ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଥିବାରୁ ବିଜେଡ଼ି ପକ୍ଷରୁ ପ୍ରମିଳା ମଲ୍ଲିକ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜୁବାବୁଙ୍କ ନାଁକୁ ନେଇ ବିଜେପି ଡରୁଛି । ଯେଉଁଥିପାଇଁ ବିଜୁବାବୁଙ୍କ ଅସ୍ତିତ୍ୱକୁ ଲୁଚାଇବାକୁ ବିଜେପି ଏପରି ହୀନ ଚକ୍ରାନ୍ତ କରିଛି ।
ସେ କହିଛନ୍ତି, ରାଜ୍ୟ ସରକାର ବିଜୁବାବୁଙ୍କ ଜନ୍ମଦିନରେ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସ ପାଳନକୁ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ଏହା ବିଜୁବାବୁଙ୍କ ପ୍ରତି ଅପମାନ । ଓଡ଼ିଶା ଅସ୍ମିତାର ଦ୍ୱାହି ଦେଇ ବିଜେପି ନିର୍ବାଚନ ଜିତିଛି । ଏହା କ’ଣ ଓଡ଼ିଆ ଅସ୍ମିତା । ଏବେ ସେହି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ । ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନ କରିବା କ୍ଷୋଭର ବିଷୟ । ବିଜୁଙ୍କୁ ଅପମାନ କରିବା ଅନୁଚିତ। ବିଜୁବାବୁ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ।
ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ୧୯୯୩ ମସିହାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ସେବେଠାରୁ ପଞ୍ଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି।
ଅଧିକ ପଢ଼ନ୍ତୁ: ପୁଲିସ ଇନଫର୍ମର ସନ୍ଦେହ: ବୃଦ୍ଧଙ୍କୁ ହତ୍ୟା କଲେ ମାଓବାଦୀ
ବିଜେଡି ଆସନ୍ତାକାଲି ମାର୍ଚ୍ଚ ୫ରେ ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିବ। ସବୁ ନିର୍ବାଚନ ମଣ୍ଡଳୀରେ ବି ଏହି ଦିବସ ପାଳନ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ୪ ତାରିଖ ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଜନ୍ମଦିନ । ସେ ୬୨ ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ଜନ୍ମଦିନରେ ପ୍ରମିଳା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ।
ଅଧିକ ପଢ଼ନ୍ତୁ: ବିବାହର ୬ମାସ ପରେ ଜୀବନ ହାରିଲେ ମହିଳା, ଯୌତୁକ ପାଇଁ ସ୍ବାମୀ ଦେଉଥିଲେ ନିର୍ଯାତନା