ଓଡ଼ିଆ ଓ ଓଡ଼ିଶାର ବିକାଶରେ ମୋଦୀ ସରକାରଙ୍କ ଅବଦାନ ଅଧିକ: ସମୀର ମହାନ୍ତି

ଓଡ଼ିଆ ଓ ଓଡ଼ିଶାର ବିକାଶରେ ମୋଦୀ ସରକାରଙ୍କ ଅବଦାନ ଅଧିକ: ସମୀର ମହାନ୍ତି

ଫନି, ଅମ୍ଫାନ ବେଳେ ମୋଦୀ ଆଗୁଆ ସହାୟତା ଦେଇଛନ୍ତି
ମୋଦୀଙ୍କ ସମୟରେ ରେଳ ବିକାଶ ପାଇଁ ସର୍ବାଧିକ ଅନୁଦାନ ମିଳିଛି
କରୋନା ମୁକାବିଲାରେ କେନ୍ଦ୍ର ଲଗାତର ସହଯୋଗ କରି ଆସୁଛି

ଭୁବନେଶ୍ବର : କେନ୍ଦ୍ରରେ ମୋଦୀ ସରକାର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ କରିଛି। ଏହି ଗୋଟିଏ ବର୍ଷରେ ସରକାର କେନ୍ଦ୍ରୀୟ ସ୍ତରରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସମାନ ଢଙ୍ଗରେ ଓଡ଼ିଶା ପାଇଁ ମୋଦୀ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହା କି ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ମୋଦୀଙ୍କ ଫୋକସ୍‌ରେ ପୂର୍ବ ଭାରତ ରହିଛି। ଆଉ ପୂର୍ବ ଭାରତର ବିକାଶର ରୋଡ୍‌ମ୍ୟାପ୍‌ର କେନ୍ଦ୍ରରେ ଓଡ଼ିଶା ଅଛି। ଏହି ଗୋଟିଏ ବର୍ଷରେ ଓଡ଼ିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦୀ ସରକାରଙ୍କ ଅବଦାନ ଅତୁଳନୀୟ ଥିଲା ବୋ‌ଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ ଯେ ଫନି ମହାବାତ୍ୟା ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଅଗ୍ରିମ ଆକାରରେ ୩୪୧ କୋଟି ଟଙ୍କା ଦେଇଥିଲେ। ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଆସି ଆଉ ଏକ ହଜାର କୋଟି ଟଙ୍କା ଦେଲେ। ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ଆହୁରି ୩୩୩୮ କୋଟି ଟଙ୍କା ଓଡ଼ିଶାକୁ ମିଳିଲା। ସେହିପରି ଅମ୍ଫାନ ବାତ୍ୟା ପରେ ମୋଦୀ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଓଡ଼ିଶାକୁ ଦେଇଛନ୍ତି। ୨୦୧୪-୧୫ରୁ ୨୦୨୦-୨୧ ଭିତରେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ମିଳିଛି ୩,୬୮,୫୯୨ କୋଟି ଟଙ୍କା। ମୋଦୀ ସରକାରଙ୍କ ୬ ବର୍ଷରେ ଓଡ଼ିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଟଙ୍କା। କରୋନା ମୁକାବିଲା ପାଇଁ ଓଡ଼ିଶାକୁ ମୋଦୀ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଏବେ ସୁଦ୍ଧା ୧୭୮ଟି ଟ୍ରେନ୍ ମାଧ୍ୟମରେ ୩ ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରାଇ ଅଣାଯାଇଛି। ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ କେନ୍ଦ୍ର ସରକାର ଟିକେଟ୍‌ ମୂଲ୍ୟର ୮୫% ଅର୍ଥ ବହନ କରୁଛନ୍ତି। ଲକ୍‌ଡାଉନ୍ ସମୟରେ ପିଏମ୍‌ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୪ କୋଟି ହିତାଧିକାରୀଙ୍କୁ ୩ ମାସ ପାଇଁ ଆଗୁଆ ଚାଉଳ ଓ ଡାଲି ମିଳିଛି। ପିଏମ୍‌ କିଷାନ ଯୋଜନାରେ ଓଡ଼ିଶାର ୩୬.୨୮ ‌ଲକ୍ଷ କୃଷକଙ୍କ ଆକାଉଣ୍ଟ୍‌କୁ ଏହି ଲକ୍‌ଡାଉନ୍‌ ସମୟରେ ୨ ହଜାର ଟଙ୍କା ଲେଖାଏ ଦିଆଯାଇଛି। ଓଡ଼ିଶାର ୨୮ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ୪୭.୪୭ ଲକ୍ଷ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍‌ ସିଲିଣ୍ଡର୍‌ ଦିଆଯାଇଛି। ସେହିପରି ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ରାଜ୍ୟରେ କୋଭିଡ୍‌ ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ଦିଆଯାଇଛି। କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ଯୋଜନାରେ ଓଡ଼ିଶା ପାଇଁ ଅନେକ ସୁଯୋଗ ଅଛି।

ଚଳିତ ବର୍ଷ ୨୦୨୦ରେ ପଦ୍ମ ପୁରସ୍କାରରେ ଓଡ଼ିଶାରୁ ୧୨ ଜଣ ଓଡ଼ିଆ ସମ୍ମାନିତ ହୋଇଛନ୍ତି, ଯାହା କି ଏକ ରେକର୍ଡ। ମୋଦୀଙ୍କ ସମୟରେ ଓଡ଼ିଶାରୁ ୩ ଜଣ ରାଜ୍ୟପାଳ, ପ୍ରଥମ ଓ ଦ୍ବିତୀୟ ଉଭୟ ସରକାରରେ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ, ଓଡ଼ିଶାରୁ ପ୍ରଥମ ଥର ପାଇଁ ଦୁଇ ମନୋନୀତ ରାଜ୍ୟସଭା ସଦସ୍ୟ ଏବଂ ଓଡ଼ିଆ ଘରର ମାଣବସା, ଛଉ ନାଚ ଓ ରାବଣ ଛାୟାକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ଦେବା ଓଡ଼ିଶା ପାଇଁ ଗର୍ବର କଥା ବୋଲି ଶ୍ରୀ ମହାନ୍ତି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା‌ ଷଡ଼ଙ୍ଗୀ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ମହାପାତ୍ର, ଦିଲ୍ଲୀପ ମହାନ୍ତି ଓ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe