ଅରୁଣ ସାହୁଙ୍କୁ ବିଜେପି ଓ କଂଗ୍ରେସର ଟାର୍ଗେଟ୍‌: ଚିନିକଳ ବନ୍ଦ ପଛରେ ଅଛନ୍ତି ପ୍ରଭାବୀ ନେତା

‘ସରପଞ୍ଚ, ଶ୍ରମିକଙ୍କୁ ଲଗାଇ ସବୁବେଳେ ଅଶାନ୍ତି କଲେ’

୨–୨ରେ ବାଣ୍ଟି ନେଲେ ବିଜେଡି-ବିଜେପି: ୪୩୯ ଖଣ୍ଡରେ ଜିତିଲେ ଅରୁଣ

ନୟାଗଡ଼: ୨୦୦୨ ନୟାଗଡ଼ ବିଧାନସଭା ଆସନ ଉପନିର୍ବାଚନରେ ନୟାଗଡ଼ ଚିନିକଳ ପ୍ରସଙ୍ଗ ଜୋର୍‌ ଧରିଲା, ଚିନିକଳ ଚଳାଇଲେ ଆମେ ଭୋଟ୍‌ ଦେବୁ ବୋଲି ଗାଁଗାଁରେ ସ୍ବର ଉଠିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମ୍ମତ୍ତି ଜଣାଇଲେ। ଉପନିର୍ବାଚନରେ ସ୍ବର୍ଗତ ଭାଗବତ ବେହେରାଙ୍କ ପତ୍ନୀ ମନ୍ଦାକିନୀ ବିପୁଳ ଭୋଟ୍‌ରେ ବିଜୟୀ ହେଲେ। ସରକାର ତାଙ୍କ କଥା ରଖି ଅଚଳ ନୟାଗଡ଼ ସମବାୟ ଚିନିକଳ ଚଳାଇବାକୁ ଉଦ୍ୟମ ଆରମ୍ଭ କଲେ। କିନ୍ତୁ ଏନେଇ ୪ ଥର ଟେଣ୍ଡର ଡକାଯିବା ପରେ ସାରା ଦେଶରୁ କେହି ଭାଗ ନେଲେ ନାହିଁ। ବାଧ୍ୟ ହୋଇ ତତ୍‌କାଳୀନ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ମୋ ନିକଟକୁ ଖବର ଆସିବା ପରେ ଚିନିକଳ ଦାୟିତ୍ବ ୫ କୋଟି ୨୨ ଲକ୍ଷ ଟଙ୍କା ବିନିମୟରେ ନେଇଥିବା କହିଛନ୍ତି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର। ପ୍ରାୟ ଏକ ଦଶନ୍ଧି ଧରି ନୟାଗଡ଼ ଚିନିକଳ ବନ୍ଦ ପଡ଼ିଥିବା ବେଳେ ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଚିନିକଳ ପ୍ରସଙ୍ଗ ଜୋର୍‌ ଧରିଲାଣି।

ଏଭଳି ସ୍ଥିତିରେ ତ୍ରୈଲୋକ୍ୟ କହିଛନ୍ତି, ଅଚଳ ନୟାଗଡ଼ ଚିନିକଳକୁ ମାତ୍ର ୪ ମାସରେ ମୁଁ କାର୍ଯ୍ୟକ୍ଷମ କରାଇଥିଲି। ଚାଷୀଙ୍କ ବିପୁଳ ସହଯୋଗ ପାଇଁ ପ୍ରତିବର୍ଷ ଉତ୍ପାଦନ ବଢ଼ିବା ସହିତ ବିଭିନ୍ନ ରାଜ୍ୟରୁ ଉନ୍ନତମାନର ବିହନ ଆଣି ଯୋଗାଉଥିଲୁ। ମୋର ଲୋକପ୍ରିୟତା ବଢ଼ିବା କାରଣରୁ ମୁଁ କାଳେ ବିଧାୟକ ହେବି, କୃଷି ମନ୍ତ୍ରୀ ଆଦି ‌ହେବି ବୋଲି ଛାପା ଗଣମାଧ୍ୟମରେ ଚର୍ଚ୍ଚା ହେଲା। ଫଳରେ ୨୦୦୯ ପରଠାରୁ ନୟାଗଡ଼ର ପ୍ରଭାବୀ ନେତାଙ୍କର ମୋ ପ୍ରତି ଅସହିଷ୍ଣୁ ମନୋଭାବ ବଢ଼ିଲା। ଜନୈକ ସରପଞ୍ଚ, ଶ୍ରମିକ ପ୍ରମୁଖଙ୍କୁ ନେଇ ଚିନିକଳରେ ନିତି ବନ୍ଦ, ଧାରଣା ଭଳି କାର୍ଯ୍ୟ କରାଇଲେ, ଯାହା କାମ କରିବାରେ ବାଧା ସୃଷ୍ଟି କଲା। ଚିନିକଳ ପାଇଁ ମୁଁ କାଳେ ରାଜନୀତିରେ ପଶିବି ନୟାଗଡ଼ର ସେହି ପ୍ରଭାବୀ ‌ନେତା ମତେ ବିଦା କରିବା ପାଇଁ ଚକ୍ରାନ୍ତ କରି ସଫଳ ହେଲେ।

ଚିନିକଳ ଚଳାଇବାକୁ ବର୍ଷ ବର୍ଷ ଧରି ଆନ୍ଦୋଳନ କରିଆସୁଥିବା ବିଜେପି ତଥା ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟିର ମୁଖ୍ୟ ସନ୍ତୋଷ ପ୍ରଧାନ କହିଛନ୍ତି, ନୟାଗଡ଼ ବିଧାୟକ ଅରୁଣ ସାହୁ ହେଉଛନ୍ତି ସେହି ପ୍ରଭାବୀ ନେତା, ଯାହାଙ୍କ ପାଇଁ ନୟାଗଡ଼ ଚିନିକଳ ବନ୍ଦ ହୋଇଛି। ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ ମଧ୍ୟ ସମାନ କଥା କହିଛନ୍ତି। ଶ୍ରୀ ଦାଶ ଆଜି ଚିନିକଳ ପରିସର ପରିଦର୍ଶନ କରିବା ସହିତ ଚିନିକଳ ମଧ୍ୟରୁ ବହୁ ଯନ୍ତ୍ରାଂଶ ନିତି ଚୋରି ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀ ଦାଶ କହିଛନ୍ତି, ତତ୍‌କାଳୀନ ସ୍ଥାନୀୟ ଅଞ୍ଚଳର ସରପଞ୍ଚ, ବ୍ଲକ୍‌ ବିଜେଡି ସଭାପତିଙ୍କୁ ନେଇ ନୟାଗଡ଼ ବିଧାୟକ ଅରୁଣ ସାହୁ ବାରମ୍ବାର ଚିନିକଳରେ ଅଶାନ୍ତି ସୃଷ୍ଟି କଲେ। ‌ଶେଷରେ ଚିନିକଳ ବନ୍ଦ ହେଲା। ବନ୍ଦ ପରେ ମଧ୍ୟ ତାଙ୍କ ରାଗ ଶାନ୍ତି ହୋଇନାହିଁ, ଏବେ ଚିନିକଳରୁ ଚୋରି ହେଉଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ, ସେ ଏଭଳି ଅସାମାଜିକ କାମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe