀ ବିଦ୍ୟାସ୍ମିତା ମହାଳିକଙ୍କ ସମେତ ଦଳୀୟ ନେତୃବର୍ଗ ଉପସ୍ଥିତ ଥିଲେ।
Follow Us