Advertisment

ସୋରରେ ଥମୁନି ବିଜେପିର ପ୍ରାର୍ଥୀ ପରିବର୍ତ୍ତନ ଝଡ଼: କାର୍ଯ୍ୟକର୍ତ୍ତାଙ୍କ ସାମୂହିକ ଇସ୍ତଫା ଧମକ

Advertisment

ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲଙ୍କୁ ଦେଲେ ଦାବିପତ୍ର, ୨୫ ଦିନ ହେଲା ପ୍ରଚାର କରିପାରୁନାହାନ୍ତି ପ୍ରାର୍ଥୀ

ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲଙ୍କୁ ଦେଲେ ଦାବିପତ୍ର, ୨୫ ଦିନ ହେଲା ପ୍ରଚାର କରିପାରୁନାହାନ୍ତି ପ୍ରାର୍ଥୀ

ସୋରରେ ଥମୁନି ବିଜେପିର ପ୍ରାର୍ଥୀ ପରିବର୍ତ୍ତନ ଝଡ଼: କାର୍ଯ୍ୟକର୍ତ୍ତାଙ୍କ ସାମୂହିକ ଇସ୍ତଫା ଧମକ

ସୋର: ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ଦାବି ନେଇ ବିଜେପିରେ କୁହୁଳୁଥିବା ଅସନ୍ତୋଷ କ୍ରମଶଃ ତେଜିବାରେ ଲାଗିଛି। ନିର୍ବାଚନକୁ ଆଉ ୨୫ ଦିନ ବାକିଥିବା ବେଳେ ବିଜେଡି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିସାରିଲେଣି। ହେଲେ ବିଜେପି ଏକପ୍ରକାର ସୁପ୍ତ ଅବସ୍ଥାକୁ ଚାଲିଆସିଛି। ଦଳୀୟ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସଙ୍କ ନାଁ ବିଜେପି ଘୋଷଣା କରିବାର ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। କିନ୍ତୁ ଏଯାଏ ସେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିଲେନି। ଅନ୍ୟପକ୍ଷରେ ପ୍ରାର୍ଥୀ ପରିବର୍ତ୍ତନ ଦାବିକୁ ଜୋରଦାର କରିଛନ୍ତି ଦଳୀୟ କର୍ମକର୍ତ୍ତା। ପ୍ରାର୍ଥିତ୍ବକୁ ନେଇ ବିବାଦ ଉପୁଜିବା ପରେ ବିଜେପି କାର୍ଯ୍ୟାଳୟ ମଧ୍ୟ ସେବେଠୁ ବନ୍ଦ ରହିଛି।

ଏ ପରିପ୍ରେକ୍ଷୀରେ ସୋର ବିଜେପି ପକ୍ଷରୁ ଆଜି ରାଧାନାଥ ପଡ଼ିଆ ନିକଟରେ ଏକ ଜରୁରୀ ବୈଠକ ବସିଥିଲା। ଏଥିରେ ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାକେଶ ମଲିକ, ବିଧାୟକ ପର୍ଶୁରାମ ଧଡ଼ା, ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର କୁମାର ଜେନା, ଈଶ୍ବର ବେହେରା, ନଳିନୀ ମହାପାତ୍ର, ରଜତ ମହାପାତ୍ର, ପ୍ରକାଶ ମାଝୀ, ମୃତ୍ୟୁଞ୍ଜୟ ଜେନା, ସଞ୍ଜୀବ ରାଉଳଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଆସନ୍ତା ୬ ତାରିଖ ପୂର୍ବରୁ ପ୍ରାର୍ଥୀ ପରିବର୍ତ୍ତନ ନହେଲେ ସୋର ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଇସ୍ତଫା ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲଙ୍କୁ ଭଦ୍ରକରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ଦଳୀୟ କର୍ମକର୍ତ୍ତା। ଏଥିସହିତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କୁ ମେଲ୍‌ ଯୋଗେ ଏ ବିଷୟରେ ଅବଗତ କରାଯାଇଛି।

ପ୍ରକାଶଥାଉକି, ସୋରରୁ ବିଜେପି ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାକେଶ ମଲିକ, ଅନୁସୂଚିତ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଟିକେଟ୍‌ ଦୌଡ଼ରେ ଥିଲେ। କିନ୍ତୁ ଏହି ୩ ଜଣଙ୍କୁ ଭରସା ନକରି ଭଦ୍ରକ ଜିଲ୍ଲା ଧାମନଗରରୁ ରାଜେନ୍ଦ୍ର ଦାସଙ୍କୁ ଦଳର ଶୀର୍ଷ ନେତୃତ୍ବ ପ୍ରାର୍ଥୀ କରିବା ପରେ ସୋର ବିଜେପିରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଶେଷ ଥର ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଦାସ ଗତ ଏପ୍ରିଲ ମାସ ୧୨ ତାରିଖରେ ପ୍ରଚାର ପାଇଁ ସୋର ଆସିଥିଲେ। ହେଲେ ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଛକଠାରେ ତାଙ୍କୁ ତୀବ୍ର ବିରୋଧ କରାଯିବା ଫଳରେ ଶ୍ରୀ ଦାସ ସୋର ଭିତରକୁ ପଶି ନ ପାରି ଅଧାରାସ୍ତାରୁ ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe