ନିର୍ବାଚନ କମିସନ୍‌ଙ୍କୁ ଭେଟିଲା ବିଜେପି ଓବିସି ମୋର୍ଚ୍ଚା

Advertisment

ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରାଯାଉ

ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରାଯାଉ

ନିର୍ବାଚନ କମିସନ୍‌ଙ୍କୁ ଭେଟିଲା ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ବର : ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି। ଏହି ତାଲିକାରେ ବ୍ୟାପକ ତ୍ରୁଟି ରହିଛି ବୋଲି ବିଜେପି ଓବିସି ମୋର୍ଚ୍ଚା ଅଭି‌ଯୋଗ କରିଛି। ପଛୁଆ ବର୍ଗ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ ଦାବି କରି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ଚିଠା ସଂରକ୍ଷଣ ତାଲିକା ପଞ୍ଚାୟତ ଆଇନର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରିବା ସହ ମତଦାତାଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାରକୁ ହତ୍ୟା କରୁଛି। ସେମାନଙ୍କୁ ନିର୍ବାଚିତ ହେବା ଅଧିକାରରୁ ବଞ୍ଚିତ କରୁଛି। ଜିଲ୍ଲାପାଳମାନେ ସଂରକ୍ଷଣ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମାକୁ ଅଣଦେଖା କରି ମନମୁଖୀ ଭାବେ ସଂରକ୍ଷଣ କରିଛନ୍ତି। ସମ୍ବଲପୁର, କଳାହାଣ୍ଡି, ଝାରସୁଗୁଡ଼ା, ଗଜପତି ଜିଲ୍ଲାରେ ପଛୁଆବର୍ଗଙ୍କ ପାଇଁ କୌଣସି ଜିଲ୍ଲା ପରିଷଦ ସଭ୍ୟ ଆସନ ସଂରକ୍ଷିତ ନ ଥିବା ବେଳେ ରାୟଗଡ଼ାରେ ଅଣସଂରକ୍ଷିତ ସଂଖ୍ୟା ଶୂନ। ଗଜପତି ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ନ ଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ସେହି ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦବି ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି। ସେହିପରି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ପଞ୍ଚାୟତ ସମିତିରେ ସମିତି ସଭ୍ୟ ପଦବି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ଗୋଟିଏ ଆସନ ବି ସଂରକ୍ଷିତ ନ ଥିଲା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ପଛୁଆ ବର୍ଗ ପାଇଁ ସଂରକ୍ଷିତ ଅଛି।

ବିଜେପି ଆହୁରି ଅଭିଯୋଗ କରିଛି ଯେ ଗତ ନିର୍ବାଚନଗୁଡ଼ିକରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଥିଲା ବେଳେ ଚଳିତ ନିର୍ବାଚନରେ ପଛୁଆ ବର୍ଗଙ୍କୁ କେତେ ପ୍ରତିଶତ ସଂରକ୍ଷଣ ଦିଆଯିବ, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନରେ ସ୍ପଷ୍ଟତା ନାହିଁ। ଯଦି ସଂରକ୍ଷଣ ୫୦% ଭିତରେ ରହିବ, ତେବେ ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ୧୧.୨୫% ସଂରକ୍ଷଣରୁ ପଛୁଆ ବର୍ଗ ବଞ୍ଚିତ ହେଲେ କିପରି? ସଂରକ୍ଷଣ ପାଇବା ପଛୁଆ ବର୍ଗଙ୍କ ଅଧିକାର। କିନ୍ତୁ ରାଜ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି। ସରକାର ଏହି ଜନବିରୋଧୀ ଚିଠା ସଂରକ୍ଷଣ ତାଲିକାକୁ ପ୍ରତ୍ୟାହାର କରିବା ସହ ଆବଶ୍ୟକ ସଂଶୋଧନ କରି ପୁନର୍ବାର ପ୍ରକାଶ କରିବା ପାଇଁ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଦାବି କରିଛନ୍ତି। ନିର୍ବାଚନ କମିସନ୍‌ଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ସଂଗ୍ରାମ କେଶରୀ ନାୟକ, ସିଦ୍ଧାର୍ଥ ଶଙ୍କର ପତି, ପ୍ରଦୀପ୍ତ କୁମାର ବେହେରା ଓ ଗୋପାଳ ‌ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe