ଯାଜପୁର ବିଜେପିରେ ‌ଗୋଷ୍ଠୀ କନ୍ଦଳ: ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତିଙ୍କୁ ଆକ୍ରମଣ

ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀକଲେ, ୩ଜଣଙ୍କୁ ଅଟକ ରଖି ପୁଲିସର ତଦନ୍ତ

ଯାଜପୁର ବିଜେପିରେ ‌ଗୋଷ୍ଠୀ କନ୍ଦଳ: ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତିଙ୍କୁ ଆକ୍ରମଣ

ଯାଜପୁରସଦର: ଯାଜପୁର ନିର୍ବାଚନମଣ୍ଡଳୀରେ ବିଜେପି କନ୍ଦଳ ତୀବ୍ର ହୋଇଛି। ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ପରାଜୟ ପାଇଁ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ରଙ୍କ ଅନ୍ତର୍ଘାତୀ କାର୍ଯ୍ୟକୁ କେତେକ ଆଗଧାଡ଼ିର କର୍ମୀ ଦାୟୀ କରୁଛନ୍ତି। ଏଭଳି ସ୍ଥିତିରେ ଗତକାଲି ରାତିରେ ଶ୍ରୀ ପାତ୍ରଙ୍କ ଉପରେ କେତେକ ଦଳୀୟ କର୍ମୀ ଆକ୍ରମଣ କରିବା ସହ ତାଙ୍କ କାର୍‌ର କାଚ ଭାଙ୍ଗି ଦେଇଛନ୍ତି। ଏ ନେଇ ସେ ଥାନାର ଦ୍ବାରସ୍ଥ ହେବାସହ ଆଜି ସାମ୍ବାଦିକ ସମ୍ମିଳନୀ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ରାତିରେ ଶ୍ରୀ ପାତ୍ର ଭୁବନେଶ୍ୱରପୁରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଗାଡ଼ିରେ ଘରକୁ ଫେରୁଥିବା ବେଳେ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ଅଟକାଇଥିଲେ। ଏହାକୁ ନେଇ ଉଭୟପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କେତେକ କର୍ମୀ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ମାଡ଼ ମାରିଥିଲେ। ଏ ନେଇ ଯାଜପୁର ସଦର ଥାନାରେ ଅଭିଯୋଗ ପରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି। ପୁଲିସ କେସ ନମ୍ବର ୧୭୫/୨୦୨୪ରେ ମାମଲା ରୁଜୁ‌ କରିଛି। ଆଜି ଶ୍ରୀ ପାତ୍ର ଚିକିତ୍ସିତ ହୋଇ ଫେରିବାପରେ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ବହୁବର୍ଷ ହେଲା ଯାଜପୁର ବିଧାନସଭା କ୍ଷେତ୍ରରେ ବିଜେପି ପାଇଁ କାର୍ଯ୍ୟ କରୁଛି। ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ଗୌତମ ରାୟ ହାରିବା ପରେ ଏଥିପାଇଁ ଦାୟୀ କରି ବିଭିନ୍ନ ଉପାୟରେ ହଇରାଣ କରାଯାଉଛି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ ଘଟଣାରେ ବିଜେପି ଜିଲ୍ଲା ସାଧାରଣ ସଂପାଦକ ସୁଦୀପ୍ତ ପଣ୍ଡା, ଜିଲ୍ଲା ସଂପାଦକ ସୁରଜଲାଲ ସାମଲ, ମଣ୍ଡଳ ସଭାପତି ଜିତାମିତ୍ର ଦାସ, ମନ୍ମଥ ବରାଳ, ମହେନ୍ଦ୍ର ପହିଙ୍କ ସମେତ ଅନ୍ୟମାନେ ସଂପୃକ୍ତ ବୋଲି ଶ୍ରୀ ପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି।

ଏନେଇ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ସମୟରେ ସେ ଦଶରଥପୁର ବ୍ଲକ ଅଞ୍ଚଳରେ କର୍ମକର୍ତ୍ତା ସମ୍ମିଳନୀରେ ରହିଥିଲେ। ଅଯଥାରେ ମିଥ୍ୟା ଅଭିଯୋଗରେ ଟାଣି ବଦନାମ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି। ଏହି ଘଟଣାରେ ସଂପୃକ୍ତି, ଉପସ୍ଥିତି ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe