ପ୍ରଶାସନର ଉଦ୍ୟମ ନିନ୍ଦନୀୟ ଓ ଜନ ଭାବନାର ପରିପନ୍ଥୀ : ସମୀର ମହାନ୍ତି

ସମ୍ବଲପୁରରେ ବିଜେପି ବିଧାୟକ ଓ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଘଟଣା

ବିଜେଡି ଭାଷଣବାଜିରେ ଓବିସିଙ୍କ ପ୍ରତି ମିଛ ଦରଦ ଦେଖାଇବା ବନ୍ଦ କରୁ: ବିଜେପି

Odisha Sun Times

ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନର ନାଲି ଆଖିକୁ ବିଜେପି ଡରିବନି
ବିଜେଡି ନେତାଙ୍କ କୋଭିଡ୍‌ ନିୟମ ଉଲ୍ଲଂଘନକୁ ଦେଖାଇଲେ

ଭୁବନେଶ୍ୱର : ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ଦୁଇ ବିଧାୟକ ଓ ପୁଲିସ୍‌ ମୁହାଁମୁହିଁ ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି। ଜନ ପ୍ରତିନିଧିଙ୍କୁ ପୁଲିସ୍‌ ଲଗାଇ ଦୁର୍ବ୍ୟବହାର କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତଡ଼ିବାକୁ ଉଦ୍ୟମ ହୋଇଥିଲା। ପ୍ରଶାସନର ଏପରି ଉଦ୍ୟମ ନିନ୍ଦନୀୟ ଓ ଜନ ଭାବନାର ପରିପନ୍ଥୀ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ସମ୍ବଲପୁର ସହର ଓ ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ ମହାମାରୀ କରୋନାର ସ୍ଥିତି ସଙ୍ଗୀନ ହେଉଛି। କରୋନାର ସୁପରିଚାଳନା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ବନ୍ଦୋବସ୍ତ ନେଇ ଜନ ପ୍ରତିନିଧି ଭାବେ ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକଙ୍କର ବଡ଼ ଦାୟିତ୍ୱ ରହିଛି। ସେମାନେ ଏହି ଦାୟିତ୍ୱକୁ ପାଳନ କରିବା ପାଇଁ ଏମାନେ ବଦ୍ଧ ପରିକର। ଉଭୟ ବିଧାୟକ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଜଣା ବ୍ୟକ୍ତି ନୁହନ୍ତି। ସେମାନେ ନିର୍ବାଚିତ ଜନ ପ୍ରତିନିଧି। ଜିଲ୍ଲାପାଳ ସାମାନ୍ୟ ସୌଜନ୍ୟତା ଦେଖାଇ ସେମାନଙ୍କୁ ସାକ୍ଷାତ କରିବାକୁ ସୁଯୋଗ ଦେଇ ସମସ୍ୟା ବୁଝିପାରିଥା’ନ୍ତେ କିମ୍ବା ନିଜେ କାର୍ଯ୍ୟାଳୟ ବାହାରକୁ ଆସି ସାକ୍ଷାତ କରିପାରିଥା’ନ୍ତେ। ମାତ୍ର ଯାହା ବ୍ରିଟିସ୍‌ ଶାସନରେ ହୋଇ ନ ଥିଲା, ତାହା ସମ୍ବଲପୁରରେ ହେଲା। ଜିଲ୍ଲାପାଳ ଦୁଇ ବିଧାୟକଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ଜୋର୍‌ ଜବରଦସ୍ତ ପାଟି ବନ୍ଦ କରିବାକୁ ଅପଚେଷ୍ଟା କରିଛନ୍ତି। ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଯେତେ ନାଲି ଆଖି ଦେଖାଇଲେ ବି ବିଜେପି ଜନ ସମସ୍ୟାକୁ ଉଠାଇବା ବନ୍ଦ କରିବ ନାହିଁ। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ଼୍ ହସ୍ପିଟାଲରେ ପରିଣତ କରିବା, ପ୍ରତିଶ୍ରୁତି ଦିଆଯାଇଥିବା ୩୦ ଆଇସିୟୁ ବେଡ୍ ନ ହେବା ଓ ଅନ୍ୟାନ୍ୟ ରୋଗର ଶୀକାର ଲୋକଙ୍କ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ନେଇ କିଛି ଦିନ ପୂର୍ବରୁ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକର ବିଜେପି ବିଧାୟକମାନେ ଆରଡ଼ିସିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ଗୋଟିଏ ବି ବିଷୟର ସମାଧାନ କରାଯାଇ ନାହିଁ।

ବିଜେଡିର କିଛି ମନ୍ତ୍ରୀ ଓ ବିଧାୟକ କିପରି କୋଭିଡ୍‌ ନିୟମ ଉଲ୍ଲଂଘନ କରିଛନ୍ତି ତାହାର ଫଟୋ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲେ। ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସୋରଡ଼ା ବିଧାୟକ ପ୍ରମୁଖ ବିଭିନ୍ନ ସମୟରେ କୋଭିଡ୍‌ ନିୟମର ଖୋଲା ଉଲ୍ଲଂଘନ କରିଥିଲେ ବି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ନିଜ ଦଳ ଓ ଅନ୍ୟ ଦଳ ପାଇଁ କ’ଣ ନିୟମ ଭିନ୍ନ ଭିନ୍ନ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଜନ ପ୍ରତିନିଧିମାନଙ୍କୁ ନାଲି ଆଖି ଦେଖାଇ ଜନ ଭାବନାକୁ ଦବାଇ ଦେବା ପାଇଁ ପ୍ରଶାସନର ଉଦ୍ୟମକୁ ବିଜେପି ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe