ପୁଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି

Advertisment
ପୁଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ କରିବା ଦାୟିତ୍ୱ ପୁଲିସ ବିଭାଗର। ତାହା ହେଉନି। ବିଜେଡି ଗୁଣ୍ଡାଙ୍କ ଅରାଜକତା ବଢ଼ିଗଲାଣି। ତେଣୁ ପୁଲିସ ଡିଜି ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଗୁରୁବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ଦାବି କରିଛି।

ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ପୁଲିସ ଡିଜିଙ୍କୁ କ୍ୟାମ୍ପ ଅଫିସରେ ଭେଟିବା ସହ ଅଭିଯୋଗ କରିଛି ଯେ, ଗତ ଜାନୁଆରି ୨୧ରେ ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ପ୍ରଦୀପ କୁମାର ମାଡକାମିଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତିନି ଜଣ ଅଜ୍ଞାତ ବ୍ୟକ୍ତି ସର୍ବସାଧାରଣରେ ଧମକ ଦେବା ସହ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ପୁଣି ଗତ ୩୧ ତାରିଖରେ ତିନି ଜଣ ମୁଖା ପିନ୍ଧା ଅଜ୍ଞାତ ବ୍ୟକ୍ତି ଶ୍ରୀ ମାଡକାମିଙ୍କୁ ଆକ୍ରମଣ କରିବା ସହ ମୁହଁରେ କପଡା ବାନ୍ଧି ଅପହରଣ କରିଥିଲେ। କିଛି ବାଟ ଗଲା ପରେ ତାଙ୍କୁ ନିର୍ବାଚନ ପ୍ରଚାର ନକରିବାକୁ ବାଧ୍ୟ କରିଥିଲେ ଏବଂ ଏଥିରୁ ନିବୃତ ନହେଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଛାଡ଼ିଥିଲେ। ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ଜୋନର ବିଜେପି ପ୍ରାର୍ଥୀ ରିନା କବାସିଙ୍କୁ ଗତ ଜାନୁଆରି ୨୩ରେ ଅପହରଣ କରି ତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଓ ଲାଞ୍ଚ ପ୍ରଦାନ କରିଥିବା ହୋମଗାର୍ଡ ସୁଧୀର ସ୍ୱାଇଁଙ୍କ ବିରୋଧରେ ବର୍ତମାନ ସୁଦ୍ଧା ‌କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଗତ ୧ତାରିଖରେ ଭଦ୍ରକ ବ୍ଲକରେ ବିଜେପି କାର୍ଯ୍ୟକର୍ତା ଶୁଭାଶିଷ ଗିରିଙ୍କୁ ବିଜେଡି ଗୁଣ୍ଡାମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ହେଲେ ଅଭିଯୁକ୍ତଙ୍କ ଉପରେ ‌କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ସମସ୍ତଙ୍କୁ ଚକିତ କରିବା ସହିତ ଭୟମୁକ୍ତ ନିର୍ବାଚନକୁ ନେଇ ଅଙ୍ଗୁଳି ଉଠିଛି। ଏହି ସବୁ ଘଟଣାରେ ପୁଲିସ ଡିଜି ହସ୍ତକ୍ଷେପ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ଲିଗାଲସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe