ହାରିବା ଭୟରେ ବିଜେପି ହିଂସାକାଣ୍ଡ ଘଟାଉଛି: ବିଜେଡି

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ

ହାରିବା ଭୟରେ ବିଜେପି ହିଂସାକାଣ୍ଡ ଘଟାଉଛି: ବିଜେଡି

Odisha Sahasa

ଭୁବନେଶ୍ୱର : ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଜେଡି ତୀବ୍ର ନିନ୍ଦା କରିଛି। ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ମିଳିବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ମହାନ୍ତି କହିଛନ୍ତି, ତିନିଟି ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଜାଣି ସାରିଲାଣି ଯେ ସେମାନେ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେବାକୁ ଯାଉଛନ୍ତି। ଫଳରେ ବିଜେପିକୁ ଏବେ ହାରିବା ଭୟ ଘାରିଛି। ଆଉ ଏହି ଲଜ୍ଜାରୁ ମୁକୁଳିବା ପାଇଁ ସେମାନେ ବିଭିନ୍ନ ବାହାନା କରୁଛନ୍ତି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜେ ହିଂସା ଘଟାଇ ପାଲଟା ଅଭିଯୋଗ ଆଣୁଛନ୍ତି। କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଏକଥା ବି ସମସ୍ତେ ଜାଣନ୍ତି ଯେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ଏବଂ ଏବେ ସେ ଜାମିନରେ ଅଛନ୍ତି। ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି ହତାଶ ହୋଇ ପିପିଲିଠୁ ନେଇ ଗଜପତି ଓ ଜଗତସିଂହପୁର ପର୍ଯ୍ୟନ୍ତ ସାରା ରାଜ୍ୟରେ ବ୍ୟାପକ ହିଂସା ଘଟାଇ ଚାଲିଛି। ରକ୍ତମୁଖା ବିଜେପି କର୍ମୀ ସାଧାରଣ ଜନତାଙ୍କଠୁ ନେଇ ପୁଲିସ, ସରକାରୀ କର୍ମଚାରୀ କାହାକୁ ଛାଡ଼ୁ ନାହାନ୍ତି। ଓଡ଼ିଶା ବିଜେପି ଅତ୍ୟନ୍ତ ବିପଦଜନକ ଭାବେ ବିହାର ଓ ୟୁପି ମଡେଲର ନିର୍ବାଚନୀ ହିଂସାକୁ ଆମଦାନୀ କରିବାକୁ ଚେଷ୍ଟା କରୁଛି। ମାତ୍ର ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ରହିବାକୁ ଭଲ ପାଆନ୍ତି। ବିଗତ ନିର୍ବାଚନଗୁଡ଼ିକରେ ଏଭଳି ହିଂସା ଘଟାଇଥିବାରୁ ବିଜେପିକୁ ଓଡ଼ିଶାବାସୀ ପ୍ରତ୍ୟାଖାନ କରିଥିଲେ। ଏବେ ଚଳିତ ନିର୍ବାଚନରେ ବି ବିଜେପି ଯେମିତି ରକ୍ତମୁଖା ହୋଇଛି, ତାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେନି। ଏହାର ଉଚିତ ଜବାବ ଦେଇ ପୁଣି ଥରେ ସେମାନଙ୍କୁ ପରାଜୟର ରାସ୍ତା ଦେଖାଇବେ ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe