ବିଜେଡିର ସମ୍ବଲପୁର ଚିନ୍ତା: ପ୍ରଥମ ଗସ୍ତରେ ଶକ୍ତି ପ୍ରଦର୍ଶନ, ଦ୍ବିତୀୟ ଗସ୍ତରେ ପରସ୍ପର ବିରୋଧରେ ଅଭିଯୋଗ

କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ: ଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଏବେ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି। ନିର୍ବାଚନମଣ୍ଡଳୀର ବିଜେପିର ସମ୍ବଲପୁର ବିଧାୟକ ଏବଂ ଲୋକସଭା ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ବେ ଜିଲ୍ଲାରେ ବିଜେଡି ଲାଭ ଉଠାଇପାରୁ ନାହିଁ। ଗୋଷ୍ଠୀ ବିବାଦ ଯୋଗୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଏପଟେ ବିକାଶ ପ୍ରକଳ୍ପ ବି ଆଗେଇ ନପାରିବା ଯୋଗୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥିତି ଏମିତି ହୋଇଛି ଯେ, ସପ୍ତାହକ ମଧ୍ୟରେ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦୁଇ ଥର ଗସ୍ତ କଲେଣି।

ପର୍ଯ୍ୟବେକ୍ଷକ ଦାୟିତ୍ବ ନେବା ପରେ ଗତ ରବିବାର ଦିନ ବିଧିବଦ୍ଧ ଭାବେ ସେ ପ୍ରଥମେ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିଲେ। ସ୍ବାଗତ ପାଇଁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଏକ ପ୍ରକାର ନିଜ ନିଜର ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଦ୍ବିତୀୟ ଥର ପାଇଁ ଆଜି ସେ ସର୍କିଟ ହାଉସ୍‌ରେ ପହଂଚିଥିଲେ। ନିର୍ଦ୍ଦି‌ଷ୍ଟ ଭାବେ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀର କେତେକ ବଛା ବଛା ନେତାଙ୍କୁ ‌ଡକାଯାଇଥିଲା। ମାତ୍ର ସମସ୍ତେ ନିଜ ନିଜ ଅନୁଗତଙ୍କ ସହିତ ସେଠାରେ ପହଂଚିଥିଲେ। ରେଢ଼ା‌ଖୋଲ, ରେଂଗାଲି, ସମ୍ବଲପୁର ପରେ ପରିଶେଷରେ କୁଚିଣ୍ଡା ବିଧାନସଭା କ୍ଷେତ୍ରର ଦଳୀୟ ସାଂଗଠନିକ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଇଂ.ରୋହିତ ପୂଜାରୀଙ୍କ ସହିତ ସମ୍ବଲପୁରର ଅନୁଗତ ଅଧିକ ଥିବା ରେଢ଼ାଖୋଲ ଅଂଚଳର ନେତାଙ୍କ ସଂଖ୍ୟା ଏକଦମ୍‌ କମ୍ ଥିଲା। ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ ସୁଦୃଢ଼ ପାଇଁ ସାଂଗଠନିକ ସଂପାଦକ ଶ୍ରୀ ଦାସ ଗୁରୁତ୍ବାରୋପ କରିଥିଲେ।

ଅନ୍ୟପକ୍ଷରେ ରେଂଗାଲି, ସମ୍ବଲପୁର ଓ କୁଚିଣ୍ଡା କ୍ଷେତ୍ରରେ ଉଭୟ ଗୋଷ୍ଠୀର ନେତାମାନେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିଥିଲେ। ତେବେ, ଅଭିଯୋଗ ଆଣିବା ଛାଡ଼ି ମିଳିମିଶି କାମ କଲେ ବିଜେଡି ସମ୍ବଲପୁର ଜିଲ୍ଲାର ୪ଟି ଯାକ ବିଧାନସଭା କ୍ଷେତ୍ର‌େର ଜିତିପାରିବା ବୋଲି ଶ୍ରୀ ଦାସ ସେମାନଙ୍କୁ କହିଥିଲେ। ଆଗାମୀ ନିର୍ବାଚନ ପାଇଁ ନବୀନ ପଟ୍ଟନାୟକଙ୍କ ଛଡ଼ା କାହାରି ଟିକଟ ଚୂଡ଼ାନ୍ତ ହୋଇନାହିଁ। କେତେକ ଲୋକ ମୋ ସହିତ ଭଲ ସଂପର୍କ ଥିବା ଦେଖାଇବା ପାଇଁ ଫଟୋ ଉଠାଇଛନ୍ତି। ଯଦି କାହା ସହିତ ମୋ ବ୍ୟକ୍ତିଗତ ସଂପର୍କ ଥିଲେ ବି ତାହା ଦଳୀୟ କାମରେ ଆସିବ ନାହିଁ ବୋଲି ଶ୍ରୀ ଦାସ କହିଥିଲେ। ବୈଠକରେ ଭଟଲି ବିଧାୟକ ସୁଶାନ୍ତ ସିଂହ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ରମେଶ ପଟୁଆ, ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ, ବିଜେଡି ମୁଖପାତ୍ର ସଂଜୟ ବାବୁ, ବରିଷ୍ଠ ନେତା ସଂଜିତ ମହାନ୍ତି, ଦେବେନ ପତି, ସତ୍ୟନାରାୟଣ ଅଗ୍ରୱାଲ, ଭୁବନେଶ୍ବର କିସାନ ପ୍ରମୁଖ ନେତା ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe