କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟର ବିଜେପି ସାଂସଦ, ଧାନ ସଂଗ୍ରହ ପ୍ରକ୍ରିୟାରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟର ବିଜେପି ସାଂସଦ, ଧାନ ସଂଗ୍ରହ ପ୍ରକ୍ରିୟାରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ

ନୂଆଦିଲ୍ଲୀ : ଆଜି ବିଜେପିର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ‌କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଶାର ବିଭିନ୍ନ ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦାବିରେ କେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଭେଟିଛନ୍ତି। ବିଜେଡି ଭଳି ବିଜେପି ମଧ୍ୟ ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକପତ୍ର ଦେଇଛି।

ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ ନ କରାଯିବାରୁ ଓଡ଼ିଶାର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ୨୦୧୪ରୁ କେନ୍ଦ୍ର ସରକାର ଓଡ଼ିଶାର କୃଷକଙ୍କଠାରୁ ୬୦,୫୯୪କୋଟି ଟଙ୍କାର ଏମଏସପି ମୂଲ୍ୟରେ ୩୭୦ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି। ପିଏମ କିଷାନ ଯୋଜନାରେ ନିଜର ନାଁ ପଞ୍ଜିକୃତ କରାଇଥିବା କୃଷକଙ୍କ ଆକାଉଣ୍ଟକୁ ପ୍ରତି ୩ମାସରେ ୨ହଜାର ଟଙ୍କା ପଠାଇଛନ୍ତି। ଏ ପର୍ଯ୍ୟନ୍ତ ୩,୨୭୪.୨୧କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଇଛି। କେନ୍ଦ୍ର ସରକାର ଏତେ ସାହାଯ୍ୟ ଯୋଗାଇ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଧାନ କିଣାରେ କେନ୍ଦ୍ର ସାହାଯ୍ୟ କରୁ ନଥିବା କହୁଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ନିଜ କ୍ଷମତାର ଦୂରପଯୋଗ କରିବା ସହ ପ୍ରଶାସନିକ ଅପାରଗତା ଏବଂ ବ୍ୟାପକ ଅନିୟମିତତା ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁନାହିଁ।

ଚଳିତ ବର୍ଷ ମୌସୁମୀ ଠିକ ସମୟରେ ଆସିବା ସହ ଫସଲ ଭଲ ହୋଇଥିଲେ ମଧ୍ୟ ‌ରାଜ୍ୟ ସରକାର ଧାନ ସଂଗ୍ରହ ସର୍ବୋଚ୍ଚ ସୀମାରେ କୌଣସି ପରିବର୍ତ୍ତନ କରି ନଥିଲେ। ଏନେଇ ହଜାର ହଜାର କୃଷକ ବାଧ୍ୟ ହୋଇ କେନ୍ଦ୍ର ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଏମଏସପିର ଅଧା ଦାମରେ ଧାନ ବିକ୍ରି କରିଥିଲେ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ମଣ୍ଡିରେ ବିକ୍ରି ନ ହୋଇ ଶହ ଶହ ଟନ୍ ଧାନ ପଡ଼ି ରହିଛି। ଚାଷୀଙ୍କ ପୂରା ଧାନ କିଣିବା ଦିଗରେ ପଦକ୍ଷେପ ନିଆଯିବା ସହ ତୁରନ୍ତ ଧାନ ସଂଗ୍ରହ ପ୍ରକ୍ରିୟାକୁ ଶେଷ କରିବା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ବିଜେପି ସାଂସଦ।

ଏହାପରେ ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣାରେ ବିଳମ୍ବର ସତ୍ୟତା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପାଇଁ ଆମେ ଅନୁରୋଧ କଲୁ । ଏହାକୁ ଗମ୍ଭୀରତାର ସହ ନେଇ ଏହି ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe