ଭୁବନେଶ୍ବର : ଭୁବନେଶ୍ବର ଓ କଟକ ସହରରୁ ବିଜେପିର ହୋର୍ଡିଂ ଓ ବିଜ୍ଞାପନକୁ ହଟାଇବା ନେଇ କ୍ଷୁବ୍ଧ ହୋଇଛି ବିଜେପି। ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ(ସିଇଓ) ନିକଟରେ ଅଭିଯୋଗ କରିଛନ୍ତି। ବିଜେଡି ସରକାରର ଚାପରେ ବିଏମ୍ସି ଓ ସିଏମ୍ସି କର୍ତ୍ତୃପକ୍ଷ ବେଆଇନ ଭାବେ ହୋର୍ଡିଂ କାଢ଼ୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।
ବିଜେପି ପ୍ରତିନିଧି ଦଳର ନେତୃତ୍ବ ନେଇଥିବା ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି। ସେହି ଭୟରେ ଏବେ ମିଛ ଅଭିଯୋଗକୁ ବିଜେଡି ଭରସା କରିଛି। ବିଜେଡି ଜୋର ଜବରଦସ୍ତି ବିଏମ୍ସି ଓ ସିଏମ୍ସି କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଯେଉଁ ହୋର୍ଡିଂ ହଟାଉଛି, ତାହା କୌଣସି ସରକାରୀ ରାଜକୋଷର ପାଣ୍ଠିରୁ ଲାଗିନି। ତାହା ବିଜେପିର ନିଜସ୍ବ ପାଣ୍ଠିରୁ ବହନ କରାଯାଉଛି। ବିଏମ୍ସି ଓ ସିଏମ୍ସି ପରି ସରକାରୀ ସଂସ୍ଥା ଏବେ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ପାଇଁ କାମ କରୁଛନ୍ତି। ତେଣୁ ରାଜ୍ୟ ନିର୍ବାଚନ ଅଧିକାରୀ ଏହାକୁ ଗୁରୁତର ସହ ନେବା କଥା। ଉଚ୍ଛେଦ ହୋଇଥିବା ହୋର୍ଡିଂ ଅର୍ଥକୁ ଫେରସ୍ତ କରିବା ସହ ସେଠାରେ ପୁଣି େହାର୍ଡିଂ ଲଗାଇବାକୁ ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ଜଗନ୍ନାଥ ପ୍ରଧାନ, ଟଙ୍କଧର ତ୍ରିପାଠୀ, ଜୟନ୍ତ ଜେନା, ସତ୍ୟବ୍ରତ ନାୟକ, ବିଶ୍ବରଞ୍ଜନ ପଟ୍ଟନାୟକ, ବିଜୟ ସିଂହ, ପଞ୍ଚାନନ ନାୟକ ଓ ଦୀପକ ଗୋଚ୍ଛାୟତ ସାମିଲ ହୋଇଥିଲେ।
Follow Us