File photo
ଜଗତସିଂହପୁର : ଏରସମାରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଆୟୋଜନ କରି ବିଜେପି ହରଡ଼ଘଣାରେ ପଡ଼ିଛି। ଅନୁମତି ନିଆ ନ ଯାଇ ସଭା କରାଯାଉଥିବାରୁ ପ୍ରଶାସନ ପକ୍ଷରୁ ଆୟୋଜକଙ୍କୁ ନୋଟିସ୍ ଜାରି କରାଯାଇଛି। ତା’ ଛଡ଼ା, ନିର୍ବାଚନ ଆଚରଣବିଧି ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ସ୍ଥାନୀୟ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ଖବର ମୁତାବକ, ଏରସମା ଓ ତିର୍ତ୍ତୋଲ ନିର୍ବାଚନମଣ୍ତଳୀରେ ଆୟୋଜିତ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମ ପାଇଁ ବିଜେପି ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇ ନଥିଲା। ଏରସମା ବ୍ଲକ୍ ଗୋଡ଼ାଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ ଆଜି ସକାଳୁ ସନ୍ଦେହ ଜାରି ରହିଥିଲା। ହେଲେ ସମାବେଶରେ ଯୋଗଦେବା ପାଇଁ କର୍ମୀ ରୁଣ୍ତ ହେବା ବେଳେ ଘଟଣାସ୍ଥଳରେ ଏରସମା ତହସିଲଦାର ଅଞ୍ଜଳି ତରାଇ, ଏସ୍ଡିପିଓ ଦୀପକ ରଂଜନ ଜେନା ଓ ବିଡିଓ କୈଳାସ ଚନ୍ଦ୍ର ବେହେରା ପହଞ୍ଚିଥିଲେ। ଅଧିକାରୀମାନେ ସ୍ଥାନୀୟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁନନ୍ଦନ ଦାସଙ୍କୁ ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମ ପାଇଁ ଅନୁମତି ନଥିବାରୁ ଶ୍ରୀ ଦାସଙ୍କୁ ଘଟଣାସ୍ଥଳରେ ହିଁ ନୋଟିସ୍ ପ୍ରଦାନ କରାଯାଇଥିଲା। ତୁରନ୍ତ ସଭାସ୍ଥଳ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇ ପ୍ରଶାସନିକ ଅଧିକାରୀମାନେ ଚାଲି ଯାଇଥିଲେ।
ଏହାକୁ ନେଇ ଆୟୋଜକମାନେ ଚିନ୍ତାରେ ଥିବା ବେଳେ ଅନ୍ୟ ଏକ ପ୍ରସଙ୍ଗ ସେମାନଙ୍କୁ ସମସ୍ୟାରେ ପକାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାକୁ ମନା କରିଥିଲେ ବି କର୍ମୀଙ୍କ ସଂଖ୍ୟା ହ୍ରାସ ପାଇବା ଆଶଙ୍କାରେ ନେତୃମଣ୍ତଳୀ ଏହି ଖବରକୁ ଚାପି ରଖିଥିଲେ। ସଭାସ୍ଥଳରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନଙ୍କୁ ନ ଦେଖି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତା’ ସତ୍ତ୍ବେ, ‘ମନ୍ତ୍ରୀ ଆସୁଛନ୍ତି’ ବୋଲି ଶେଷ ପର୍ଯ୍ୟନ୍ତ ସଭାରେ କୁହାଯାଇଥିଲା। ଏମିତି ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରି ଆୟୋଜକମାନେ ସାଧାରଣ ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ ପାଇଁ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ନିମନ୍ତ୍ରଣ କରିଥିଲେ।
ତିର୍ତ୍ତୋଲ ନିର୍ବାଚନମଣ୍ତଳୀର ବିରିଡ଼ି ବ୍ଲକ୍ରେ ଆୟୋଜିତ ସଭାରେ ମଧ୍ୟ ଅନୁରୂପ ଭାବେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଗୁହାପୁନମ ତାପସ କୁମାର କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ବିଜେପି ନେତାମାନେ କେବଳ ଆବେଦନ କରିଥିଲେ। ନିୟମ ଅନୁଯାୟୀ କାର୍ଯ୍ୟକ୍ରମର ତିନି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନିଆଯିବା ଆବଶ୍ୟକ। ମାତ୍ର ଆୟୋଜକମାନେ ଏହି ନିୟମର ଖିଲାପ କରିଛନ୍ତି। ଜିଲ୍ଲାର କେଉଁ ସ୍ଥାନରେ ସଭାର ଆୟୋଜନ କରାଯିବ ଓ ହେଲିକପ୍ଟର କେଉଁଠି ଓହ୍ଲାଇବ; ଏ ନେଇ ସେମାନେ କିଛି ଜଣାଇ ନ ଥିଲେ। ଏଣୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବା ପରେ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି ଯେ, ପୂର୍ବରୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ମାତ୍ର ଶନିବାର ଓ ରବିବାର ସରକାରୀ ଛୁଟି ରହିବା କାରଣରୁ ନିୟମ ଅନୁଯାୟୀ କୌଣସି କାର୍ଯ୍ୟକ୍ରମ କରିପାରିଲୁ ନାହିଁ।
Follow Us