ବିକାଶ ପରିଷଦ ପାଣ୍ଠି ଖର୍ଚ୍ଚରେ ବି ପକ୍ଷପାତ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

Advertisment
ବିକାଶ ପରିଷଦ ପାଣ୍ଠି ଖର୍ଚ୍ଚରେ ବି ପକ୍ଷପାତ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

Ommcom News

ସମ୍ବଲପୁର: ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ଓ ପକ୍ଷପାତ ଯୋଗୁଁ ପଛୁଆ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଥିବା ବେଳେ ଏବେ ପୁଣି ସେଭଳି ପକ୍ଷପାତ ହେଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଂଚଳରେ ୩୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଶାସକ ଦଳର ବିଧାୟକ ଥିବା କ୍ଷେତ୍ରକୁ ଅଧିକ ପାଣ୍ଠି ଯୋଗାଇ ଦିଆଯାଉଥିବା ବେଳେ ବିରୋଧୀ ଦଳର ବିଧାୟକଙ୍କ ନିର୍ବାଚନମଣ୍ଡଳୀ ପ୍ରତି ଉପେକ୍ଷା କରାଯାଉଛି। ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ବିକାଶ ପରିଷଦ ଗଠନ କରାଯାଇଥି‌ଲା, ତାହା ସାଧିତ ହୋଇପାରୁ ନାହିଁ। ପାଣ୍ଠି ଖର୍ଚ୍ଚରେ ସରକାରଙ୍କ ମନମୁଖି ଯୋଗୁଁ ଅଂଚଳର ବିକାଶ ହୋଇପାରୁ ନାହିଁ ବୋଲି ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ବିଧାୟକମାନଙ୍କୁ ମଗାଯାଉଥିବା ବାର୍ଷିକ ପ୍ରକଳ୍ପ ପ୍ରସ୍ତାବ ୧ କୋଟି ଟଙ୍କାରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି।

ଗତ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ବିଜେପି ବିଧାୟକମାନେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ନିରନ୍ତର ବିକାଶ ପାଇଁ ବିକାଶ ପରିଷଦ ପାଣ୍ଠିରୁ ଅନୁଦାନ ଯୋଗାଇ ଦିଆଯାଉଛି। ପଶ୍ଚିମ ଓଡ଼ିଶାର ବିଧାୟକମାନଙ୍କଠାରୁ ଏଥିପାଇଁ ଏକ କୋଟି ଟଙ୍କା ବାର୍ଷିକ ପ୍ରକଳ୍ପ ପ୍ରସ୍ତାବ ମଗାଯାଉଛି। ଇତିମଧ୍ୟରେ ବିକାଶ ପରିଷଦର ପାଣ୍ଠି ଶହେ କୋଟିରୁ ୫ ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ପାଣ୍ଠି ବୃଦ୍ଧି କରିବା ସତ୍ତ୍ବେ ପୂର୍ବ ଭଳି ୧ କୋଟି ଟଙ୍କା ଲେଖାଏଁ ବାର୍ଷିକ ପ୍ରକଳ୍ପ ପ୍ରସ୍ତାବ ମଗାଯାଉଛି।

ଏହି ପ୍ରକଳ୍ପ ପ୍ରସ୍ତାବକୁ ୧ କୋଟି ଟଙ୍କାରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଂଗ, ରେଂଗାଲି ବିଧାୟକ ନାଉରୀ ନାୟକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ସରକାର ବିକାଶ ପରିଷଦକୁ ଯେଉଁ ପାଣ୍ଠି ଦେଉଛନ୍ତି, ତାହା ଆଦୌ ଯଥେଷ୍ଟ ନୁହେଁ। ଏପ‌ଟେ ପୁଣି ବିକାଶ ପରିଷଦ ପାଇଁ ଯେଉଁ ପାଣ୍ଠି ମିଳୁଛି, ତାକୁ ମଧ୍ୟ ରାଜ୍ୟର ଶାସକ ଦଳ ନିଜ ଦଳୀୟ ପାଣ୍ଠି ଭଳି ବ୍ୟବହାର କରୁଛି। ଯେଉଁ ସବୁ କ୍ଷେତ୍ର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବା କଥା, ତାହା କରାଯାଉ ନାହିଁ।

ପାଣ୍ଠି ବୃଦ୍ଧି ସହିତ ବିଧାନସଭା କ୍ଷେତ୍ର ହିସାବରେ ଅନୁଦାନ ସ୍ଥିର ହେବା ଆବଶ୍ୟକ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ପଛରେ ଲକ୍ଷ୍ୟ ଥିଲା ଯେ ଅତିରିକ୍ତ ଅର୍ଥ ମିଳିବ ଏବଂ ଅଧିକ ବିକାଶ ହେବ। ସେହି ଲକ୍ଷ୍ୟ ଏବେ ସାଧିତ ହୋଇପାରୁ ନାହିଁ। ରେଂଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି, ବିକାଶ ପରିଷଦ ପାଣ୍ଠିର ସମତୁଳ ବଣ୍ଟନ ହେବାର ଆବଶ୍ୟକତା ରହିଛି। ବିକାଶ ପରିଷଦ ପାଣ୍ଠିର ବ୍ୟାପକ ଦୁରପଯୋଗ ହେଉଛି। କେତେକ ବିଧାନସଭା କ୍ଷେତ୍ରକୁ ବାର୍ଷିକ ୪ କୋଟି ଟଙ୍କା ଲେଖାଏଁ ମିଳୁଥିବା ବେଳେ ଅନ୍ୟ କ‌େତେକ ବିଧାନସଭା ‌କ୍ଷେତ୍ରକୁ ମାତ୍ର ୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅନୁଦାନ ଦିଆଯାଉଛି। ଯଦିଓ ସବୁ ବିଧାୟକଙ୍କଠାରୁ ୧ କୋଟି ଟଙ୍କା ପ୍ରକଳ୍ପ ମଗାଯାଉଛି, ବିଜେଡି ବିଧାୟକମାନେ ପରେ ପୁଣି ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ପ୍ରସ୍ତାବ ପଠାଇ ନିଜ ବିଧାନସଭା କ୍ଷେତ୍ରରେ ୪ କୋଟିରୁ ବି ଅଧିକ ଟଙ୍କା ପ୍ରକଳ୍ପ ହାତେଇବାରେ ସଫଳ ହେଉଛନ୍ତି। କେତେକ ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନାହିଁ। ଅନ୍ୟ କେତେକ ଜିଲ୍ଲା ଶିକ୍ଷାକ୍ଷେତ୍ରରେ ପଛୁଆ। ଏଭଳି ଯେଉଁ ଅଂଚଳ ପାଇଁ ଯେଉଁ ପ୍ରକଳ୍ପ ଦରକାର, ସେଭଳି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବା ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe