ଗାଡ଼ି ସାଇଡ୍‌କୁ ନେଇ ଜଘନ୍ୟକାଣ୍ଡ: ବିଜେପି ନେତାଙ୍କୁ ପିଟି ପିଟି ହତ୍ୟା

ଗାଡ଼ି ସାଇଡ୍‌କୁ ନେଇ ଜଘନ୍ୟକାଣ୍ଡ: ବିଜେପି ନେତାଙ୍କୁ ପିଟି ପିଟି ହତ୍ୟା

ରଞ୍ଜିତ କୁମାର ପ୍ରଧାନ (ଫାଇଲ୍‌ ଫଟୋ)

କପ୍ତିପଦା/ଉଦଳା-୧/ଶାଳଚୁଆ/ବାଲେଶ୍ବର : ସାମାନ୍ୟ ଗାଡ଼ି ସାଇଡ୍‌କୁ କେନ୍ଦ୍ରକରି ବାଲେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ଜିଲ୍ଲା ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ(୪୪)ଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି। ଏହି ଜଘନ୍ୟ ହତ୍ୟାକାଣ୍ଡ ବାଲେଶ୍ବରଠୁ ମୟୂରଭଞ୍ଜ ଯାଏ ହଇଚଇ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହିଠାରେ ସଂଘଟିତ ଏହି ହତ୍ୟାକାଣ୍ଡରେ ଜଡ଼ିତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ଗତକାଲି ସନ୍ଧ୍ୟା ୫ଟା ବେଳକୁ ରଞ୍ଜିତ ନିଜ ମାରୁତି ଜେନ୍ (ଓଆର୍‌୦୧ଭି-୦୧୨୪) କାର୍‌ରେ ଔଷଧ ଦେବାପାଇଁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହିଠାରେ ରହୁଥିବା ଶ୍ବଶୁରଙ୍କ ଘରକୁ ବାହାରିଥିଲେ। ରାତି ୧୦ଟା ସମୟରେ ଶ୍ୱଶୁର ଘର ପାଖାପାଖି ପହଞ୍ଚି ରାସ୍ତାର ଅପର ପାର୍ଶ୍ବକୁ ଗାଡ଼ି ମୁହାଁଉଥିଲେ। ତେବେ ସେ ଇଣ୍ଡିକେଟର୍‌ ଦେଇନଥିବାରୁ ପଛରୁ ୨ଟି ବାଇକ୍‌ରେ ଆସୁଥିବା ୩ ଜଣ ଯୁବକ ହଡ଼ବଡ଼େଇ ଯାଇଥିଲେ। କୌଣସି ଅଘଟଣ ଘଟିନଥିଲେ ବି କାହିଁକି ଇଣ୍ଡିକେଟର୍‌ ଦେଲନି କହି ରଞ୍ଜିତଙ୍କ ସହ ଝଗଡ଼ା କରିଥିଲେ ଉକ୍ତ ୩ ଜଣ ଯୁବକ। ନିଶାସକ୍ତ ଅବସ୍ଥାରେ ଥିବାରୁ ସେମାନେ କାର ଭିତରୁ ରଞ୍ଜିତଙ୍କୁ ଘୋଷାଡ଼ି ଆଣି ତାଙ୍କ ପେଟ, ଛାତି, ମୁଣ୍ତକୁ ବିଧାଗୋଇଠା ମାରିବା ସହ ପିଟି ଚାଲିଥିଲେ। ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ବଶୁର ଓ ପାଖ ପଡ଼ୋଶୀ ଧାଇଁ ଆସିବାରୁ ଅଭିଯୁକ୍ତମାନେ ବାଇକ୍‌ରେ ଚମ୍ପଟ୍‌ ମାରିଥିଲେ। ଗୁରୁତର ରଞ୍ଜିତ ପାଣି ମାଗି ପିଇବାର କିଛି ସମୟ ପରେ ଚେତାଶୂନ୍ୟ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କପ୍ତିପଦା ଓ ସେଠାରୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଖବର ପାଇ ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସଙ୍କ ସମେତ ବିଜେପିର ଅନେକ କର୍ମକର୍ତ୍ତା ପହଞ୍ଚି ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫି କରିବାକୁ ଦାବି କରିଥିଲେ। ରଞ୍ଜିତଙ୍କ ଶ୍ୱଶୁର ପ୍ରଫୁଲ୍ଲ ପାତ୍ରଙ୍କ ଅଭିଯୋଗ ଆଧାରରେ କପ୍ତିପଦା ପୁଲିସ୍ କେସ୍ ନଂ ୧୫୫/୨୧ରେ ମାମଲା ରୁଜୁ କରି ବିଳମ୍ୱିତ ରାତ୍ରିରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଯୁବକମାନେ ହେଲେ ଆମ୍ୱପିଛୁଳା ଗ୍ରାମର ଲମ୍ୱୋଦର ବେହେରା (୪୦), ଭାଗିରଥୀ ରାଉତ (୩୩) ଓ ଭାଲିଆଡ଼ିହି ଗ୍ରାମର ରବୀନ୍ଦ୍ର ଆରୁଖ (୩୦)। ଲମ୍ୱୋଦର ପେସାରେ ଡ୍ରାଇଭର ହୋଇଥିବାବେଳେ ଭାଗିରଥୀ ଓ ରବୀନ୍ଦ୍ର ଦିନମଜୁରିଆ। ରବିବାରର ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe