୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ଗର୍ଜିଲା ବିଜେପି

Advertisment

ସଂସଦର ଆଗାମୀ ଅଧିବେଶନରେ ଉଠାଯିବ: ସୁ‌ରେଶ ପୂଜାରୀ

ସଂସଦର ଆଗାମୀ ଅଧିବେଶନରେ ଉଠାଯିବ: ସୁ‌ରେଶ ପୂଜାରୀ

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ଗର୍ଜିଲା ବିଜେପି

ବରଗଡ଼ : ଦୁଇଦିନିଆ ଗସ୍ତରେ ଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ବରଗଡ଼ ପହଞ୍ଚିବା ପୂର୍ବରୁ ବିଜେପି ଗର୍ଜିଛି। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୁରେଶ ପୂଜାରୀ ସଚିବଙ୍କ ଏହି ଢଙ୍ଗରେ କରୁଥିବା ଗସ୍ତକୁ ସଂସଦୀୟ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି। ସେ ଆହୁରି କହିଲେ, ସଚିବଙ୍କ ଗସ୍ତ ଏକ ରାଜକୀୟ କାର୍ଯ୍ୟକ୍ରମ ଭଳି ମନେହେଉଛି। ଦୁଇ ଦିନ ପ୍ରବଳ ବର୍ଷାର ପୂର୍ବାନୁମାନ କରି ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଲୋକଙ୍କୁ ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ସରକାର ସତର୍କ କରାଇଛନ୍ତି। ଅଥଚ ସଚିବଙ୍କ ଗସ୍ତ ବେଳେ ପ୍ରବଳ ବର୍ଷା ସତ୍ତ୍ବେ ଲୋକ ଠୁଳ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ତୁହାକୁତୁହା ବର୍ଷା ଭିତରେ ଗାଡ଼ିରେ ଲଦି ସଭାସ୍ଥଳୀକୁ ଅଣାଯାଉଛି ବୋଲି ସାଂସଦ ଶ୍ରୀ ପୂଜାରୀ ଅଭିଯୋଗ କରିଥିଲେ।

ସେ ଆହୁରି କହିଲେ, ସଚିବ ହେଲେ ସରକାରଙ୍କ ବର୍ଗ ସୂଚୀର ଚତୁର୍ଥ ସ୍ତରରେ। କିନ୍ତୁ ତାଙ୍କରି ତୁଣ୍ଡରେ ପ୍ରକଳ୍ପ ଘୋଷଣା ଓ ହାତରେ ପ୍ରକଳ୍ପ ଉଦ୍‌ଘାଟନ କରାଯାଉଛି। ଯଦି ସରକାର ପ୍ରକଳ୍ପ ଘୋଷଣା କିମ୍ବା ଉଦ୍‌ଘାଟନ କରିଥାନ୍ତେ, ତେବେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଜଣେ ବରିଷ୍ଠ ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ବରଗଡ଼ ପଠାଇଥାନ୍ତେ। ସେହିପରି, ସଚିବଙ୍କ ଗସ୍ତ ପୂର୍ବରୁ ଦଳର ସାଂଗଠନିକ ସଂପାଦକ ଆସି ଆଗୁଆ ପ୍ରସ୍ତୁତିରେ ଲାଗିପଡ଼ିବା ହାସ୍ୟାସ୍ପଦ ବୋଳି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି। ଏଭଳି କାର୍ଯ୍ୟକଳାପ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ବୋଲି ସାଂସଦ ଶ୍ରୀ ପୂଜାରୀ ପ୍ରଶ୍ନ କରିଥିଲେ।

ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ସହ ଯେଉଁ ଭଳି ଖେଳ ଚାଲିଛି, ତାହା ଓଡ଼ିଶାକୁ ନିନ୍ଦିତ କରୁଛି। ଓଡ଼ିଶାବାସୀଙ୍କ ଜାଗ୍ରତ ହୋଇ ଏହାର ଜବାବ ଦେବେ ବୋଲି ସେ ଆଶାବ୍ୟକ୍ତ କରିବା ସହ ଆଗାମୀ ସଂସଦ ଅଧିବେଶନରେ ଏହି ପ୍ରସଂଗ ଉଠାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ରବିନାରାୟଣ ଦାଶ, ପ୍ରୀତମ୍‌ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe