‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ହେଉ: ଧର୍ମେନ୍ଦ୍ର

ଅନୁଗୁଳରେ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା

‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ହେଉ: ଧର୍ମେନ୍ଦ୍ର

ଅନୁଗୁଳ/ବନ୍ତଳା : ବିଜେପି ପକ୍ଷରୁ ଆଜି ଏଠାରେ ଆୟୋଜିତ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଶଙ୍ଖପୁରର ଅ‌ଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ସେ କହିଲେ, ଏଠାରେ ଏତେ ବର୍ଷ ଧରି ଶାସନ କରୁଥିବା ଏହି ମୋ ସରକାର କ’ଣ କାମ କରୁଛି, ତାହାର ସମୀକ୍ଷା ହେବା କଥା। ଚାଷୀମାନଙ୍କ ପାଇଁ ଉତ୍ପାଦିତ ଦ୍ରବ୍ୟ ସଂରକ୍ଷିତ ରଖିବା ପାଇଁ ଶୀତଳଭଣ୍ଡାର ନାହିଁ। ଏହି ଅଂଚଳରେ ଉତ୍ପାଦିତ ହେଉଥିବା ପନିପରିବା, କଦଳୀ ଆଦି କୃଷିଜାତ ଦ୍ରବ୍ୟ ଶୀତଳଭଣ୍ଡାରରେ ରଖିପାରିଲେ ଚାଷୀମାନେ ଉପକୃତ ହୋଇପାରନ୍ତେ। ଚାଷୀମାନଙ୍କ ବାରମ୍ବାର ଦାବି ପରେ ବି ହିଡ଼ସିଂ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇପାରୁ ନାହିଁ।

ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଭାଷଣରେ ଗାନ୍ଧୀଜୀଙ୍କ ଓଡ଼ିଶା ଓ ଅନୁଗୁଳ ଆଗମନ ସହିତ ଦେଶ ପ୍ରତି ତାଙ୍କ ଅବଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଜଳ ସଂରକ୍ଷଣ, ବୃକ୍ଷରୋପଣ, ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ବର୍ଜନ, ପରିବେଶ ସୁରକ୍ଷା ଆଦି ଉପରେ ସେ ଗୁରୁତ୍ବାରୋପ କରିବା ସହ ଲୋକଙ୍କୁ ଏସବୁ କାମ ପାଇଁ ସଂକଳ୍ପ କରାଇଥିଲେ।

ଆଜି ପୂର୍ବାହ୍ନରେ ଧୋକଟା ଶିବ ମନ୍ଦିରରୁ ବାହାରିଥିବା ଗାନ୍ଧୀ ସଂକଳ୍ପ ପଦଯାତ୍ରା ପୋକତୁଙ୍ଗା ଦେଇ ଶଙ୍ଖପୁରରେ ପହଂଚିଥିଲା। ପଦଯାତ୍ରାରେ ପାରଂପରିକ ବାଦ୍ୟ, ସଂକୀର୍ତ୍ତନ ଦଳ ସହିତ ଶହ ଶହ ମହିଳା ଓ ପୁରୁଷ ଜାତୀୟ ପତାକା ଧରି ଏଥିରେ ସାମିଲ ହୋଇଥିଲେ। ଶଙ୍ଖପୁରରେ ଅନୁଷ୍ଠିତ ସଭାରେ ବିଜେପି ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ ସଭାପତିତ୍ବ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ରବି ନାରାୟଣ ପାଣିଙ୍କ ସମେତ ବରିଷ୍ଠ ନେତା ଅଗସ୍ତି ବେହେରା, ଅଶୋକ ମହାନ୍ତି, ଜଗନ୍ନାଥ ଗଡ଼ନାୟକ ସିଂହ ପ୍ରମୁଖ ମଂଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe