ଚୂଡ଼‌ାନ୍ତ ହୋଇପାରୁନି ପ୍ରାର୍ଥୀ ତାଲିକା, ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ବିଜେପି ନଜର

ଚୂଡ଼‌ାନ୍ତ ହୋଇପାରୁନି ପ୍ରାର୍ଥୀ ତାଲିକା, ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ବିଜେପି ନଜର

Odisha Sun Times

ଭୁବନେଶ୍ବର: କାହାକୁ ଅପେକ୍ଷା କରିଛି ବିଜେପି? କାହା ପାଇଁ ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ହୋଇପାରୁନି? କେଉଁ ନୂଆ ନେତା ଦଳରେ ଯୋଗଦେଲେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ? ଅସନ୍ତୋଷ ଭୟରେ ପ୍ରାର୍ଥୀ ତାଲିକା ଘୋଷଣା ଘୂଞ୍ଚାଇ ଦିଆଯାଉନି ତ?

ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ଯେତେ ବିଳମ୍ବ ହେଉଛି, ‌ସେତେ ପ୍ରଶ୍ନ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଆନ୍ଦୋଳିତ କରୁଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଲାଣି। ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଲେଣି। କିନ୍ତୁ ବିଜେପିର ତାଲିକା ଏ ଯାଏ ପ୍ରସ୍ତୁତ ହୋଇପାରୁନି। ଏପରିକି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବି ତାଲିକା ଘୋଷଣା ହେଉ ନାହିଁ। ବିଜେପି ଶୀର୍ଷ ନେତୃତ୍ବ କେଉଁ ଉଦ୍ଦେଶ୍ୟରେ ଏମିତି ବିଳମ୍ବିତ ପ୍ରକ୍ରିୟାକୁ ଆପଣାଇଛନ୍ତି, ତାହା ଏବେ ଆଲୋଚନାର ବିଷୟ ହୋଇଛି। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହେଲା ପରେ କିଛି ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ବିଜେଡି ଟିକେଟ୍‌ରୁ ବଞ୍ଚିତ ସାଂସଦ ଓ ବିଧାୟକମାନେ ଦଳ ବିରୋଧରେ ଅସନ୍ତୋଷ ଓଗାଳିବା ଆରମ୍ଭ କଲେଣି। ସେମାନଙ୍କୁ ନ୍ୟାୟ ଦିଆ ନ ଗଲେ ଅନ୍ୟ ଦଳକୁ ଯାଇ ନିର୍ବାଚନ ଲଢ଼ିବେ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି। ସେମାନଙ୍କ ପାଇଁ ବିଜେପି ହିଁ ବିକଳ୍ପ ଭାବେ ଉଭା ହୋଇଛି।

publive-image Odisha News Insight

ବିଜେପିର ମଧ୍ୟ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆଶାନୁରୂପକ ପ୍ରାର୍ଥୀ ମିଳୁ ନାହାନ୍ତି। ବିଜେଡିରୁ ଅସନ୍ତୁଷ୍ଟ ହୋଇଥିବା ବହୁ ନେତା ବିଜେପିରେ ଯୋଗ ଦେବାକୁ ଯୋଗାଯୋଗ ଆରମ୍ଭ କରିଦେଇଛନ୍ତି। ସେହିପରି କିଛି ‌େନତାଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଯୋଜନା କରାଯାଉଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଟିକେଟ୍‌ରୁ ବଞ୍ଚିତ ୪/୫ ଜଣ ପ୍ରମୁଖ ନେତା ବିଜେପିର ଟିକେଟ୍‌ ଦୌଡ଼ରେ ଥିବା କୁହାଯାଉଛି। କିନ୍ତୁ ମୂଲଚାଲ୍ ଛିଣ୍ଡୁ ନ ଥିବାରୁ ଏ ଯାଏ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରୁ ନ ଥିବା ଜଣାପଡ଼ିଛି। ରାଜ୍ୟ ନେତୃବୃନ୍ଦ ସେହି ନେତାମାନଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି। ସମ୍ଭବତଃ ଆସନ୍ତାକାଲି କିଛି ନିଷ୍କର୍ସ ବାହାରିବ। ତାହା ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

ବିଜେଡି ସହ କଡ଼ା ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଥିବା ବିଜେପି କୌଣସି ସୁଯୋଗ ହାତଛଡ଼ା କରିବା ଅବସ୍ଥାରେ ନାହିଁ। ବିଜେଡି ନେତାଙ୍କୁ ନେଇ ଶାସକ ଦଳରେ ଫାଟ ସୃଷ୍ଟି କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଛି। କିନ୍ତୁ ନେତା ଦଳ ଡେଇଁଲେ ଯେ ସେମାନଙ୍କ ସହ ପୂରା ନିର୍ବାଚନମଣ୍ଡଳୀର ସବୁ କର୍ମୀ ଚାଲିଯିବେ, ତାହା ଆକଳନ କରିବା ଭୁଲ୍। ଅତୀତରେ ମଧ୍ୟ ଶେଷ ମୁହୂର୍ତ୍ତରେ ନିଜ ଦଳରୁ ଟିକେଟ୍‌ ନ ପାଇ ଅନ୍ୟ ଦଳରୁ ପ୍ରା‌ର୍ଥୀ ହୋଇଥିବା‌ ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। କାରଣ ‌େଶଷ ବେଳକୁ ସମୟ କମ୍ ଥିବାରୁ ସେମାନେ ନିଜ ପୁରୁଣା ଦଳର କର୍ମୀଙ୍କୁ ସାଙ୍ଗରେ ଆଣିପାରନ୍ତିନି କି ନୂଆ ଦଳର ପୁରୁଣା ନେତା ଓ କର୍ମୀଙ୍କୁ ମନାଇ ନିଜ ସାଙ୍ଗରେ ନେଇପାରନ୍ତି ନ‌ାହିଁ। ଫଳରେ ଉଭୟ ଦଳ ଓ ପ୍ରାର୍ଥୀ କ୍ଷତିଗ୍ରସ୍ତ ହେବାର ନଜିର ରହିଛି। ତେଣୁ ବିଜେପି ଏବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ବାଟ ଆପଣାଉଥିବାରୁ ଏହା ଫଳପ୍ରଦ ହେବ ନା ବୁମେରାଂ ହେବ, ତାହା କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe