ବିଜେଡିର ବିଶାଳ ଟିମ୍‌: ୧୦ ବରିଷ୍ଠ ନେତାଙ୍କୁ ଛାମୁଆ ସଂଗଠନ ଦାୟିତ୍ବ, ରାଜ୍ୟ କମିଟିରେ ୮୧ ଜଣ

ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ୧୦ଟି ଛାମୁଆ ସଂଗଠନର ଦାୟିତ୍ବ ଦିଆଯାଇଛି।

bjd

ଭୁବନେଶ୍ବର: ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ୧୦ଟି ଛାମୁଆ ସଂଗଠନର ଦାୟିତ୍ବ ଦିଆଯାଇଛି। ସଂଖ୍ୟାଲଘୁ ସେଲ୍‌ର ପୁନର୍ଗଠନ କରାଯାଇଥିବା ବେଳେ ୫ଟି ସାଂଗଠନିକ ଜିଲ୍ଲାର ସଭାପତି ନିଯୁକ୍ତି କରାଯାଇଛି। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସାଂଗଠନିକ ସମ୍ପାଦକ ପଦବିକୁ ହଟାଇ ଦିଆଯାଇଛି।

ବିଜେଡିର ରାଜ୍ୟ ଟିମ୍‌ରେ ୧୩ ଜଣ ବରିଷ୍ଠ ଉପସଭାପତି, ୧୦ ଜଣ ଉପସଭାପତି, ୨୨ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୫ ଜଣ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ବରିଷ୍ଠ ଉପସଭାପତି କରାଯାଇଛି। ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବିନାରାୟଣ ନନ୍ଦ, ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ଶାରଦା ପ୍ରସାଦ ନାୟକଙ୍କୁ ଉପସଭାପତି ଏବଂ ସୁବାସ ସିଂହଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ଏମାନଙ୍କ ମଧ୍ୟରୁ ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା ମୁଖ୍ୟାଳୟ ଦାୟିତ୍ବରେ ରହିବେ। ୬ ଜଣ ବରିଷ୍ଠ ଉପସଭାପତିଙ୍କୁ ୬ଟି ଛାମୁଆ ସଂଗଠନର ଆବାହକ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳ, ଅନଙ୍ଗଉଦୟ ସିଂହଦେଓଙ୍କୁ ବିଜେଡି ଆଞ୍ଚଳିକ ବିକାଶ ସେଲ୍‌, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ସେଲ୍‌, ବଦ୍ରିନାରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ୍‌, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ୍‌ ଓ ମଙ୍ଗଳା କିଷାନଙ୍କୁ ଅନୁସୂଚିତ ଜନଜାତି ସେଲ୍‌ର ଆବାହକ ଦାୟିତ୍ବ ଦିଆଯାଇଛି। ସେହିପରି ଉପସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ‌ସେଲ୍‌ ଓ ଅରୁଣ କୁମାର ସାହୁଙ୍କୁ ଓବିସି ସେଲ୍‌ର ଆବାହକ ଭାବେ ନିଯୁକ୍ତି ମିଳିଛି। ବରି‌ଷ୍ଠ ସାଧାରଣ ସମ୍ପାଦକ ମହେଶ ସାହୁଙ୍କୁ ଅନୁସୂଚିତ ଜାତି ସେଲ୍‌ ଓ ଅମର ପଟ୍ଟନାୟକଙ୍କୁ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ୍‌ ଦାୟିତ୍ବ ଦିଆଯାଇଛି। 

ସାଂଗଠନିକ ସମ୍ପାଦକ ପଦବି ହଟିଲା

ବିଜେଡି ସଂଖ୍ୟାଲଘୁ ପ୍ରକୋଷ୍ଠର ପୁନର୍ଗଠନ କରାଯାଇଛି। ଦିଲ୍ଲୀପ ତିର୍କୀଙ୍କୁ ଏହି ପ୍ରକୋଷ୍ଠର ଆବାହକ ରଖାଯାଇଛି। ପୂର୍ବରୁ ସାଂସଦ ମୁନା ଖାନ୍ ସଂଖ୍ୟାଲଘୁ ପ୍ରକୋଷ୍ଠର ସଭାପତି ଥିଲେ। ଏହି ପ୍ରକୋଷ୍ଠର ସହ ଆବାହକ ଭାବେ ରିଜାୱାନ୍‌ ବେଗମ, ସଂଯୋଜକ ଭାବେ ମୁନା ଖାନ୍‌ (ଦକ୍ଷିଣ ଜୋନ୍‌), ଆୟୁବ୍ ଖାନ୍ (ପଶ୍ଚିମ ଜୋନ୍‌) ଓ ସେକ୍ ନିଜାମୁଦ୍ଦିନ୍ (କେନ୍ଦ୍ରୀୟ ଜୋନ୍‌)ଙ୍କୁ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ୧୮ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଥିଲା ବେଳେ ଏବେ ଆଉ ୬ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। କେନ୍ଦୁଝରର ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବରର ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲାର ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜ-୨ର ଦେବାଶିଷ ମାରାଣ୍ଡି, ସମ୍ବଲପୁରର ରୋହିତ ପୂଜାରୀ ଓ ବଲାଙ୍ଗୀର ଜିଲ୍ଲା ସଭାପତି ଭାବେ ସରୋଜ କୁମାର ମେହେରଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ବିଜେଡିରେ ସାଂଗଠନିକ ସମ୍ପାଦକ ପଦବି ନଥିଲା। କିନ୍ତୁ ପ୍ରଣବ ପ୍ରକାଶ ଦାସଙ୍କ ଗୁରୁତ୍ବ ବଢ଼ାଇବା ପାଇଁ ତାଙ୍କୁ ଗତ କିଛି ବର୍ଷ ତଳେ ଏହି ପଦବିରେ ନିଯୁକ୍ତି ଦିଆଯାଇଥିଲା। ତେବେ ବିଜେଡିର ପରାଜୟ ପାଇଁ ଭି କେ ପାଣ୍ଡିଆନଙ୍କ ସହ ପ୍ରଣବ ପ୍ରକାଶ ଦାସଙ୍କ ଅତ୍ୟଧିକ ମାମ୍‌ଲତିକୁ ସମସ୍ତେ ଦାୟୀ କରିଥିଲେ। ତେଣୁ ଏଥର ଏହି ପଦବି ଆଦୌ ରଖାଯାଇ ନାହିଁ। ଦଳର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ସମୟରେ ନେତାମାନେ ମେଳି କରୁଥିଲେ। କିନ୍ତୁ ସେହିସବୁ ନେତାମାନଙ୍କୁ ସଂଗଠନରୁ ବାଦ୍ ଦିଆଯାଇପାରିନି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଥଇଥାନ କରାଯାଇଛି। ତେବେ ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂହ, ଶଶୀଭୂଷଣ ବେହେରା ଓ ନୃସିଂହ ସାହୁଙ୍କୁ କମିଟିରେ ସ୍ଥାନ ମିଳିନି। ବରିଷ୍ଠ ନେତାଙ୍କୁ ସଂଗଠନରୁ ଦୂରେଇ ଦିଆଯାଇଥିବାରୁ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe