ପଦ୍ମପୁର ଉପନିର୍ବାଚନ: ଭୋଟ୍ ଦେଲେ ବିଜେଡି ଓ ବିଜେପି ପ୍ରାର୍ଥୀ

Advertisment
ପଦ୍ମପୁର ଉପନିର୍ବାଚନ: ଭୋଟ୍ ଦେଲେ ବିଜେଡି ଓ ବିଜେପି ପ୍ରାର୍ଥୀ

ବରଗଡ଼/ପଦ୍ମପୁର/ପାଇକମାଳ: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସକାଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବର୍ଷା ସିଂ ବରିହା ଲାଇନରେ ଛିଡ଼ା ହୋଇଥିଲେ। ତାପରେ ସେ ୨୧୩ ନଂ ବୁଥରେ ଭୋଟ ଦେଇଥିଲେ। ଏହାପରେ ସେ କହିଛନ୍ତି, ପଦ୍ମପୁରର ବିକାଶ ପାଇଁ ସମସ୍ତେ ଭୋଟ ଦିଅନ୍ତୁ।

publive-image

ଏଣେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ଧର୍ମପତ୍ନୀ, ମା ଓ ଦୁଇ ପୁତୁରାଙ୍କ ସହ ଲମ୍ବା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ଏହାପରେ ସେ ୧୨୮ ନଂ ବୁଥରେ ଭୋଟ ଦେଇଥିଲେ। ପଦ୍ମପୁରବାସୀଙ୍କ ଭିତରେ ବି ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି। ଭୋଟ ଦେବା ପରେ ସେ ଖୁବ୍ ଉତ୍ସାହିତ ଥିବା କହିଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହି ହାଇଭୋଲଟେଜ୍ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନି ବ୍ଲକର ମୋଟ ୨ ଲକ୍ଷ ୬୯ ହଜାରରୁ ଅଧିକ ମତଦାତା। ଭୋଟଗ୍ରହଣକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ପ୍ରଶାସନ ଲାଗିପଡିଥିବା ବେଳେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି-ବିଜେପି ଭିତରେ ଛକାପଞ୍ଝା ତଥାପି ଜାରି ରହିଛି।
ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିଂ ଟିମ୍ଗୁଡ଼ିକ ଗତକାଲିଠାରୁ ନିଜ ନିଜ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପହଞ୍ଚି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ଏଥର ୩୧୯ଟି ବୁଥ୍ରେ ୨,୬୯,୩୨୬ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ୧,୩୦,୩୩୧ ଜଣ ପୁରୁଷ, ୧,୨୮,୯୮୧ ଜଣ ମହିଳା ଓ ୧୪ ଜଣ ତୃତୀୟ ଲିଂଗୀ ଭୋଟର୍ ରହିଛନ୍ତି।
ନିର୍ବାଚନମଣ୍ତଳୀରେ ସମୁଦାୟ ୩୧୯ଟି ବୁଥ୍ରୁ ୪୬ଟି ମାଓ ଅଧ୍ୟୁଷିତ ଇଲାକାରେ ରହିଛି। ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍ ବୁଥ୍ ରହିଛି। ଏହି ବୁଥ୍ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସିସିଟିଭି ଓ ୱେବ୍ କ୍ୟାମେରା ବ୍ୟବହାର ସହ ବୁଥ୍ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିଛନ୍ତି। ମୋଟ ୩୧୯ଟି ବୁଥ୍ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଛନ୍ତି। ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ନିର୍ବାଚନମଣ୍ଡଳୀର ପ୍ରତି ବ୍ଲକ୍ରେ ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ଗ୍ରହଣ କେନ୍ଦ୍ର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe