ବରଗଡ଼/ପଦ୍ମପୁର: ୨୦୨୧ ମସିହାରେ ପଦ୍ମପୁର ଉପଖଣ୍ଡ ମରୁଡ଼ିର ଶିକାର ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ଇନପୁଟ ସବ୍ସିଡି ମିଳିପାରିଲା ନାହିଁ। ରାଜ୍ୟ ସରକାର ଏହି ବାବଦକୁ ଅର୍ଥ କେବେ ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ମୁକେଶ ମହାଲିଂଗ ପ୍ରଶ୍ନ ରଖିଛନ୍ତି। ପୂର୍ବରୁ ବିଧାନସଭାରେ ବିଜେପି ବିଧାୟକମାନେ ଏହି ପ୍ରସଂଗ ଉଠାଇଥିଲେ। ସେତେବେଳେ ରାଜସ୍ୱ ମନ୍ତ୍ରୀ ୨୦୨୧ରେ ମରୁଡ଼ି ହୋଇନାହିଁ କିମ୍ବା କୌଣସି ଚାଷୀଙ୍କୁ ଇନ୍ପୁଟ ସବ୍ସିଡି ଦିଆଯିବ ନାହିଁ ବୋଲି କହିଥିଲେ। ଏବେ ରାଜ୍ୟ ସରକାର ଯେଉଁ ସବ୍ସିଡି ଘୋଷଣା କରିଛନ୍ତି, ତାହା ଯଦି ସତ, ସରକାର ଚାଷୀମାନଙ୍କ ତାଲିକା ପ୍ରକାଶ କରି ପଦ୍ମପୁରର କେଉଁ ଚାଷୀ କେତେ ଟଙ୍କା ପାଇପାରିବେ ତାହା ସୂଚନା ଦିଅନ୍ତୁ ବୋଲି ଶ୍ରୀ ମହାଲିଂଗ ଦାବି କରିଛନ୍ତି।
ଶ୍ରୀ ମହାଲିଙ୍ଗ କହିଛନ୍ତି, ଯେ ଓଡ଼ିଶାରେ ଇନ୍ପୁଟ୍ ସବ୍ସିଡି ସହାୟତା ରାଶି ଦେଶରେ ଅନ୍ୟ ରାଜ୍ୟ ତୁଳନାରେ କମ୍ । ବିଜେପି ଶାସନାଧୀନ କର୍ଣ୍ଣାଟକରେ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ଇନ୍ପୁଟ୍ ସବ୍ସିଡି ୧୩, ୬୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୨୫ହଜାର ଟଙ୍କା ମିଳୁଥିବା ବେଳେ ଓଡ଼ିଶାରେ ଏହା ଯଥାକ୍ରମେ ୬, ୮୦୦ ଓ ୧୩,୫୦୦ଟଙ୍କା। ଓଡ଼ିଶାରେବିଜେଡି ଚାଷୀଙ୍କ ପାଇଁ ଆଦୌ ଦରଦୀ ନୁହ ବୋଲି ଏଥିରୁ ସ୍ପଷ୍ଟ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ 'ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଆର୍ଶୀବାଦ କରୁଛନ୍ତି' ବୋଲି ଗତକାଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ପଦ୍ମପୁର ଉପରେ ବାବା ନୃସିଂହନାଥ ଓ ହରିଶଙ୍କରଙ୍କ ଆର୍ଶୀବାଦ ଅଛି। ମୁଖ୍ୟମନ୍ତ୍ରୀ କ'ଣ ନୃସିଂହନାଥ, ହରିଶଙ୍କରଙ୍କ ଠାରୁ ବେଶୀ ଶକ୍ତିଶାଳୀ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନୀଲ ବିଶ୍ୱାଳ ଏବଂ କ୍ଷେତ୍ରୀୟ ମିଡିଆ ସଂଯୋଜକ ମାନସ ବକ୍ସି ଉପସ୍ଥିତ ଥିଲେ।
Follow Us