ବିଧାନସଭା ପାଇଁ ବିଜେପିର ରଣନୀତି : ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି

Advertisment

ପୁଣି ୧୩ରେ ବସିବ ପୂର୍ଣ୍ଣାଙ୍ଗ ବୈଠକ

ପୁଣି ୧୩ରେ ବସିବ ପୂର୍ଣ୍ଣାଙ୍ଗ ବୈଠକ

ସଂସଦରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ : କଂଗ୍ରେସର ସିବିଆଇ ତଦନ୍ତ ଦାବି, ବିଜେଡିର ବିରୋଧ, ବିଜେପି ନିରବ

ଭୁବନେଶ୍ବର : ଯାଜପୁରର ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିଜେପି ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛି। ଏବେ ବିଧାନସଭା ଗୃହରେ ଏହି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବାକୁ ଦଳ ପ୍ରସ୍ତୁତି କରିଛି। ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତ ଅଧିବେଶନର ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବାକୁ ଆଜି ବୈଠକ ଡକାଯାଇଥିଲା। ବୈଠକରେ ପ୍ରାୟ ୧୦ ଜଣ ବିଧାୟକ ଅନୁପସ୍ଥିତ ଥିବାରୁ ୧୩ ତାରିଖରେ ଆଉ ଥରେ ବିଧାୟକ ଦଳର ପୂର୍ଣ୍ଣାଙ୍ଗ ବୈଠକ ବସିବ ବୋଲି ସ୍ଥିର ହୋଇଥିଲା। ତେବେ ଆଜିର ବୈଠକରେ ରଣନୀତି ସମ୍ପର୍କରେ ପ୍ରାଥମିକ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ୁଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ଉଠାଇବାରେ ଜିଲ୍ଲା ପୁଲିସ ସମର୍ଥ ହୋଇ ନାହିଁ। ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ଥିଲେ ମଧ୍ୟ ପୁଲିସ୍ କାହାକୁ ଗିରଫ କରୁ ନାହିଁ। ଏହାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେବା ପାଇଁ ବିଜେପି ବାରମ୍ବାର ଦାବି କରୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି। ଏହା ସହ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍ ବ୍ୟାଙ୍କରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ପ୍ରସଙ୍ଗରେ ବି ପୁଲିସ୍‌ର ଭୂମିକା ସନ୍ଦେହଜନକ ଥିଲା। ବିଜେପି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାକୁ ବିଜୁ ପକ୍କା ଘର ଯୋଜନା ନାଁରେ ବାଣ୍ଟିବା, ଫନି ସହାୟତା ବଣ୍ଟନରେ ବ୍ୟାପକ ଅନିୟମିତତା ଆଦି ପ୍ରସଙ୍ଗ ବିଜେପି ବିଧାନସଭାରେ ଉଠାଇବ। ୧୩ ତାରିଖ ବୈଠକରେ ପ୍ରସଙ୍ଗଗୁଡ଼ିକ ଉପରେ ଅଧିକ ଆଲୋଚନା ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe