ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ବିଜେପି-ବିଜେଡି କଥା କଟାକଟି

ସୋମବାର କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ

Republic World

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ‌ରେ ବିଜେଡିର ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କହିଥିଲେ, ବିରୋଧୀ ଦଳ ବିଶେଷ କରି ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଯଦି ଅସମ୍ମାନ କରାଯିବ ତାକୁ କେବେ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ।

ଆଜି ଏହା ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ରଖି କହିଛନ୍ତି, ଆମେ ପଦ୍ମପୁର ଉପନିର୍ବାଚନର ଜନାଦେଶକୁ ସ୍ୱୀକାର କରୁଛୁ। ଯିଏ ଜିତେ, ସ୍ୱାଭାବିକ ଭାବେ ତାଙ୍କ ମନ ଖୁସି ଥାଏ। ସେ ଟିକେ ବଢ଼ି ଚଢ଼ି କହିବା ସ୍ୱାଭାବିକ। ମାତ୍ର ପଦ୍ମପୁର ଉପନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ଦେଇଥିବା ଲୋକମାନେ ଭୁଲିବା ଉଚିତ୍ ନୁହେଁ, ବିଜେପି ଏହି ଉପନିର୍ବାଚନରେ ୭୮ ହଜାର ଭୋଟ୍ ପାଇଛି। ଏହାର ଅର୍ଥ କ’ଣ ଏହି ଭୋଟରେ ମହିଳାମାନେ ବିଜେପିକୁ ଭୋଟ୍ ଦେଇନାହାନ୍ତି? ଗଣତନ୍ତ୍ରର ସର୍ତ୍ତ ହେଲା ଲୋକମାନେ ପକ୍ଷ ଓ ପ୍ରତିପକ୍ଷ ନିଜ ନିଜ ପସନ୍ଦକୁ ନେଇ ଲୋକଙ୍କ ପାଖକୁ ଯିବେ ଏବଂ ଲୋକମାନେ ଯାହା ପସନ୍ଦ କରିବେ। ବିଜେପି ତା’ର ରାଜନୈତିକ ଏଜେଣ୍ଡା ନେଇ ଲଢୁଛି। ଓଡ଼ିଶାର ବିକାଶ ପାଇଁ ଓଡ଼ିଆ ଲୋକମାନେ ନରେନ୍ଦ୍ର ମୋଦୀଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି। ମୋଦୀ ଦେଶରେ ମହିଳା ସଶକ୍ତୀକରଣର ସବୁଠୁ ବିଶ୍ୱସନୀୟ ବ୍ୟକ୍ତି। ଅପରପକ୍ଷରେ ଓଡ଼ିଶା ବିଧାନସଭାରେ ସରକାରୀ ଦଳ ତରଫରୁ ବିବୃତି ଆସିଛି, ବିଗତ ୩ ବର୍ଷରେ ମହିଳା ମାନଙ୍କ ଉପରେ ଅତ୍ୟାଚାରର ସଂଖ୍ୟା ବଢିଛି । ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେବାରେ ଓ ସେମାନଙ୍କୁ ସଶକ୍ତୀକରଣ କରିବାରେ ଭାରତ ସରକାର ଦେଉଥିବା ଅର୍ଥର ଠିକ ବିନିଯୋଗ ହେଉ, ଏହା ଆମର ଅପେକ୍ଷା।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ୍ ଦେଇ ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଦେଶରେ ସାଧାରଣ ଜୀବନରେ ମହିଳାଙ୍କ ଭାଗିଦାରିତା ଯଥେଷ୍ଟ କମ୍। ଜଣେ ମହିଳାଙ୍କ ପ୍ରତି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦିଆଯିବା ଅନ୍ୟ ମହିଳାମାନଙ୍କୁ ସାଧାରଣ ଜୀବନରୁ ଦୂରେଇ ଦେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହିଳାଙ୍କୁ ଅସମ୍ମାଜନକ ମନ୍ତବ୍ୟ ନ ଦେବା ଲାଗି ବିଜେପି ନେତାମାନଙ୍କୁ ଆହ୍ବାନ କରିଥିଲେ। ବିଜେଡିର ସଭାପତି ଭାବେ ନୁହେଁ, ମୁଖ୍ୟମନ୍ତ୍ରୀଭାବେ ଗତ ଦୁଇ ଦଶନ୍ଧି ଧରି ରାଜ୍ୟର ଲୋକମାନଙ୍କ ଭରସା ଜିତି ଆସୁଛନ୍ତି। ତାଙ୍କ ମନ୍ତବ୍ୟର ରାଜନୀତି ସହିତ କୌଣସି ସଂପର୍କ ନାହିଁ। ଏହା ଜଣେ ମହିଳାର ସମ୍ମାନ ପ୍ରସଙ୍ଗ। ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବୁଝିବା ଦରକାର। ଏହାକୁ ଏକ ରାଜନୈତିକ ମନ୍ତବ୍ୟଭାବେ ବିଚାର ନ କରି ସାଧାରଣ ଜୀବନରେ ପ୍ରବେଶ କରୁଥିବା ଜଣେ ମହିଳାର ସମ୍ମାନ ବୋଲି ବିଚାର କରିବା ଆବଶ୍ୟକ।

ସସ୍ମିତଙ୍କ ମନ୍ତବ୍ୟର ଜବାବ୍ ଦେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବିଜେଡି ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନା ଠିକରେ ଶୁଣିଛନ୍ତି ନା ଠିକରେ ବୁଝିବା ପାଇଁ ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଗୃହ ବିଭାଗ ରହିଛି। ମା’ଙ୍କୁ ସମ୍ମାନର ନାରା ଦେଉଥିବା ବିଜେଡ଼ି ସରକାରରେ ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚିଥିବା ବିଧାନସଭା ତଥ୍ୟ କହୁଛି ଓ ରାଜ୍ୟବାସୀଙ୍କ ସାମ୍ନାରେ ରହିଛି। ଖୋଦ୍ ବିଜେଡି ଦଳର ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓଡ଼ିଶାର ମା’ ଓ ଭଉଣୀ ଏବଂ ଶିଶୁ ନିଖୋଜ ଉପରେ ପଚାରିଥିବା ପ୍ରଶ୍ନରେ ରାଜ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଇଥିବା ଉତ୍ତର ଚିନ୍ତାଜନକ। ନାରୀ ନିର୍ଯାତନା ପାଇଁ ଓଡ଼ିଶା ସଦାବେଳେ ଅପବାଦ ମୁଣ୍ଡାଇ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe