ଭୁବନେଶ୍ବର: ‘ପାଣ୍ଡିଆନ ଗୋ ବ୍ୟାକ୍’, ‘ପାଣ୍ଡିଆନ ହଟାଅ, ବିଜେଡି ବଞ୍ଚାଅ’। ଶେଷରେ ନବୀନ ନିବାସ ପରିସରରେ ଆଜି ଏହି ନାରା ଜୋର୍ଦାର ଶୁଭିଛି। ଆଉ କେହି ନୁହେଁ, ଖୋଦ୍ ବିଜେଡି କର୍ମୀ ଏଭଳି ନାରା ଦେଇଛନ୍ତି। ସମାନ୍ତରାଳ ଭାବେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନି ବି ଦିଆଯାଇଛି। ଅନ୍ୟପଟେ ଠିକ ଏହି ସମୟରେ ଗଣମାଧ୍ୟମରେ ସାଂସଦ ଦେବାଶିଷ ସାମନ୍ତରାୟ ସିଧା ସିଧା କହିଛନ୍ତି ଯେ ୱକଫ୍ ବିଲ୍ ପ୍ରସଙ୍ଗରେ ହୋଇଥିବା ଷଡ୍ଯନ୍ତ୍ର ପାଇଁ ଭି କେ ପାଣ୍ଡିଆନ ଦାୟୀ। ତାଙ୍କରି ଇଙ୍ଗିତରେ ହିଁ ଦଳର ନିଷ୍ପତ୍ତି ଶେଷ ମୂହୁର୍ତ୍ତରେ ବଦଳିଗଲା।
କୌତୂହଳର କଥା ହେଉଛି, ପାଣ୍ଡିଆନଙ୍କ ବିରୋଧରେ ନାରାବାଜି ହେବା ମାତ୍ରେ ବିଜେଡିର କିଛି ହାତଗଣତି ନେତା ଚିହିଁକି ଉଠିଥିଲେ। ଦୁଇ ଦିନ ହେଲା ୱକଫ୍ ବିଲ୍ରେ ବିଜେଡିର ଆଭିମୁଖ୍ୟକୁ ନେଇ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା ହେଉଥିଲା ବେଳେ ଚାରି ରାଜ୍ୟସଭା ସାଂସଦ ନିରବ ଥିଲେ। ହେଲେ ଆଜି ପାଣ୍ଡିଆନଙ୍କୁ ଦଳ ଭିତରୁ ଶାଣିତ ସମାଲୋଚନାକୁ ହଜମ କରିପାରିଲେନି। ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ସିଧା ସାମାଜିକ ଗଣମାଧ୍ୟମକୁ ଡେଇଁ ପଡ଼ିଲେ। ପାଣ୍ଡିଆନଙ୍କୁ ସମାଲୋଚନା କରିବା ଠିକ ହେଉନି କହି ଖୋଲାଖୋଲି ଓକିଲାତି କଲେ। ଏପରିକି ନିଜ ସହଯୋଗୀ ଦେବାଶିଷଙ୍କୁ ବି ସମାଲୋଚନା କରିବାକୁ ପଛାଇଲେନି। ସବୁ ନିଷ୍ପତ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ନେଉଛନ୍ତି ବୋଲି ସଫେଇ ଦେଇଥିଲେ।
ବିଜେଡିରେ ପ୍ରଥମ ଥର ପାଇଁ ଏପରି ଖୋଲା ଆରୋପ, ପ୍ରତ୍ୟାରୋପ ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ଏକପ୍ରକାର ହଲଚଲ କରି ଦେଇଛି। ଏକଦା ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର ଥାଇ ନବୀନ ନିବାସକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ଭିକେ ପାଣ୍ଡିଆନ। ନବୀନ ନିବାସକୁ କିଏ ଯିବେ, ଆସିବେ ସେ ହିଁ ସ୍ଥିର କରୁଥିଲେ। କିନ୍ତୁ ଆଜି ସେହି ନବୀନ ନିବାସରେ ତାଙ୍କୁ ହଟାଇବାକୁ ଆହ୍ବାନ ଦେଇ ନେତା ଓ କର୍ମୀ ପାଣ୍ଡିଆନଙ୍କୁ ଆଉ ବରଦାସ୍ତ କରିବା ମୁଡ୍ରେ ନଥିବା ସ୍ପଷ୍ଟ କରିଛନ୍ତି।
ନଁା ନେଇ ସିଧା ଟାର୍ଗେଟ୍ କଲେ ଦେବାଶିଷ
ଚିହଁିକି ଉଠିଲେ ୪ ସାଂସଦ
ଆଜି ମଧ୍ୟାହ୍ନରେ ସାଂସଦ ମୁନା ଖାନ୍ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଶତାଧିକ ସମର୍ଥକ ସ୍ବାଗତ କରିଥିଲେ। ବିମାନବନ୍ଦର ବାହାରକୁ ଆସିଲା ମାତ୍ରେ ଶବ୍ଦ ବିସ୍ଫୋରଣ କରିଥିଲେ ମୁନା। କହିଥିଲେ, ବିଜେଡି ହେଉଛି ଧର୍ମନିରପେକ୍ଷ ଦଳ। ନବୀନ ବାବୁ ଧର୍ମନିରପେକ୍ଷ ନେତା। ସଂସଦରେ ୱକଫ୍ ବିଲ୍କୁ ବିରୋଧ କରିବା ଲାଗି ସୁପ୍ରିମୋ ସବୁ ସଦସ୍ୟଙ୍କୁ କହିଥିଲେ। ଯେତେବେଳେ ରାଜ୍ୟସଭାରେ ବିଲ୍ ଆସିଲା ମୁଁ ବିରୋଧ କଲି। କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ବିଟ୍ କରି କହିଲେ, ବିବେକ ଅନୁସାରେ ଭୋଟ୍ ଦିଅନ୍ତୁ। କିନ୍ତୁ ଟ୍ବିଟ୍ କରିବା ପରଠାରୁ ଏ ଯାଏଁ ତାଙ୍କୁ ମୁଁ ପାଉନି। ସେ ବିଦେଶ ଗସ୍ତରେ ଅଛନ୍ତି। ତାଙ୍କୁ ସମର୍ଥନ କରିବାକୁ କିଏ କହିଲା, ଫେରିଲେ ସେ ଉତ୍ତର ଦେବେ। ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ। ନଚେତ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ। ସଂସଦୀୟ ଦଳ ନେତା ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦୀୟ ଇତିହାସରେ ବିରଳ ଘଟଣା। ଶ୍ରୀ ଖାନ୍ ଆହୁରି ସତର୍କ କରାଇଦେଇଥିଲେ, ଯାହାର ବିବେକ କିମ୍ବା ଆତ୍ମା ବିଜେପିକୁ ସମର୍ଥନ କରିବାକୁ କହୁଛି ସେ ବିଜେପିକୁ ଚାଲିଯାଆନ୍ତୁ। ବିଜେଡିରେ ଦୋମୁହାଁ ନୀତି ରଖୁଥିବା ଲୋକଙ୍କର ଜାଗା ନାହିଁ।
ଏହା ପରେ ମୁନା ସମର୍ଥକମାନଙ୍କ ସହ ନବୀନ ନିବାସ ଯାଇଥିଲେ। ସେଠାରେ ତାଙ୍କ ସମର୍ଥକମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ। ନବୀନ ସେମାନଙ୍କ ସହ କଥା ହେବା ପାଇଁ ବାହାରକୁ ଆସିଥିଲେ। ନବୀନ କହିଥିଲେ, ବିଜେଡି ସବୁବେଳେ ସଂଖ୍ୟାଲଘୁଙ୍କ ସହ ଅଛି ଓ ଧର୍ମନିରପେକ୍ଷ ନୀତିରେ ବିଶ୍ବାସ କରେ। ଏହି ଆଦର୍ଶ ପାଇଁ ୨୦୦୯ରେ ମେଣ୍ଟରୁ ବିଜେଡି ବାହାରି ଯାଇଥିଲା। ତେଣୁ ସଂଖ୍ୟାଲଘୁମାନଙ୍କ ସ୍ବାର୍ଥ ପାଇଁ ବିଜେଡି ତା’ର ଲଢ଼େଇ ଜାରି ରଖିବ। କିନ୍ତୁ ୱକଫ୍ ବିଲ୍କୁ ବିଜେଡି କାହିଁକି ବିରୋଧ କଲା ନାହିଁ, ସେ ସମ୍ପର୍କରେ ନବୀନ କିଛି କହି ନଥିଲେ। ଏହି ଘଟଣାକୁ ସେ ଅନୁଧ୍ୟାନ କରିବେ ବୋଲି କହିଥିଲେ। ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ବଦଳିବା ଘଟଣାକୁ ପ୍ରଥମ ଦିନରୁ ନିନ୍ଦା କରି ଆସୁଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ପୂର୍ବରୁ ସେ ପାଣ୍ଡିଆନଙ୍କ ନାଁ ନ ନେଇ ପରୋକ୍ଷରେ ତାଙ୍କୁ ଟାର୍ଗେଟ୍ କରିଥିଲା ବେଳେ ଆଜି ସିଧାସଳଖ ତାଙ୍କ ନାଁ ନେଇଥିଲେ। ସେ କହିଛନ୍ତି, ପାଣ୍ଡିଆନ ହିଁ ଷଡ୍ଯନ୍ତ୍ର କରିଛନ୍ତି। ବିଜେଡିର ଆଜିର ପରିସ୍ଥିତି ପାଇଁ ପାଣ୍ଡିଆନ ଦାୟୀ। ସେ ବିଜେଡିକୁ ବିକ୍ରି କରିଦେଇଛନ୍ତି। ସେ ହିଁ ଦଳର ନିଷ୍ପତ୍ତି ନେଉଛନ୍ତି।
ଏହାର କିଛି ସମୟ ପରେ ବିଜେଡିର ଚାରି ସାଂସଦ ଟ୍ବିଟ୍ କରି ଦେବାଶିଷଙ୍କୁ ଗାଳି ଦେବା ସହ ପାଣ୍ଡିଆନଙ୍କ ପାଇଁ ଓକିଲାତି କରିଥିଲେ। ପାଣ୍ଡିଆନ୍ ରାଜନୀତିରେ ନାହାନ୍ତି। ତାଙ୍କୁ ବଦନାମ କରାଯିବା ଠିକ୍ ନୁହେଁ। ଦଳର ସଭାପତି ହିଁ ସବୁ ନିଷ୍ପତ୍ତି ନିଅନ୍ତି। ଯାହାର ଯାହା ଅଭିଯୋଗ ଅଛି, ପାର୍ଟି ଫୋରମ୍ରେ କହିବା କଥା। ଗଣମାଧ୍ୟମରେ ଅଯଥାରେ ବୟାନବାଜି ଠିକ୍ ନୁହେଁ ବୋଲି ସେମାନେ ଦର୍ଶାଇଥିଲେ। ସାଂସଦଙ୍କ ଯୁକ୍ତିକୁ ଯଦି ଗ୍ରହଣ କରାଯାଏ, ତେବେ ୱକଫ୍ ବୋର୍ଡ ବିଲ୍ ପ୍ରସଙ୍ଗରେ ବିବେକାନୁମୋଦିତ ଭୋଟ୍ କଥା ନବୀନ ହିଁ ନେଇଛନ୍ତି ବୋଲି ବୁଝିବାକୁ ହେବ। ଅର୍ଥାତ ନବୀନ ହିଁ ସଂଖ୍ୟାଲଘୁଙ୍କ ବିରୋଧରେ ଭୋଟ୍ ପାଇଁ ରାସ୍ତା ଖୋଲିଦେଇଥିବା ଧରିନେବାକୁ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ପରୋକ୍ଷରେ ଏହି ସାଂସଦମାନେ ନବୀନଙ୍କୁ ଅଠାକାଠିରେ ପକାଇ ଦେଇଥିବା ଏହି ମହଲ ଯୁକ୍ତି ରଖିଛନ୍ତି।
ବିଜେଡି ଦୁଇଭାଗ
ଭୁବନେଶ୍ବର: ୱକଫ୍ ବିଲ୍ ପ୍ରସଙ୍ଗରେ ଆଉ ଅଟକିନାହିଁ ବିଜେଡି କନ୍ଦଳ। ଦଳ ଭିତରେ କୁହୁଳୁଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି। ଏକଦା ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର ଥିବା ଭିକେ ପାଣ୍ଡିଆନ ହିଁ ଏହି ଅସନ୍ତୋଷର କେନ୍ଦ୍ରରେ। ପାଣ୍ଡିଆନଙ୍କୁ ନେଇ ବିଜେଡି ଆପାତତଃ ଦୁଇ ଭାଗ ହୋଇଯାଇଛି। ଦଳେ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରେ ତ ଆଉ ଦଳେ ପାଣ୍ଡିଆନଙ୍କ ସପକ୍ଷରେ ଖୋଲାଖୋଲି ବାହାରିଛନ୍ତି। ଦଳ ଭିତରେ ବୟାନବାଜି ଚରମ ସ୍ଥିତିକୁ ଗଲାଣି। ତଥାପି ନବୀନ ମୁହଁ ଖୋଲୁ ନାହାନ୍ତି। ନା ୱକଫ୍ ବିଲ୍ ପ୍ରସଙ୍ଗରେ କିଛି କହୁଛନ୍ତି ନା ଦଳରେ ପାଣ୍ଡିଆନ ରାଜ୍ ଚାଲିନି ବୋଲି ନା କରିପାରୁଛନ୍ତି। ନବୀନଙ୍କ ରହସ୍ୟମୟ ନିରବତା ହିଁ ବିଜେଡିର ଭବିଷ୍ୟତକୁ ସନ୍ଦେହ ଭିତରକୁ ଟାଣି ନେଉଛି।
ଗତ ତିନି ଦିନ ହେଲା ବିଜେଡିର ଗୋଷ୍ଠୀ ବିବାଦ ତୀବ୍ର ହେବାରେ ଲାଗିଛି। ନବୀନଙ୍କ ନେତୃତ୍ବକୁ ସ୍ବୀକାର କରିବାରେ ଏକ ବଡ଼ ଗୋଷ୍ଠୀ କାର୍ପଣ୍ୟ କରୁନାହାନ୍ତି। କିନ୍ତୁ ପାଣ୍ଡିଆନଙ୍କ ଉପସ୍ଥିତିକୁ ସେମାନେ ଆଦୌ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ଖୋଲାଖୋଲି ପାଣ୍ଡିଆନଙ୍କ ବିରୋଧରେ ବିଷୋଦ୍ଗାର କରୁଛନ୍ତି। ଆଉ ଏକ ଛୋଟ ଗୋଷ୍ଠୀ ପାଣ୍ଡିଆନଙ୍କୁ ହିଁ ଦଳର ସର୍ବେସର୍ବା ଭାବେ ଦେଖିବାକୁ ଚାହୁଛନ୍ତି। ଦଳ ପଛେ ବୁଡ଼ୁ, ପାଣ୍ଡିଆନଙ୍କ ଛବି ଅମଳିନ ରହୁ; ଏହି ଚିନ୍ତାଧାରାରେ ସେମାନେ ଚାଲିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ଶ୍ରେୟ ପାଣ୍ଡିଆନଙ୍କୁ ଦେଇ ନବୀନଙ୍କୁ ନୀଚା ଦେଖାଇବାରେ ଏହି ଗୋଷ୍ଠୀ ପଛଘୁଞ୍ଚା ଦେଉ ନାହାନ୍ତି। ସମୀକ୍ଷକଙ୍କ କହିବା ଅନୁଯାୟୀ, କ୍ଷମତାରୁ ଗଲା ପରେ ବିଜେଡିର ବିକଳ ଚିତ୍ର ଧରାପଡ଼ିଯାଇଛି। କୌଣସି ପ୍ରସଙ୍ଗରେ ଠୋସ୍ ନିଷ୍ପତ୍ତି ନେବାରେ ନବୀନଙ୍କ ଅସହାୟତା କାହାକୁ ଅଛପା ନାହିଁ। କେବଳ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ସାର୍ଟିଫିକେଟ୍ ଦେବା ବ୍ୟତୀତ ନବୀନଙ୍କର ଆଉ କୌଣସି ପ୍ରସଙ୍ଗରେ ସ୍ପଷ୍ଟତା ଜଣାପଡ଼ୁ ନାହିଁ। ବିଜେଡି କାହିଁକି ନିର୍ବାଚନରେ ପରାଜୟବରଣ କଲା, ତାହାର ସମୀକ୍ଷା ହେଲା ନାହିଁ। ବିଭିନ୍ନ ପ୍ରସଙ୍ଗରେ କୌଣସି ଆଭିମୁଖ୍ୟ ନେବାରେ ବିଜେଡି ଦୋଛକିରେ ରହିଲା। ୱକଫ୍ ବିଲ୍ ପ୍ରସଙ୍ଗରେ ଜାତୀୟ ରାଜନୀତିରେ ବିଜେଡି ଲୋକହସା ହେଲା। ‘ବିବେକ’ର ଦ୍ବାହି ଦେଇ ଦୁଇ ନାଆରେ ଗୋଡ଼ ରଖି ଦଳ ଉଭୟ ପଟୁ ବିଶ୍ବାସ ହରାଇଲା।
ୱକଫ୍ ବିଲ୍ ପ୍ରସଙ୍ଗରେ ଦଳୀୟ ନେତାଙ୍କ ବୟାନବାଜି ଭିତରୁ ଦୁଇଟି ପ୍ରଶ୍ନ ସିଧାସଳଖ ଆସୁଛି। ଶେଷ ମୁହୂର୍ତ୍ତରେ ଦଳର ଆଭିମୁଖ୍ୟ ବଦଳାଇବାକୁ ନିଜେ ନବୀନ ନିଷ୍ପତ୍ତି ନେଇଥିଲେ କି? ଯଦି ନୁହେଁ, ତେବେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ନିଜ ଆଡ଼ୁ ଏପରି ନିଷ୍ପତ୍ତି ନେଇଗଲେ କି? ଏହି ଦୁଇଟି ପ୍ରଶ୍ନର ଉତ୍ତର କେବଳ ନବୀନ ହିଁ ଦେଇ ପାରିବେ। ୨୪ ବର୍ଷ ଲମ୍ବା ସମୟ କ୍ଷମତାରେ ରହିଲା ପରେ ବି ଏହି ଛୋଟିଆ ପ୍ରଶ୍ନର ଉତ୍ତର ଦେବାରେ ସେ ସମର୍ଥ ନାହାନ୍ତି। ସଂଖ୍ୟାଲଘୁଙ୍କ ସ୍ବାର୍ଥରେ ବିଜେଡି ଅଛି ବୋଲି ଆଜି ସେ ସଂଖ୍ୟାଲଘୁ ବର୍ଗର କର୍ମୀମାନଙ୍କୁ ଗପ ଶୁଣାଇଛନ୍ତି। ଯଦି ସଂଖ୍ୟାଲଘୁଙ୍କ ସ୍ବାର୍ଥ ବିଜେଡି ପୂରଣ କରୁଛି, ତେବେ ୱକଫ୍ ବିଲ୍ର କେଉଁ ଦିଗକୁ ଦେଖି ବିଜେଡି ବିରୋଧ ନ କରିବାକୁ ନିଷ୍ପତ୍ତି ନେଲା, ତାହାକୁ ନବୀନ ବୁଝାଇପାରୁ ନାହାନ୍ତି। ନବୀନ ଯେତେ ଦିନ ପାଟିରେ ତାଲା ଦେଉଛନ୍ତି, ସେତେ ଦିନ ବରିଷ୍ଠ ନେତାମାନଙ୍କ ବୟାନବାଜି ଗଣମାଧ୍ୟମରେ ଜାରି ରହିଛି। ଗତକାଲି ପ୍ରଭାତ ତ୍ରିପାଠୀ ଗଣମାଧ୍ୟମରେ ପାଣ୍ଡିଆନଙ୍କ ବିରୋଧରେ ବିଷୋଦ୍ଗାର କଲା ପରେ ଆଜି ଦେବାଶିଷ ସାମନ୍ତରାୟ ବି ତାଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ମତ ରଖି ନବୀନ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଆହ୍ବାନ ଦେଇଛନ୍ତି। ରାଜ୍ୟସଭାର ଚାରି ସାଂସଦ ଓ କଟକ ମେୟର ସୁବାସ ସିଂହ ପାଣ୍ଡିଆନଙ୍କ ସପକ୍ଷରେ ଯେତେ ଓକିଲାତି କଲେ ମଧ୍ୟ ତାହା ଲୋକଙ୍କୁ ଛୁଇଁ ପାରୁନାହିଁ। ଓଲଟା ପ୍ରଶ୍ନ ଉଠୁଛି, ଯଦି ପାଣ୍ଡିଆନ ଦଳରେ କେହି ନୁହେଁ, ତେବେ ତାଙ୍କୁ ସମାଲୋଚନା କଲେ ଏହି ନେତାମାନେ ଚିହିଁକି ଉଠୁଛନ୍ତି କାହିଁକି?
ଏହି ଗୋଳିଆ ପରିସ୍ଥିତିରେ ବିଜେଡିର କିଛି ନେତା ‘ଏ ଘର ମାଉସୀ ସେ ଘର ପିଉସୀ’ ହେଉଛନ୍ତି। କେହି କାହାକୁ ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି। ପୂର୍ବରୁ ନିଜକୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ କରାଉଥିବା ଜଣେ ନେତା ପାଣ୍ଡିଆନଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ବୋଲି ତାଙ୍କ ସପକ୍ଷବାଦୀଙ୍କ ନିକଟରେ ଜୋର୍ ଦେଉଛନ୍ତି। ପୁଣି ଏକ ବଡ଼ ଗୋଷ୍ଠୀ ପାଣ୍ଡିଆନଙ୍କ ବିରୋଧରେ ଯାଉଥିବାରୁ ଏହି ନେତା ଜଣଙ୍କ ସେମାନଙ୍କ ସହିତ ଅଛନ୍ତି ବୋଲି ବିଶ୍ବାସ ଦେବାକୁ ଚେଷ୍ଟା କରୁଛନ୍ତି। ହେଲେ ବିଜେଡିର ବହୁ ନେତା ତାଙ୍କୁ ବିଶ୍ବାସକୁ ନେଇ ପାରୁନାହାନ୍ତି। ସେମାନେ ଯେମିତି ପାଣ୍ଡିଆନଙ୍କ ମାମଲ୍ତି ସହିବା ସ୍ଥିତିରେ ନାହାନ୍ତି, ଅନୁରୂପ ଭାବେ ଏହି ତୃତୀୟ କ୍ଷମତାକେନ୍ଦ୍ରର ଉପଦ୍ରବକୁ ବି ଗ୍ରହଣ କରୁନାହାନ୍ତି। ଆଉ କିଛି ନେତାଙ୍କ ହାବଭାବ ଦଳ ଭିତରେ ଏକ ଅବିଶ୍ବାସର ବାତାବରଣ ସୃଷ୍ଟି କରିଛି। ଏହି ସମୟରେ ଦଳକୁ ଏକାଠି ରଖିବା ବର୍ତ୍ତମାନ କାଠିକର ପାଠ ହୋଇପଡ଼ିଛି।
Follow Us