ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା ଆସନକୁ ନେଇ ବିଜେଡିର ଅଙ୍କ ଛିଣ୍ଡୁନି। ଏଠାରୁ ଦଳର କିଏ ପ୍ରାର୍ଥୀ ହେବେ ସେଥିନେଇ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ପୁରୁଣା ଓ ନୂଆ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଭୁବନେଶ୍ବରରେ ପହଞ୍ଚିଗଲାଣି। ବିଜେଡି ପ୍ରଥମ ଦଫାରେ ୭୨ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ବ୍ରହ୍ମପୁର ବାଦ୍ ପଡ଼ିଛି। ପ୍ରାର୍ଥୀ ଘୋଷଣା ହୋଇନଥିବା ଯୋଗୁ ଏହି କଳି ତୁଟୁନାହିଁ ବରଂ ଦିନକୁ ଦିନ ଜଟିଳ ହେବାରେ ଲାଗିଛି।
ଗତ ୫ବର୍ଷ ଧରି ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳ ଭିତରେ କୁହୁଳୁଥିବା ନିଆଁ ଥମିବା ନାମ ନେଉନାହିଁ। ଗତକାଲି ୧୫ଜଣ କର୍ପୋରେଟର୍ ଭୁବନେଶ୍ବର ଯାଇ ଲବି ଆରମ୍ଭ କରିଥିବା ବେଳେ ଆଜି ପୁଣି ୧୩ କର୍ପୋରେଟର୍ ଭୁବନେଶ୍ବର ଗସ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ପ୍ରାର୍ଥୀ ପାଇଁ ଦଳରେ ସୃଷ୍ଟି ହୋଇଥିବା କନ୍ଦଳକୁ ନେଇ ରାଜ୍ୟ ନେତୃବର୍ଗ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ସମେତ ତାଙ୍କ ସମର୍ଥିତ କର୍ପୋରେଟରଙ୍କୁ ଭୁବନେଶ୍ବର ଡାକିଥିଲେ। ଆଜି ସ˚ଧୢାରେ ଉଭୟ ଗୋଷ୍ଠୀର ସମସ୍ତ ଦଳୀୟ କର୍ପୋରେଟର, ବିଧାୟକ ବିକ୍ରମ କୁମାର ପଣ୍ତା, ସା˚ସଦ ଚନ୍ଦ୍ରଶେଖର ସାହୁ ଓ ପୂର୍ବତନ ବିଧାୟକ ଡା. ଚ୍ୟାଉପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ୫-ଟି ଅଧୢକ୍ଷଙ୍କ ଉପସ୍ଥିତିରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କୌଣସି ସୁଫଳ ନମିଳିବାରୁ ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ ପୃଥକ ପୃଥକ ଭାବେ କରାଯାଇ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।
ବିଧାୟକ ଶ୍ରୀ ପଣ୍ତାଙ୍କ ଗୋଷ୍ଠୀ ଦାବି କରୁଛନ୍ତି ଯେ ବିଧାୟକଙ୍କୁ ଗୋପାଳପୁର ପରିବର୍ତ୍ତେ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଉ ନଚେତ୍ ସା˚ସଦ ଶ୍ରୀସାହୁଙ୍କୁ ପ୍ରାର୍ଥୀ କରାଯାଉ। ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପୁଣିଥରେ ଦଳୀୟ ପ୍ରାର୍ଥୀ କରାଯାଉ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଥିବା ଶୁଣାଯାଉଛି। ଶେଷରେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଦଳ ଯାହାକୁ ପ୍ରାର୍ଥୀ କରିବ ତା’କୁ ସମସ୍ତେ ସମର୍ଥନ କରି ବିଜୟୀ କରାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହି ଦୁଇ ଗୋଷ୍ଠୀର ବିବାଦ ଭିତରେ ମେୟର ସଂଘମିତ୍ରା ଦଳେଇ ଦୂରେଇ ରହିଥିବା ବେଳେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରୁଛି ତା’କୁ ସମସ୍ତେ ଚାହିଁ ବସିଛନ୍ତି।
Follow Us