ପ୍ରଦୀପଙ୍କୁ ବ୍ରେକ୍‌ ଦେବା ପାଇଁ ବିଜେଡିର କସରତ

Advertisment

ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡିଙ୍କ ଉପସ୍ଥିତିରେ ରଣନୀତି ପ୍ରସ୍ତୁତ

ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡିଙ୍କ ଉପସ୍ଥିତିରେ ରଣନୀତି ପ୍ରସ୍ତୁତ

ପ୍ରଦୀପଙ୍କୁ ବ୍ରେକ୍‌ ଦେବା ପାଇଁ ବିଜେଡିର କସରତ

ବ୍ରହ୍ମପୁର/ଗୋଳନ୍ଥରା : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଜିଲ୍ଲା ବିଜେଡିରେ ହଲ୍ଲାପଟା ଆରମ୍ଭ ହୋଇ ଯାଇଛି। ଗତକାଲି ବିଧାୟକ ପ୍ରଦୀପ ନିର୍ବାଚନମଣ୍ଡଳୀ ଗସ୍ତରେ ବାହାରି ପ୍ରଥମ ଥର ମୁହଁ ଖୋଲିଥିଲେ। ସେ ଗଣମାଧ୍ୟମକୁ କହିଥିଲେ, ତାଙ୍କ ନାଁ ଏବେ ବି ବିଜେଡି ବିଧାୟକ ତାଲିକାରେ ୨୬ ନମ୍ବରରେ ରହିଛି। ଏଣୁ ସେ ବିଜେଡିରେ ଅଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରଦୀପଙ୍କ ଏଭଳି ମନ୍ତବ୍ୟ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ଜିଲ୍ଲା ସଭାପତି ଏବଂ ରଙ୍ଗେଇଲୁଣ୍ଡା ବିଜେଡି ପକ୍ଷରୁ ଏହାକୁ ଦୃଢ଼ ଖଣ୍ଡନ କରା ଯାଇଥିଲା।

ଆଜି ପ୍ରଦୀପଙ୍କୁ ବ୍ରେକ୍‌ ଦେବା ପାଇଁ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ତରଫରୁ ବିଧିବଦ୍ଧ କସରତ ଆରମ୍ଭ ହୋଇଛି। ଆଜି ସଂଧ୍ୟାରେ ରଂଗେଇଲୁଣ୍ଡା ବ୍ଲକ୍‌ ବିଜେଡି ସଭାପତି ଅଜିତ ଦାସଙ୍କ ନେତୃତ୍ବରେ ବ୍ରହ୍ମପୁର ସର୍କିଟ୍‌ ହାଉସ୍‌ରେ ଏକ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ.ଗୋପବନ୍ଧୁ ଦାସ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ଗତକାଲି ବିଧାୟକ ପାଣିଗ୍ରାହୀ ଦେଇଥିବା ମନ୍ତବ୍ୟକୁ ଏଥିରେ ଦୃଢ଼ ନିନ୍ଦା କରା ଯାଇଥିଲା।

ସେପଟେ ବିଧାୟକଙ୍କୁ ବିରୋଧ କରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା। ବିଧାୟକ ଯେ କୌଣସି ସ୍ଥାନକୁ ଯିବେ ସେଠାରେ ତାଙ୍କୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଡେପୁଟି ମେୟର ବିବେକ ରେଡ୍ଡି, ଜିଲ୍ଲା ପରିଷଦ ଉପସଭାପତି ଏସ୍‌. ରାଜେଶ୍ବରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ବିଧାୟକ ପାଣିଗ୍ରାହୀ ପଞ୍ଚମା ମନ୍ଦିର ଯିବେ ବୋଲି ସୂଚନା ମିଳିଛି। ତେବେ ଆଜିର ବୈଠକ ପରେ ବ୍ଲକ୍‌ ବିଜେଡି କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ରହିଲା। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ପଞ୍ଚମା ମନ୍ଦିର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe