ବିଜେପିର ୩ ସଦସ୍ୟଙ୍କ ନିଲମ୍ବନକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ରାତିସାରା ବସିଲେ ବିଜେପି ବିଧାୟକ

ବିଜେପିର ୩ ସଦସ୍ୟଙ୍କ ନିଲମ୍ବନକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ରାତିସାରା ବସିଲେ ବିଜେପି ବିଧାୟକ

ଭୁବନେଶ୍ବର : ବିଜେପିର ୩ ସଦସ୍ୟଙ୍କ ନିଲମ୍ବନକୁ ନେଇ ବିଧାନସଭା ପରିସ୍ଥିତି ଗାନ୍ଧୀମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଛନ୍ତି ବିଜେପି ବିଧାୟକ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ ବାଚସ୍ପତି ଅଗଣତାନ୍ତ୍ରିକ ଭାବେ ଗୃହ ଚଲାଇଛନ୍ତି। ବିରୋଧୀ ସଦସ୍ୟମାନଙ୍କ ଦାବିକୁ ଅଣଦେଖା କରିଛନ୍ତି। ବିଲ୍‌ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନଙ୍କୁ ଭାଗ ନେବାକୁ ସୁଯୋଗ ଦେଇନାହାନ୍ତି। ମୁଲତବୀ ଆଲୋଚନା ଦାବି କରିବା ବିରୋଧୀମାନଙ୍କର ଅଧିକାର। ସେ ଅଧିକାର ବାଚସ୍ପତି ଦେଇନାହାନ୍ତି। ତେବେ ଶନିବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାରତ ବିଧାୟକମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ମାନିନାହାନ୍ତି।

publive-image

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀ ଗୃହରୁ ନିଲମ୍ବିତ ହେବା ପରେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ବିଧାୟକ ଶ୍ରୀ ମାଝୀ କହିଥିଲେ, ତାଙ୍କ ନିଲମ୍ବନ ଅଗଣତାନ୍ତ୍ରିକ। ଖଣି ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ଅସଲ ଚେହେରା ଧରାପଡ଼ିଯିବ ବୋଲି ମୁଲତବୀ ଆଲୋଚନା ଗ୍ରହଣ କରାଗଲାନି। ବାଚସ୍ପତି ଏଥିରେ ପକ୍ଷପାତିତା କରିଛନ୍ତି। ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ ଆଚରଣ ପାଇଁ କୌଣସି ପଶ୍ଚାତାପ କରିନାହାନ୍ତି। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ ଆସନ୍ତାକାଲି ବିଜେପି ବିଧାୟକ ଦଳ ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତିଙ୍କ ଗୃହ ପରିଚାଳନା ନେଇ ତଥ୍ୟ ରଖିବ। ପରେ ଆସନ୍ତା ସୋମବାର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ।

ସନ୍ଧ୍ୟାରେ ଧାରଣସ୍ଥଳକୁ ଯାଇ ନିଜେ ବାଚସ୍ପତି ଶ୍ରୀ ପାତ୍ର ବିଜେପି ସଦସ୍ୟମାନଙ୍କୁ ବୁଝାସୁଝା କରିଥିଲେ ବି ସେମାନେ ମାନିନଥିଲେ। ଗଣମାଧ୍ୟମକୁ ଶ୍ରୀ ପାତ୍ର କହିଥିଲେ, ସରକାରୀ ଦଳର ପ୍ରସ୍ତାବ ଆଧାରରରେ ବିଧାୟକମାନଙ୍କ ନିଲମ୍ବନ ପାଇଁ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ଖୁବଶୀଘ୍ର ସେମାନେ ଧାରଣା ପ୍ରତ୍ୟାହାର କରିବେ ବୋଲି ବିରୋଧୀ ଦଳ ନେତା ତାଙ୍କୁ କହିଥିବା ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe