Odisha Bytes
ଭୁବନେଶ୍ବର : ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କ ମୌଳିକ ଅଧିକାର ରହିଛି। ମାତ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ସମେତ ଲୋକସଭା ଅଧୀନ ବିଭିନ୍ନ ନଗର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଶାସକ ବିଜେଡିର ଅସାମାଜିକ ବ୍ୟକ୍ତି ବିଜେପି ପ୍ରାର୍ଥୀ ଓ ତାଙ୍କ ପରିବାରକୁ ଭୟଭୀତ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରୁଛନ୍ତି। ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚନ ହାତେଇବାରେ ବିଜେଡି ହୀନ ପ୍ରୟାସ କରୁଛି। ତେଣୁ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ନିର୍ବାଚନ କମିସନ ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଦାବି କରିଛନ୍ତି।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କୁ ଧମକଚମକ ଦିଆଯାଉଛି। ଛତ୍ରପୁର ଏନ୍ଏସି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦୁଇ ବିଜେପି ମହିଳା ପ୍ରାର୍ଥୀଙ୍କୁ ପୁଲିସ ଅଧିକାରୀଙ୍କ ଜରିଆରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଧମକ ଦିଆଯାଉଛି। ଜଣେ ସାଧାରଣ ନାଗରିକ ନିଜ ଇଚ୍ଛାରେ ନିର୍ବାଚନରେ ଅଂଶଗ୍ରହଣ କରିବେ କି ନାହିଁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ମାତ୍ର ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଧମକଚମକ ଦିଆଯାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁ ବାଧ୍ୟ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଗଣତନ୍ତ୍ର ପ୍ରତି ଶକ୍ତ ଚାପୁଡ଼ା। ପ୍ରାର୍ଥୀ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହିତ ଧମକ ଦେଉଥିବା ଗୁଣ୍ଡାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି। ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟିଥିବା ବିଜେପିର ପ୍ରତିନିଧି ଦଳରେ ରମାରଂଜନ ବଳିୟାରସିଂହ, ଠାକୁର ରଣଜିତ ଦାସ, ସୋନାଲି ସାହୁ, ସୁରଥ ବିଶ୍ବାଳ, ସୁଜିତ କୁମାର ଦାସ ଓ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us