ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଘଟଣା: ବାରମ୍ବାର କଥା ବଦଳାଉଛି ହାଇୱା ଚାଳକ

Advertisment

ସମ୍ବଲପୁରର ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ‌ହୋଇ ପାରିନାହିଁ। ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦) ବାରମ୍ବାର ବୟାନ ବଦଳାଉଛି।

ସମ୍ବଲପୁରର ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ‌ହୋଇ ପାରିନାହିଁ। ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦) ବାରମ୍ବାର ବୟାନ ବଦଳାଉଛି।

fffhfhfh

ସମ୍ବଲପୁର/ଚିପିଲିମା: ସମ୍ବଲପୁରର ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ‌ହୋଇ ପାରିନାହିଁ। ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦) ବାରମ୍ବାର ବୟାନ ବଦଳାଉଛି। ଆଜି ଦିନସାରା ପୁଲିସ ପ୍ରସନ୍ନକୁ ପଚରାଉଚରା ଚଳାଇଥିଲା। ସବୁବେଳେ ଭିନ୍ନଭିନ୍ନ କଥା କହୁଛି ପ୍ରସନ୍ନ। ଗାଡ଼ି ଚଢ଼ାଇ ମାରିବା କଥାକୁ ସେ ସ୍ବୀକାର କରୁଥିଲେ ହେଁ ଏହା ପଛର କାରଣ ସଂପର୍କରେ କିଛି ସ୍ପଷ୍ଟ କରୁନାହିଁ। କେ‌ତେବେଳେ ଅନ୍ୟ ଗୋଟିଏ ଗାଡ଼ି ସହିତ ତାର ଝଗଡ଼ା ହୋଇଥିଲା, ସେହି ଗାଡ଼ି ଭାବି ଏମାନଙ୍କ କାର୍‌କୁ ଧକ୍କା ଦେଇଥିବା କହୁଛି ତ ଆଉ କେତେବେଳେ ପୁଣି ବିଜେପି ନେତାଙ୍କ କାର୍‌ର କାଚ ହାଇୱା ସହିତ ଓଭରଟେକ୍‌ ସମୟରେ ବାଜିଯିବାରୁ ତା’ର ରାଗ ହୋଇଥିବା କଥା କହୁଛି। ଗତକାଲି ସେ ‘ମାରିବାକୁ ଇଚ୍ଛା ହେଲା, ତେଣୁ ମାରିଦେଲି’ ବୋଲି କହିଥିଲା। ପ୍ରସନ୍ନର କଥାରେ ତାଳମେଳ ରହୁନାହିଁ। ପ୍ରସନ୍ନ ଜାଣିଶୁଣି ନୂଆ ନୂଆ କାହାଣୀ କହି ପୁଲିସର ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଥିବା ସନ୍ଦେହ କରାଯାଉଛି। ତେବେ ଆଜି ରାତିରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ଆଣିବାକୁ ବୁର୍ଲା ପୁଲିସ ଆବେଦନ କରିଥିବା ବେଳେ କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଛନ୍ତି। 

ଅପରପକ୍ଷରେ ସମ୍ବଲପୁର ବିଧାୟକ ଜୟ‌ନାରାୟଣ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ‘ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଭାବେ ବାରମ୍ବାର କାର୍‌ ଉପରେ ହାଇୱା ଚଢ଼ାଇଥିବା ଜଣାପଡ଼ୁଛି। ସଂପୂର୍ଣ୍ଣ ଭାବେ ହତ୍ୟା ଉଦ୍ଦେଶ୍ୟ‌ରେ ସେ ଏଭଳି କାଣ୍ଡ ଭିଆଇଛି। ଅନ୍ୟ କାହାକୁ ମାରିବାର ଥିଲା, ଭୁଲ୍‌ବଶତଃ ବିଜେପି ନେତାଙ୍କୁ ମାରିଛି। ଅନ୍ୟ କାହାକୁ ମାରିବା ପାଇଁ ସେ ସୁପାରି ନେଇ ଏଭଳି କରିଛି। ତେବେ କାହାକୁ ମାରିବା ପାଇଁ କାହାଠୁ ସୁପାରି ନେଇଛି, ପୁଲିସ ତଦନ୍ତ କଲେ ସତ ଜଣାପଡ଼ିବ। ସେ (ଅଭିଯୁକ୍ତ ଗାଡ଼ିଚାଳକ) କହୁଛି, ସଉକ ହେଲା, ମାରିଦେଲି। ବାସ୍ତବରେ ସଉକରେ କେହି କାହାକୁ ମାରେ ନାହିଁ। ପୁଲିସ ଶୀଘ୍ର ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାର କଥା। ରାଜନୈତିକ କାରଣରୁ କେହି ମରାଇଥିବା ଭଳି ମୋତେ ଲାଗୁ ନାହିଁ’ ବୋଲି ଜୟନାରାୟଣ କହିଛନ୍ତି। ସେ ପାଉଁଶ ମାଫିଆଙ୍କ ପ୍ରତି ମଧ୍ୟ ସ‌ନ୍ଦେହବ୍ୟକ୍ତ କରିଛନ୍ତି। ଜୟନାରାୟଣ ଆହୁରି କହିଛନ୍ତି ଯେ ‘ଦେବେନ୍ଦ୍ର ଓ ମୁରଲୀଧର ଛୁରିଆ ବହୁତ ଭଲ ଲୋକ ଥିଲେ। ନିଷ୍ଠାର ସହିତ ଦଳ ପାଇଁ କାମ କରୁଥିଲେ। ‌ସେମାନଙ୍କ ଭଳି ରାଜନୈତିକ କର୍ମୀ ଆଜିକାଲି ମିଳିବା ବହୁତ କଷ୍ଟକର’। 

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି ବିଜେପି ନେତାଙ୍କ କାରକୁ ୩ ଥର ଧକ୍କା ଦେଇଥିଲା। ଜାତୀୟ ରାଜପଥରେ ଦୁଇଥର ଧକ୍କା ଦେଇଥିଲେ ହେଁ ସେମାନେ ବର୍ତ୍ତି ଯାଇଥିଲେ। ପ୍ରାଣ ବିକଳରେ ଏକ ଗାଁ ରାସ୍ତାକୁ କାର୍‌ ନେଇ ଯାଇଥିଲେ। ଗାଁ ରାସ୍ତାଠାରୁ ଶହେ ମିଟର ଦୂରରେ ସେମାନଙ୍କୁ ପିଛା କରୁଥିବା ହାଇୱା ଚାଳକ ପୁଣି ଧକ୍କା ଦେଇଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଓଲଟି ପଡ଼ିବା ସହ ଦେବେନ୍ଦ୍ର ଓ ମୁରଲୀଧରଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe