ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି, ‘କୃଷି କମିସନ ରିପୋର୍ଟ କାହିଁ?’

Advertisment
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି, ‘କୃଷି କମିସନ ରିପୋର୍ଟ କାହିଁ?’

ଭୁବନେଶ୍ବର : କାଳିଆ ଯୋଜନା ପାଇଁ କମିସନ ଗଠନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ବିଜେପିର କହିବା କଥା ଯେ ୨୦୧୦ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର କୃଷି କମିସନ ବସାଇଥିଲେ। ୨୦୧୨ରେ କମିସନ ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇଥିଲେ। ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି। କାହିଁକି ରାଜ୍ୟ ସରକାର କମିସନଙ୍କ ସୁପାରିସ୍‌କୁ କାର୍ଯ୍ୟକାରୀ କଲେ ନାହିଁ ବୋଲି ପଚାରିଛି ବିଜେପି।

ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚା ସାଧାରଣ ସଂପାଦକ ସୁରଥ ବିଶ୍ବାଳ ଏହି ପ୍ରଶ୍ନ ଓ ପ୍ରସଙ୍ଗ ଉଠାଇଥିଲେ। ନବୀନ ସରକାର ଓଡ଼ିଆ ଚାଷୀଙ୍କୁ ଧୋକ୍କା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏହା ସହିତ କାଳିଆ ଯୋଜନା ପ୍ରସଙ୍ଗ ଯୋଡ଼ି ସେ କହିଥିଲେ, ଚାଷୀଙ୍କ ଆକ୍ରୋଶରୁ ବର୍ତିବା ପାଇଁ ବିଜେଡି ତା’ର ନିର୍ବାଚନ ଇସ୍ତାହାରରେ କାଳିଆ କମିସନ କରାଯିବ ବୋଲି ଘୋଷଣା କରିଛି। କମିସନକୁ ବିଜେପି ବିରୋଧ କରୁନାହିଁ। କିନ୍ତୁ ସରକାର ବର୍ତମାନ ସୁଦ୍ଧା କାଳିଆ ଯୋଜନାରେ ହିତାଧିକାରୀ ତାଲିକା ଦେଲେ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲା ପରେ ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ପିଏମ୍‌-କିଷାନ ସମ୍ମାନ ନିଧି ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭକୁ ଚାଷୀଙ୍କ ପାଖରେ ପହଞ୍ଚିବ। ପ୍ରତ୍ୟେକ ଚାଷୀଙ୍କ ଦ୍ବାର ମୁହଁରୁ ଧାନ ସଂଗ୍ରହ ପାଇଁ ଭ୍ରାମ୍ୟମାଣ ଧାନ କ୍ରୟ ଯାନର ବ୍ୟବସ୍ଥା କରାଯିବ। ୬୦ ବର୍ଷ ବୟସ ପରେ କୃଷି ଶ୍ରମିକ, ଭୂମିହୀନ କୃଷକ, ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନ୍‌ସନ୍‌ ପ୍ରଦାନ କରାଯିବ। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ଏକ ‘ଚାଷୀ କଲ୍ୟାଣ କୋଷ’ ପ୍ରତିଷ୍ଠା, ଭାଗଚାଷୀଙ୍କ ପାଇଁ ଆଇନ, ଆଗାମୀ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ସବୁ କ୍ଷେତକୁ ପାଣି, ବିହନ କିଣାରେ ରିହାତି, ପ୍ରତି ଗ୍ରାମ ପଞ୍ଚାୟତରେ ଶସ୍ୟ ସଂରକ୍ଷଣ ଭଣ୍ଡାର, ଶୀତଳୀକରଣ ଶୃଙ୍ଖଳା ବ୍ୟବସ୍ଥା ଆଦି କରାଯିବ ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ଏହି ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe