ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଦୁଇଦିନ ପରେ ଆଜି ବିଜେଡି ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଆହ୍ବାନକ୍ରମେ ଦଳୀୟ ନେତାମାନେ ଏକ ବୈଠକରେ ଏକାଠି ହୋଇଛନ୍ତି। ସମ୍ବଲପୁରମୁହାଁ ହୋଇଥିବା ରେଢ଼ାଖୋଲ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବିଧାନସଭା ଅଧିବେଶନ ଚାଲିଥିବାରୁ ସେ ଯୋଗଦେଇ ନଥିବା କହିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। କୁହାଯାଉଛି ଯେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ ଏହି ସଂଖ୍ୟା ଅଧିକ ଥିଲା। ଏହା ସମ୍ବଲପୁର ରାଜନୀତିକୁ ସରଗରମ କରି ରଖିଥିବା ବେଳେ ଆଜି ପୂର୍ବତନ ବିଧାୟିକା ରାସେଶ୍ବରୀଙ୍କ ଆହ୍ବାନକ୍ରମେ ଗଙ୍ଗାଧର ମଣ୍ଡପ ପଡ଼ିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୁବକମାନେ ସାମିଲ ହୋଇଥିଲେ। ବିଜେଡି ରାଜ୍ୟ ସାଧାରଣ ସଂପାଦକ ସିଦ୍ଧାର୍ଥ ଦାସ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଆର୍ତ୍ତତ୍ରାଣ ମିଶ୍ର, ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ଦଳୀୟ ମୁଖପାତ୍ର ସଂଜୟ ବାବୁ, କେନ୍ଦୁପତ୍ର କଲ୍ୟାଣ ବୋର୍ଡର ଉପଦେଷ୍ଟା ସଂଜିତ ମହାନ୍ତି ପ୍ରମୁଖ ନେତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ। ରାସେଶ୍ବରୀଙ୍କ ନିକଟତର କୁହାଯାଉଥିବା ବିଜେଡି ମହାନଗର ନିଗମ ସଭାପତି ସତୀଶ ବିଶି, ଜିଲ୍ଲା ଉପସଭାପତି ସୁମନ୍ତ୍ର ପଣ୍ଡା, ଦେବାଶିଷ ନନ୍ଦ, ସାଧାରଣ ସଂପାଦକ ଭୋଳାଶଙ୍କର ମହତ୍ତମ, ନିଶାନ୍ତ ବହିଦାର, ସୁରେନ୍ଦ୍ର ବିଶ୍ୱାଳ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସିଦ୍ଧାର୍ଥ ଦାସଙ୍କ ମଧ୍ୟ ବହୁ ସମର୍ଥକ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମ ଅବସରରେ ନେତାମାନେ କର୍ମୀମାନଙ୍କୁ ଏକଜୁଟ ହେବାକୁ ଏବଂ ଆଗାମୀ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନ ଯେମିତି ବିଜେଡି ହାତକୁ ଆସିବ, ସେନେଇ କାମ କରିବାକୁ ଆହ୍ବାନ ଦେଇଥିଲେ। ଏଥିସହିତ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଥିଲା। ଉଲ୍ଲେଖନୀୟ ବିଷୟ ହେଉଛି, ରାସେଶ୍ବରୀ ପାଣିଗ୍ରାହୀ ଓ ସିଦ୍ଧାର୍ଥ ଦାସଙ୍କ ଗୋଷ୍ଠୀ ମଧ୍ୟରେ ମଧ୍ୟରେ ଘନିଷ୍ଠତା ବଢ଼ୁଥିବା ଦେଖିବାକୁ ମିଳିଥିବା ବେଳେ ରୋହିତଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ବୈଠକକୁ ରୋହିତଙ୍କୁ ଡକା ଯାଇନଥିବା କର୍ମୀ ମହଲରେ ଆଲୋଚନା ହୋଇଥିଲା। ମାତ୍ର, ସେ ଏହାକୁ ଖଣ୍ଡନ କରିବା ସହିତ ବିଧାନସଭା ଅଧିବେଶନ ପାଇଁ ଭୁବନେଶ୍ବର ଥିବା କହିଛନ୍ତି।
Follow Us