ବିଧାୟକ ଦଳ ବୈଠକ : ନାରୀ ନିର୍ଯାତନା ପ୍ରସଙ୍ଗକୁ ଜୋର୍‌ଦାର୍ କରିବ ବିଜେପି

ବିଧାୟକ ଦଳ ବୈଠକ : ନାରୀ ନିର୍ଯାତନା ପ୍ରସଙ୍ଗକୁ ଜୋର୍‌ଦାର୍ କରିବ ବିଜେପି

ଭୁବନେଶ୍ବର : ଯାଜପୁରର ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରି ବିଧାନସଭା‌େର ସରକାରଙ୍କୁ ଘେରିବ। ଏହା ସହ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ଘଟଣାରେ ସରକାରଙ୍କ ଠାରୁ ଜବାବ ମାଗିବ। ସରକାର ଠୋସ୍ ଉତ୍ତର ନ ଦେଲେ ବିଧାନସଭାକୁ ଦଳ ଅଚଳ କରିଦେବ। ଆଜି ବି‌ଧାନସଭା ଅଧିବେଶନ ପୂର୍ବରୁ ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ଏମିତି ନିଷ୍ପତ୍ତି ନିଆଯାଇଛି।

ଗତ ୧୧ ତାରିଖରେ ବିଜେପି ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିଥିଲା। ତେବେ ବହୁ ବିଧାୟକ ଅନୁପସ୍ଥିତ ଥିବାରୁ ଆଜି ସକାଳ ୧୦ଟାରେ ପୁନର୍ବାର ବୈଠକ ଡକାଯାଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ୁଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ନିର୍ଯାତନା ରୋକିବାକୁ ପଦକ୍ଷେପ ନେଉ ନ ଥିବାରୁ ଓ ବିରୋଧୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଗୃହରେ ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ଭୂମିକା ନେବାକୁ ସ୍ଥିର ହୋଇଥିଲା। ଏହା ବାଦ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେର୍‌ଫେର୍‌, ଏହି ଯୋଜନାକୁ ନିଜକୁ ଯୋଜନା କହି ହଡ଼ପ କରିବା, ଧାନ ବିକ୍ରିରେ ଅନିୟମିତତା, ଯୁବପିଢ଼ିଙ୍କୁ ନିଯୁକ୍ତି, ଆଇନ୍‌ଶୃଙ୍ଖଳା ପରିସ୍ଥିତି, ଚାଷୀ ଓ ଚାଷ ପ୍ରସଙ୍ଗ ମଧ୍ୟ ଦଳ ଗୃହରେ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe