ବାଲେଶ୍ବର/ନୀଳଗିରି: ବିଜେଡିରୁ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ ନୀଳଗିରି ବିଧାନସଭା ଆସନ ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଧାୟକ ସୁକାନ୍ତ ନାୟକଙ୍କୁ ବିଜେଡି ଗତକାଲି ନୀଳଗିରି ଟିକେଟ ଦେବା ପରେ ଦଳର ପ୍ରାଥମିକ ସଦସ୍ୟ ସହ ଜିଲ୍ଲା ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ ସନ୍ତୋଷ। ସେପଟେ ବିଜେପି ମଧ୍ୟ ଗତକାଲି ବାକିଥିବା ୭ଟି ଆସନ ମଧ୍ୟରୁ ୬ଟିରେ ପ୍ରାର୍ଥୀ ଘୋଷଣା କରି କେବଳ ନୀଳଗିରି ଆସନ ବାକି ରଖିଥିଲା। ଆଜି ସନ୍ତୋଷଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ନୀଳଗିରିରେ ସୁକାନ୍ତ ଓ ସନ୍ତୋଷଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ସ୍ପଷ୍ଟ ହୋଇଛି।
ସୂଚନାଥାଉକି, ଟିକେଟରୁ ବାଦ ପଡ଼ିବା ପରେ ଗତକାଲି ସନ୍ଧ୍ୟାରେ ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ବୈଠକରେ ସନ୍ତୋଷଙ୍କୁ ଦଳକୁ ସ୍ବାଗତ କରିଥିଲେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ। ଆଜି ସକାଳେ ନୀଳଗିରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସାରି ୫୦୦ରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ସେ ବିଜେପିରେ ମିଶିବା ପାଇଁ ବାହାରିଥିବା ବେଳେ ଦଳ ତାଙ୍କୁ ନୀଳଗିରି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏ ସଂପର୍କରେ ସନ୍ତୋଷ ନିଜ ପ୍ରତିକ୍ରିୟା ରଖି କହିଥିଲେ, ମୁଁ ବହୁତ ଖୁସି। ବିଜେଡି ସିନା ମୋତେ ଚିହ୍ନି ପାରିଲାନି, ହେଲେ ଗୋଟିଏ ଦିନରେ ବିଜେପିର ଶୀର୍ଷ ନେତୃତ୍ବ ମୋତେ ଗ୍ରହଣ କରିନେଲେ। ବିଜେଡିରେ କର୍ପୋରେଟ୍ ଢଙ୍ଗରେ ଟିକେଟ ବ୍ୟବସାୟ ଚାଲିଛି। ବିଜେଡି ଯଦି ଗୋଟିଏ ପୋଖରୀ ହୁଏ, ତେବେ ବିଜେପି ଏକ ମହାସମୁଦ୍ର। ବର୍ତ୍ତମାନ ଏ ମହାସମୁଦ୍ରରେ ମୁଁ ନିଜକୁ ସୁରକ୍ଷିତ ମଣୁଛି।
୨୦୧୯ରେ ମଧ୍ୟ ସନ୍ତୋଷ ନୀଳଗିରି ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ସେଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁକାନ୍ତ ନାୟକଙ୍କୁ ସେ କଡ଼ା ଟକ୍କର ଦେଇ ମାତ୍ର ୧୫୭୭ ଖଣ୍ଡ ଭୋଟ୍ରେ ହାରିଯାଇଥିଲେ। ତେବେ ସେହିଦିନଠାରୁ ନୀଳଗିରିରେ ବିଜେଡି ସଙ୍ଗଠନକୁ ତୃଣମୂଳସ୍ତରରେ ସଜାଡ଼ିବାର ପ୍ରଯତ୍ନ କରିଥିଲେ ସନ୍ତୋଷ। ଯାହାର ଫଳସ୍ବରୂପ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ବିପୁଳ ବିଜୟ ମିଳିଥିଲା। ତାଙ୍କ ନେତୃତ୍ବରେ ୫ଟି ଜିଲ୍ଲା ପରିଷଦ ଆସନ ସମେତ ନୀଳଗିରି ଏନ୍ଏସି ଆସନ ଦଖଲ କରିଥିଲା ଦଳ। ଏ ଦୃଷ୍ଟିରୁ ଚଳିତ ନିର୍ବାଚନରେ ସନ୍ତୋଷ ନୀଳଗିରି ଆସନ ପାଇଁ ପ୍ରଥମ ଦାବିଦାର ଥିଲେ। ହେଲେ ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ପୁଣି ବିଜେଡିକୁ ଫେରିବା ପରେ ସ୍ଥିତି ଓଲଟପାଲଟ ହୋଇ ଯାଇଥିଲା।
Follow Us