ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିଜେପି ପାଳିଲା ବିଜୟ ଉତ୍ସବ; ନାଚଗୀତ, ବାଜାବାଣରେ କମ୍ପିଲା ରାଜ୍ୟ କାର୍ଯ୍ୟାଳୟ

Advertisment
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିଜେପି ପାଳିଲା ବିଜୟ ଉତ୍ସବ; ନାଚଗୀତ, ବାଜାବାଣରେ କମ୍ପିଲା ରାଜ୍ୟ କାର୍ଯ୍ୟାଳୟ

ଭୁବନେଶ୍ବର : ପ୍ରତିଟି ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଓ ଗୌରବର ଦିନ। ଦେଶର ଶୀର୍ଷ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପଦ ଭାବେ ନିର୍ବାଚିତ ହେବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରି ରାଇସିନା ହିଲ୍‌ରେ ପହଞ୍ଚି ଥିବାରୁ ବିଜେପି କର୍ମୀମାନେ ବାଜା, ବାଣ ସାଙ୍ଗକୁ ମିଠା ଖୁଆଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ସମାଜର ଅନ୍ତିମ ଧାଡ଼ିରେ ବାସ କରୁଥିବା ବ୍ୟକ୍ତି ଯେଉଁ ଦିନ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବେ, ସେଦିନ ବାସ୍ତବରେ ସ୍ୱାଧୀନତାପ୍ରାପ୍ତ ହେଲା ଜାଣିବା ବୋଲି ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକର କହିଥିଲେ। ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବାସ୍ତବରେ ପରିଣତ କରିଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ସ୍ୱାଧୀନତା ପରବର୍ତୀ ସର୍ବଶ୍ରେଷ୍ଠ ଉପହାର। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଅନେକ ଅନେକ ଧନ୍ୟବାଦ।

ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ବିଜୟ ଉତ୍ସବରେ ଶ୍ରୀ ମହାନ୍ତିଙ୍କ ସମେତ ଅନେକ ବିଧାୟକ, ରାଜ୍ୟ ପଦାଧିକାରୀ, ନେତୃବୃନ୍ଦ ଉପସ୍ଥିତ ଥିଲେ। ଆଦିବାସୀ ଓ ପାରମ୍ପରିକ ନାଚଗୀତରେ ପାଳନ କରାଯାଇଥିବା ବିଜୟ ଉତ୍ସବରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାଧାରଣ ଜନତା ସାମିଲ ହୋଇଥିଲେ। ଏହାପରେ ରମାଦେବୀ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଶ୍ରୀମତୀ ମୁର୍ମୁ ରହୁଥିବା ଛାତ୍ରୀନିବାସକୁ ଯାଇ ବିଜେବି କର୍ମୀମାନେ ଛାତ୍ରୀମାନଙ୍କୁ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଥିଲେ। ରାଇରଙ୍ଗପୁରରୁ ନବରଙ୍ଗପୁର ହେଉ ଓ ଭୁବନେଶ୍ୱରରୁ ସମ୍ବଲପୁର; ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳରେ ବିଜେପି କାର୍ଯ୍ୟକର୍ତାମାନେ ବିଜୟ ଉତ୍ସବ ପାଳନ କରିଛନ୍ତି। କେନ୍ଦୁଝର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ଫୁଲବାଣୀ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଇଛି।

publive-image

ଦିଲ୍ଲୀରେ ଲୋକ କଳାକାରଙ୍କ ସହ ନାଚିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଗୁରୁବାର ଦିନ ଦିଲ୍ଲୀ ଉତ୍ସବମୁଖର ହୋଇଉଠିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଦିଲ୍ଲୀରେ ଲୋକ କଳାକାରଙ୍କ ସହ ଉତ୍ସବ ମନାଇଛନ୍ତି। ଲୋକ କଳାକାରମାନେ ବିଭିନ୍ନ ପାରମ୍ପରିକ ବାଦ୍ୟ ବଜାଇ ଆଦିବାସୀ ନୃତ୍ୟ ପରିବେଷଣ କରିଛନ୍ତି। ସେମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନାଚିଛନ୍ତି।। ଧର୍ମେନ୍ଦ୍ର କହିଥିଲେ ଦେଶ ଏକ ଇତିହାସ ସୃଷ୍ଟି କରିଛି। ଓଡ଼ିଶାର ଅତି ସାଧାରଣ ପରିବାରରୁ ଜଣେ ଆଦିବାସୀ ମହିଳା ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe