ଆୟକର ନୋଟିସକୁ ବିଜେଡିର ଚାଲେଞ୍ଜ: ହାଇକୋର୍ଟଙ୍କ ଜବାବ ତଲବ, ଅନ୍ତରୀଣ ଅଙ୍କୁଶ

Advertisment
ବୀମା କଂପାନିକୁ ଆୟକର ନୋଟିସ୍‌

Deccan Herald

କଟକ: ଆୟକର ବିଭାଗ ନୋଟିସକୁ ଚାଲେଞ୍ଜ କରି ବିଜୁ ଜନତା ଦଳ (ବିଜେଡି)ଦାୟର କରିଥିବା ମାମଲାରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ମାମଲାରେ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଆୟକର ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୧, ମେ ୬ ଓ ମେ ୨୦ର ନୋଟିସ୍ ଆଧାରରେ ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେଡି ପକ୍ଷରୁ କୋଷାଧ୍ୟକ୍ଷ ଓ ଅନ୍ୟ ଜଣେ ଦାୟର କରିଥିବା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪-୧୫ ଆୟକର ଆକଳନ ବର୍ଷ(ଆସେସମେଣ୍ଟ ଇୟର)ରେ ବିଜୁ ଜନତା ଦଳକୁ ଡୋନେସନ୍ ବାବଦରେ ମୁମ୍ବାଇର ଏକ ସଂସ୍ଥା ନିକଟରୁ ମିଳିଥିବା ଅର୍ଥ ଉପରେ ଆୟକର ପଇଠ ପ୍ରସଂଗକୁ ନେଇ ଆୟକର ବିଭାଗ ମେ ୬ରେ ନୋଟିସ୍ ଜାରି କରିଥିଲା। ଏହି ନୋଟିସକୁ ଚାଲେଞ୍ଜ କରି ବିଜୁ ଜନତା ଦଳ କୋଷାଧ୍ୟକ୍ଷ ଓ ଅନ୍ୟ ଜଣଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ଆଇନ ଦ୍ବାରା ନିର୍ଦ୍ଧାରିତ ସମୟ ପରେ ଏପରି ନୋଟିସ୍ ଜାରି କରାଯିବା ବୈଧ ନୁହେଁ।

ଏଥିସହିତ ଆୟକର ଆଇନର ଧାରା ୧୪୮ ଅନୁସାରେ ଏହି ପ୍ରସଂଗରେ ନୋଟିସ୍ ଜାରି କରିବା ପୂର୍ବରୁ ବିଭାଗ ପକ୍ଷରୁ ତଦନ୍ତ କରାଯିବା କଥା। କିନ୍ତୁ ଏହି ମାମଲାରେ ଏପରି କରାଯାଇ ନଥିଲା। ତେଣୁ ଆୟକର ବିଭାଗର ଏପରି ନୋଟିସ୍ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ଆୟକର ବିଭାଗ ତରଫରୁ ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ଆର.ଚିମନ୍‌କା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe