ବିଜେପି ବଢୁଛି, ବିଜେଡି ଛିଡୁଛି କଂଗ୍ରେସ ସମୟକୁ ଅପେକ୍ଷା କରିଛି

Advertisment

୨୦୨୪ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାରେ ବିଜେପିର ବିଜୟ ପରେ ଦଳ ନିଜର ପତିଆରା ବଢ଼ାଇ ଚାଲିଛି। ଦୁଇ ଦଶନ୍ଧି ଧରି ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଥିଲେ। ଫଳରେ ଢେଙ୍କାନାଳ ଜିଲ୍ଲା ପାଲଟିଥିଲା ବିଜେଡିର ଗଡ଼।

୨୦୨୪ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାରେ ବିଜେପିର ବିଜୟ ପରେ ଦଳ ନିଜର ପତିଆରା ବଢ଼ାଇ ଚାଲିଛି। ଦୁଇ ଦଶନ୍ଧି ଧରି ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଥିଲେ। ଫଳରେ ଢେଙ୍କାନାଳ ଜିଲ୍ଲା ପାଲଟିଥିଲା ବିଜେଡିର ଗଡ଼।

ଗଜପତି ଜିଲ୍ଲାର ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଆଗୁଆ, ୩ଟିରେ କଂଗ୍ରେସ

ଢେଙ୍କାନାଳ: ୨୦୨୪ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାରେ ବିଜେପିର ବିଜୟ ପରେ ଦଳ ନିଜର ପତିଆରା ବଢ଼ାଇ ଚାଲିଛି। ଦୁଇ ଦଶନ୍ଧି ଧରି ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଥିଲେ। ଫଳରେ ଢେଙ୍କାନାଳ ଜିଲ୍ଲା ପାଲଟିଥିଲା ବିଜେଡିର ଗଡ଼। ତେବେ ଗତ ସାଧାରଣ ନିର୍ବାଚନରେ ପ୍ରଥମ କରି  ବିଜେପି  ଜିଲ୍ଲାର ୪ଟି ଯାକ ବିଧାନସଭା ଏବଂ ଲୋକସଭା ଆସନ ହାତେଇ ରାଜନୈତିକ ସମୀକରଣକୁ ଓଲଟପାଲଟ କରିଦେଇଥିଲା। ବର୍ତ୍ତମାନ ବିଜେଡି ଜିଲ୍ଲା ସଭାପତି ସମେତ ଦଳର ସବୁ ସଂଗଠନକୁ ଭାଙ୍ଗି ଦେଇଥିବାରୁ ଦଳର ଜିଲ୍ଲା ନେତୃବୃନ୍ଦ ସଂଗଠନରୁ ଏକପ୍ରକାର ଦୂରେଇ ରହିଛନ୍ତି। ଏହାର ସୁଯୋଗ ନେଇ ମୁରବିଶୂନ୍ୟ ହୋଇ ପଡ଼ିଥିବା ବିଜେଡିର ଅଧିକାଂଶ କର୍ମୀ ପରିବର୍ତ୍ତିତ ପରିସ୍ଥିତିକୁ ଦେଖି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି। ତେଣେ ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ନିଜ ପତିଆରା ବଢ଼ାଇବା ପାଇଁ ଏବେ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଛି। ବିଭିନ୍ନ ସମସ୍ୟା ନେଇ ସ୍ୱର ଉତ୍ତୋଳନ କରିବା ସହ ଭୋଟରଙ୍କ ନିକଟବର୍ତ୍ତୀ ହେବା ପାଇଁ ଦଳ ଆପ୍ରାଣ ପ୍ରୟାସ ଜାରି ରଖିଛି।

ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ନେତା ଅକ୍ଷୟ ମହାନ୍ତି, ହର୍ଷବର୍ଦ୍ଧନ ସିଂହଦେଓ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, କଂଗ୍ରେସର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ଓ ସୁରେଶ ପାଣିଗ୍ରାହୀଙ୍କ ସମେତ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇ ସାରିଲେଣି। ସେହିପରି ସଦର ବ୍ଲକ୍‌ର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଜଶ୍ରୀ ନାୟକଙ୍କୁ ଅନାସ୍ଥା ଭୋଟ୍‌ରେ ପରାସ୍ତ କରି ବିଜେପି ଦଖଲକୁ ନେଇ ସାରିଛି। ବିଜେଡିର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଥିବା କାଳନ୍ଦୀ ବାରିକ ବିଜେପିରେ ସାମିଲ ହୋଇ ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି। ଅନ୍ୟପଟେ ଓଡ଼ାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ମହାନ୍ତି ବିଜେଡି ଛାଡ଼ି ନଥିଲେ ମଧ୍ୟ ବିଜେଡିର ଅଧିକାଂଶ କାର୍ଯ୍ୟକ୍ରମରେ ତାଙ୍କ ଦେଖା ମିଳୁ ନାହିଁ। ସେହିପରି ଅନେକ ସରପଞ୍ଚ ଓ ସମିତିସଭ୍ୟ ମୁହଁ ଖୋଲୁ ନଥିବାରୁ ଏମାନଙ୍କଠାରୁ ବିଜେପି ଏକପ୍ରକାର ଭିତିରିଆ ସମର୍ଥନ ପାଉଥିବା ଆଲୋଚନା ହେଉଛି।  ଗଁଦିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷା ରୀନାରାଣୀ ଖଟୁଆ ବର୍ତ୍ତମାନ ଦଳ ଡେଇଁ ବିଜେପିରେ ସାମିଲ ହୋଇଥିବାରୁ ତାଙ୍କ ସମର୍ଥକ ସରପଞ୍ଚ ଓ ସମିତି ସଭ୍ୟମାନେ ମଧ୍ୟ ବିଜେପିରେ ମିଶି ଯାଇଛନ୍ତି। ସେହିପରି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ବିଧାୟିକା ହେବା ପରେ ତାଙ୍କ ସମର୍ଥକମାନେ ଏବେ ବିଜେପିରେ। ଏଭଳି ସ୍ଥିତିରେ ଏଠାକାର ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ନାୟକ ବିଜେଡି ଛାଡ଼ି ନଥିଲେ ମଧ୍ୟ ପ୍ରାୟତଃ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଆଉ ତାଙ୍କୁ ଦେଖିବାକୁ ମିଳୁନାହିଁ। ଏଠାରେ ବିଜେଡି ସଂଗଠନ ଏକପ୍ରକାର ଦୁର୍ବଳ ହୋଇ ପଡ଼ିଥିବା ବେଳେ ପ୍ରାୟତଃ କର୍ମୀମାନେ ବିଧାୟିକାଙ୍କ ଆଡ଼କୁ ଢଳୁଥିବା ଦେଖାଯାଉଛି।  

ପର୍ଜଙ୍ଗ ବ୍ଲକକୁ ବିଜେପି ନିଜ ଦଖଲରେ ରଖି ଶର୍ମିଷ୍ଠା ଦଳବେହେରାଙ୍କୁ ଅଧ୍ୟକ୍ଷା କରିଥିବା ବେଳେ ତାଙ୍କୁ ମିଶାଇ ୮ ମାସରେ ଜିଲ୍ଲାର ୮ଟି ବ୍ଲକ୍‌ରୁ ୩ଟି ବ୍ଲକ୍‌ ବିଜେପି ହାତେଇ ସାରିଲାଣି। ଆଉ ୫ଟି ବ୍ଲକରୁ ୨ଟିରେ ନିରବ ସମର୍ଥନ ପାଉଥିବା ବେଳେ ଆଉ ୩ଟିକୁ ହାତେଇବା ପାଇଁ ଦଳୀୟ ନେତୃବୃନ୍ଦ କସରତ ଜାରି ରଖିଛନ୍ତି। ତେବେ ଜିଲ୍ଲାର ବିଜେଡି ନେତୃବୃନ୍ଦ ଏକପ୍ରକାର ସୁପ୍ତ ଅବସ୍ଥାରେ ରହିଥିବାରୁ ବିଜେପି ପାଇଁ ରାସ୍ତା ସୁଗମ ହେଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । 

ଅନ୍ୟପକ୍ଷରେ ଜିଲ୍ଲାରେ ଅମାନତ ହରାଇଥିବା  କଂଗ୍ରେସ ଏବେ ନୂଆ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସଂଗଠନକୁ ମଜଭୁତ କରିବାରେ ଲାଗିଛି। ବିଭିନ୍ନ ସଭାସମିତି ଓ ପ୍ରତିବାଦ ସଭା କରି ଦଳ ବଳ ଗୋଟାଉଛି। ପୁରୁଣା କଂଗ୍ରେସ କର୍ମୀମାନେ ଧୀରେ ଧୀରେ ଦଳକୁ ଫେରୁଛନ୍ତି। ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ସମୟକୁ ଅପେକ୍ଷା କରାଯାଇଥିବା କଂଗ୍ରେସ କର୍ମୀମାନେ କହୁଛନ୍ତି। ୨୪ ବର୍ଷ ଧରି ଶାସନରେ ରହିଥିବା ବିଜେଡି ଗଲା ନିର୍ବାଚନରେ ହାରିବାର ସ୍ୱାଦ ଚାଖି ହତାଶ ହୋଇପଡ଼ିଛି। ଜିଲ୍ଲାରେ ଅତୀତରେ କ୍ରମାନ୍ୱୟରେ ଦଳର ମଙ୍ଗ ଧରି ଆସିଥିବା ନେତାମାନେ ଏକପ୍ରକାର ଛତ୍ରଭଙ୍ଗ ଦେଇଥିବାରୁ କର୍ମୀମାନେ ମଧ୍ୟ ତାଙ୍କଠାରୁ ଦୂରେଇବାରେ ଲାଗିଛନ୍ତି। ଅନ୍ୟପଟେ ଦଳର ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ପୂର୍ବାପେକ୍ଷା ବର୍ତ୍ତମାନ ରାଜନୀତିରେ ଅଧିକ ତତ୍ପର ହେଉଥିବା ଦେଖାଯାଉଛି। କେଉଁ ପ୍ରକାର ଗୋଟି ଚାଳନା କରି ନବୀନ ଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ୍‌ କରିବେ ତାହା ଆଲୋଚନାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe