ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହୋଇଗଲା। ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହାରିଗଲେ। ବିରୋଧୀଙ୍କ ଗୋଟିଏ ସ୍ଲୋଗାନ୍ ‘ଓଡ଼ିଆ ଅସ୍ମିତା’ରେ ଘାଇଲା ହୋଇଗଲା ବିଜେଡି। ଲୋକସଭାରେ ଦଳ ଖାତା ଖୋଲିପାରିଲାନି। ଜାତୀୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇଗଲା। ବିଜେଡି ପରି ଗୋଟିଏ ଶକ୍ତିଶାଳୀ ଆଞ୍ଚଳିକ ଦଳର ଏପରି ଅବସ୍ଥା କାହିଁକି ହେଲା? ତ୍ରୁଟି କେଉଁଠି ରହିଲା? କେଉଁ ରଣନୀତି କାମ ଦେଲାନି? ବିଜେଡି ପ୍ରତି ଲୋକଙ୍କ ନକରାତ୍ମକ ଭାବନା ପାଇଁ କିଏ ଦାୟୀ? ଏସବୁ ପ୍ରଶ୍ନର ଉତ୍ତର ଦଳ ଖୋଜିଲା ନାହିଁ। ସମୀକ୍ଷା ହେବ ହେବ ବୋଲି କିଛି ନେତା ଗଣମାଧ୍ୟମରେ ବାରମ୍ବାର କହିଲେ ବି ତାହା ବାସ୍ତବରେ ହେଲା ନାହିଁ। ବରଂ ଯିଏ ସମୀକ୍ଷା କଥା ଉଠାଇଲା, ସେ ଦଳର ଶତ୍ରୁ ହେଲା। ୧୭ ମାସ ପରେ ହେଲା ଉପନିର୍ବାଚନ। ସାଧାରଣ ନିର୍ବାଚନରୁ ଆରମ୍ଭ ହୋଇଥିବା ବିଜେଡିର ବିପର୍ଯ୍ୟୟ ଏଥିରେ ବି ଜାରି ରହିଲା। ‘ବ୍ରାଣ୍ଡ୍ ନବୀନ’ କାମ ଦେଲାନି। ତାଙ୍କ ହାତ ହଲାରେ ଭୋଟର ପ୍ରଭାବିତ ହେଲେ ନାହିଁ। ବିଜେଡି ଲଜ୍ଜାଜନକ ଭାବେ ତୃତୀୟ ସ୍ଥାନକୁ ଖସିଗଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାଧାରଣ ନିର୍ବାଚନ ପରାଜୟର ସମୀକ୍ଷା ପ୍ରସ୍ତାବକୁ ବାଏଁ ବାଏଁ ଉଡ଼ାଇ ଦେଇଥିବା ନବୀନ ଏବେ ପିଏସି ଡାକି ସମୀକ୍ଷା କଲେ। କିନ୍ତୁ ଗତକାଲି ହୋଇଥିବା ଏହି ପିଏସି ବୈଠକର ନିର୍ଯାସ କ’ଣ, ତାହା ନା ପିଏସି ସଦସ୍ୟ ବୁଝିଛନ୍ତି ନା ଅନ୍ୟ କୌଣସି ବରିଷ୍ଠ ନେତା। ବାସ୍ତବରେ ନବୀନ କ’ଣ କହିବାକୁ ଚାହୁଛନ୍ତି ଓ ଭବିଷ୍ୟତ ନେଇ କ’ଣ ଯୋଜନା କରୁଛନ୍ତି, ତାହା କେହି ଠଉରାଇପାରୁ ନାହାନ୍ତି। ଭବିଷ୍ୟତକୁ ନେଇ ନେତା ଓ କର୍ମୀ ସନ୍ଦିହାନ ହୋଇପଡ଼ିଛନ୍ତି।
ସାଧାରଣ ନିର୍ବାଚନରେ ବିଜେଡିର ପରାଜୟର ଅନେକ କାରଣ ଥିଲା। କିନ୍ତୁ ମୁଖ୍ୟ କାରଣ କୁହାଯାଉଥିଲା ତତ୍କାଳୀନ ୫-ଟି ଅଧ୍ୟକ୍ଷ ତଥା ନବୀନଙ୍କ ଘନିଷ୍ଠ ସହଯୋଗୀ ଭିକେ ପାଣ୍ଡିଆନଙ୍କ ମାତ୍ରାଧିକ କାର୍ଯ୍ୟକଳାପ। ତାଙ୍କୁ ହିଁ ବିଜେଡିର ଦୁଇ ନମ୍ବର ନେତା ଭାବେ ଉପସ୍ଥାପିତ କରାଯାଇଥିଲା। ଏପରିକି ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରାଯାଇଥିଲା, ଯଦିଓ ନବୀନ ଏକଥା ନିଜେ କେବେ କହି ନଥିଲେ। ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ହିଁ ବିଜେପି ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଉଠାଇଲା ଓ ବିଜେଡି ତାହାର ମୁକାବିଲା ଠିକ୍ ଭାବେ କରିପାରିଲା ନାହିଁ। ରାଜନୈତିକ ସମୀକ୍ଷକମାନଙ୍କ କହିବା କଥା ହେଲା, ଯଦି ବିଜେଡି ପରାଜୟର ସମୀକ୍ଷା କରାଯାଇଥା’ନ୍ତା, ତେବେ ଅନେକ କାରଣ ଭିତରୁ ପାଣ୍ଡିଆନଙ୍କ ପ୍ରାଦୁର୍ଭାବ ଏକ ପ୍ରମୁଖ କାରଣ ଭାବେ ଆଗକୁ ଆସିଥା’ନ୍ତା। ତେବେ କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ଉପରକୁ ଆଞ୍ଚ ଆଣିବାକୁ ଚାହୁଁ ନଥିବା ନବୀନ ବେଶ୍ ଚତୁରତାର ସହ ସମୀକ୍ଷା ପ୍ରସଙ୍ଗଟିକୁ ଟାଳି ଦେଲେ। ଏପରିକି ନିଜେ କାହିଁକି ହାରିଲେ, ସେ ସମ୍ପର୍କରେ ବି ଆଲୋଚନା କଲେ ନାହିଁ। ଯେଉଁ ନେତା ଦଳର ତ୍ରୁଟିପୂର୍ଣ୍ଣ ପରିଚାଳନା କଥା ଉଠାଇଲା, ତାଙ୍କୁ ନିଲମ୍ବନ କରାଗଲା। କୌଣସି ନେତା ମେଳି ନକରିବାକୁ ନିର୍ଦ୍ଦେଶ ଦେଲେ।
ସାଧାରଣ ନିର୍ବାଚନରେ ପରାଜୟର କାରଣ ଖୋଜାହେଲାନି
ଉପନିର୍ବାଚନ ବିଫଳତାର ମିଛିମିଛିକା ସମୀକ୍ଷା ଚାଲିଛି
ନବୀନଙ୍କ ହାବଭାବ କେହି ଠଉରାଇ ପାରୁନାହାନ୍ତି
ନୂଆପଡ଼ା ଉପନିର୍ବାଚନରେ ବିଜେଡି ଆରମ୍ଭରୁ ତା’ର ପରାଜୟକୁ ସ୍ବୀକାର କରୁନି। ବୁଥ୍ରେ ରିଗିଂ ହୋଇଛି ଓ ସରକାରୀ କଳକୁ ଅପବ୍ୟବହାର କରାଯାଇଛି ବୋଲି ଦଳର ନେତାମାନେ କହିଚାଲିଛନ୍ତି। କାଲିର ପିଏସି ବୈଠକ ପରେ ସେହି ସମାନ କଥାକୁ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଦୋହରାଇଛନ୍ତି। ଆଉ କିଛି ନୂତନତ୍ବ ନାହିଁ। ବିଜେଡିରେ ପ୍ରାର୍ଥୀ ଚୟନରୁ ହିଁ ନିର୍ବାଚନ ରଣନୀତି ଭୁଲ୍ ହୋଇଛି ବୋଲି ଅଧିକାଂଶ ନେତା ଆଲୋଚନା କରୁଛନ୍ତି। ଏପରିକି ଜଣେ ଦୁଇ ଜଣ ଗଣମାଧ୍ୟମରେ କହିସାରିଲେଣି। କିନ୍ତୁ ନବୀନଙ୍କ ସାମନାରେ ଏହା କହିବାକୁ କାହାରି ସାହସ ନାହିଁ। ଯେହେତୁ ସାଧାରଣ ନିର୍ବାଚନରେ ସତ କ’ଣ ଜାଣି ବି ନବୀନ ଅଜଣା ରହିଲେ ଓ ସମୀକ୍ଷା କଲେ ନାହିଁ, ତେଣୁ ଉପନିର୍ବାଚନ ପରାଜୟ ପଛର ସତ କହିବାକୁ ନେତାମାନେ ଉଚିତ ମଣୁ ନାହାନ୍ତି। ତେଣୁ ଏହି ଉପରଠାଉରିଆ ସମୀକ୍ଷାର ମାନେ କିଛି ନାହିଁ ବୋଲି ବହୁ ବରିଷ୍ଠ ନେତା ଆଲୋଚନା କରୁଛନ୍ତି। ରାଜନୈତିକ ସମୀକ୍ଷକମାନେ ମଧ୍ୟ ସମାନ କଥା କହୁଛନ୍ତି।
ସାଧାରଣ ନିର୍ବାଚନ ପରେ ନବୀନ କହିଥିଲେ ଯେ ନଭେମ୍ବର ମାସରୁ ସେ ନିଜେ ସବୁ ନିର୍ବାଚନମଣ୍ଡଳୀ ଯାଇ ଲୋକଙ୍କ ସହ ମିଶିବେ। ଏହା ମଧ୍ୟରେ ଗୋଟିଏ ବର୍ଷ ହୋଇଗଲାଣି। କିନ୍ତୁ ନବୀନଙ୍କର ନିର୍ବାଚନମଣ୍ଡଳୀ ବୁଲା ଆରମ୍ଭ ହୋଇପାରିଲା ନାହିଁ। ନୂଆପଡ଼ା ଉପନିର୍ବାଚନ ପାଇଁ ନବୀନ ପ୍ରଚାରରେ ଯିବା ସମୟରେ ତାଙ୍କ ଦୁର୍ବଳ ସ୍ବାସ୍ଥ୍ୟର ଭିଡିଓ ଭାଇରାଲ୍ ହୋଇଥିଲା। ତେଣୁ ଏପରି ସ୍ବାସ୍ଥ୍ୟକୁ ନେଇ ନବୀନ ରାଜ୍ୟ ବୁଲିବା ସମ୍ଭବ ନୁହେଁ ବୋଲି ନେତା, କର୍ମୀମାନେ ଜାଣିଗଲେଣି। ତେଣୁ ନବୀନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ସମସ୍ତେ ଚାହିଁ ବସିଛନ୍ତି। କିନ୍ତୁ ନବୀନ ଅତ୍ୟନ୍ତ ରହସ୍ୟଜନକ ଭାବେ ନିରବ ରହୁଛନ୍ତି।
ଦଳର ସଂଗଠନକୁ କିପରି ମଜଭୁତ କରିବାକୁ ହେବ, ସେ ନେଇ ନବୀନ କେବେ ମଧ୍ୟ ଆଗ୍ରହ ନେଉ ନାହାନ୍ତି। ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଥିଲେ ବି ତାହାର କାରଣ ଖୋଜାଯାଇ ନଥିଲା। ସେମିତି ସଂଗଠନକୁ ଦୃଢ଼ କରିବାକୁ କୌଣସି ସ୍ପଷ୍ଟ ଯୋଜନା କରାଯାଉ ନାହିଁ। ଫଳରେ ସମସ୍ତେ ନିଜର ରାଜନୈତିକ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ପ୍ରଶ୍ନ ଉଠିଲାଣି, ବାସ୍ତବରେ ବିଜେଡିକୁ ଆଗକୁ ନେବା ପାଇଁ ନବୀନ ଚାହୁଛନ୍ତି ତ? ବିଜେଡି ଭିତରେ ରହି କିଏ ଅନ୍ତର୍ଘାତୀ କାର୍ଯ୍ୟ କରୁନାହାନ୍ତି ତ?
Follow Us