ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ପରସ୍ପର ପ୍ରତି ଆକ୍ଷେପ କରିବା ସହ ଅଶାଳୀନ ଟିପ୍ପଣୀ ଦେବାକୁ ନେଇ ପୁଣି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି।
ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି। କିନ୍ତୁ ଚଳିତ ଥର ସେ ସମସ୍ତ ସୀମା ପଦ୍ମପୁରରେ ଉଲ୍ଲଂଘନ କରିଛନ୍ତି। ମହିଳା ଜାତି ପାଇଁ ଯେଉଁ କୁତ୍ସିତ ବକ୍ତବ୍ୟ ଦେଇଛନ୍ତି ତାକୁ ଆମେ ନିନ୍ଦା କରୁଛୁ ଏବଂ ତାହା ଦୁର୍ଭାଗ୍ୟଜନକ ତାଙ୍କ ବକ୍ତବ୍ୟ ଅତ୍ୟନ୍ତ ନିମ୍ନମାନର ସମଗ୍ର ମହିଳା ଜାତି ପାଇଁ ଘୃଣ୍ୟ। ଜଣେ ଆଇନ ପ୍ରଣେତାଙ୍କଠାରୁ ଏହା ଆଶା କରାଯାଇ ନପାରେ। ନିର୍ବାଚନ ଆସେ ଏବଂ ଯାଏ ନିଜ ଉଚ୍ଚାରଣ ଏବଂ ଆଚରଣ ଭିତରେ ସାମଞ୍ଜସ୍ୟ ନ ଆଣିଲେ ଲୋକେ କେବେ ପସନ୍ଦ କରିବେ ନାହିଁ।
ସେ ଆହୁରି କହିଛନ୍ତି, ଆମେ ପେନ ଡ୍ରାଇଭ ପ୍ରମାଣସ୍ୱରୂପ ଦେଇଛୁ। ସିଇଓଙ୍କଠାରୁ ଆଶା କରୁ ଉପନିର୍ବାଚନ ପ୍ରଚାରରୁ ତାଙ୍କୁ କ୍ଷାନ୍ତ କରିବେ।
ଏଣେ ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ଦଳର ନେତା ଓ ମନ୍ତ୍ରୀଙ୍କ ଗୁଣ୍ଡାଗର୍ଦି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରତିହିଂସା ସ୍ୱରୂପ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରୁଛି। ଆଇନଶୃଙ୍ଖଳା ବୋଲି ପଦ୍ମପୁରରେ ଆଉ କିଛି ନାହିଁ। ୧୫ରୁ ଉର୍ଦ୍ଧ୍ବ ମନ୍ତ୍ରୀ ଗୁଣ୍ଡାଗର୍ଦି କରିବା ସହ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଆକ୍ରମଣ କରୁଛନ୍ତି। ବିଜେପି କର୍ମୀମାନଙ୍କୁ ଆକ୍ରମଣ କରି ସେମାନଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି। ଥାନାରେ ଏତଲା ଦେବା ପରେ ମଧ୍ୟ ପୁଲିସ ଆକ୍ରମଣକାରୀଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଉ ନାହିଁ। ଯଦି ମନ୍ତ୍ରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତେବେ ଆଗାମୀ ଦିନରେ ବିଜେପି ଏ କଥାକୁ ବିଧାନସଭାରେ ଉଠାଇବା ସହ ବାଚସ୍ପତିଙ୍କ ନିକଟରେ ଫେରାଦ ହେବ। ବିଜେଡ଼ି ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ା ଅଞ୍ଚଳରୁ ଗୁଣ୍ଡା ଆଣି ପଦ୍ମପୁରରେ ଲଗାଇଛନ୍ତି। ବିଜେପି କର୍ମୀଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଛନ୍ତି। ବିଧାୟକ ମନୋହର ରନ୍ଧାରୀ ମଧ୍ୟ ଲୋକଙ୍କୁ ଖୁଲମଖୁଲ୍ଲା ଭାବେ ଧାନ କଟା ଦାଆ ଓ କମ୍ବଳ ବାଣ୍ଟୁଛନ୍ତି। ଏହାକୁ ନେଇ ବିଜେପି ଅଭିଯୋଗ କଲା ପରେ ମଧ୍ୟ କୌଣସି ଆକ୍ସନ ନିଆଯାଉନାହିଁ। ପୁଲିସ ସରକାରୀ ଦଳକୁ ସୁହାଇଲା ଭଳି କାମ କରୁଛି।
ତେଣୁ ପଦ୍ମପୁର ଉପନିର୍ବାଚନରେ ସେଣ୍ଟ୍ରାଲ ଫୋର୍ସକୁ ନିୟୋଜିତ କରିବା ପାଇଁ ସିଇଓଙ୍କ ପାଖରେ ଦାବି କରିଛି ବିଜେପି। ସିଇଓ କାଠକଣ୍ଢେଇ ଭଳି କାମ କରୁଛନ୍ତି ଏବଂ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି। ବିଜେଡି ପାଇଁ କାମ କରୁଛନ୍ତି ସିଇଓ ବୋଲି ବିଜେପି ଅଭିଯୋଗ କରିଛି। ପୂର୍ବରୁ ମନ୍ତ୍ରୀ ରୋହିତ ପୂଜାରୀ ଏବଂ ରାଜେନ୍ଦ୍ର ଢୋଲକିଆ ମଧ୍ୟ ନିର୍ବାଚନ ଆଚାରଣ ବିଧି ଉଲ୍ଲଂଘନ କରିଥିଲେ। ହେଲେ ତାଙ୍କ ଉପରେ ସିଇଓ ଏବେ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us