ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ଼ ଦେଲା ବିଜେପି, ପ୍ରଥମ ୬ ମାସରେ ୬ଟି ବଡ଼ ବିଫଳତା ଦର୍ଶାଇଲା ଦଳ

Advertisment
ବିଜେଡି ଭାଷଣବାଜିରେ ଓବିସିଙ୍କ ପ୍ରତି ମିଛ ଦରଦ ଦେଖାଇବା ବନ୍ଦ କରୁ: ବିଜେପି

Odisha Sun Times

ଭୁବନେଶ୍ବର : ଓଡ଼ିଶାରେ ମହିଳା ଦୁଷ୍କର୍ମ ଘଟଣା କେବଳ ବଢ଼ିନି ମହିଳାଙ୍କୁ ସୁରକ୍ଷା ଦେବାରେ ପୁଲିସ ରାକ୍ଷସ ପାଲଟିଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସରକାରଙ୍କ ଉପରେ ଏପରି ଅଭିଯୋଗ ଆଣିଛି। ଏହାସହିତ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ୬ ମାସରେ ୬ଟି ବଡ଼ ବିଫଳତା ଦର୍ଶାଇଛି।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଥିଲେ, ମହିଳା ଦୁଷ୍କର୍ମ ଘଟଣାରେ ରାଜ୍ୟ ରେକର୍ଡ଼ କଲାଣି। ମୃତା ସ୍ମିତାରାଣୀଙ୍କ ଚରିତ୍ର ସଂହାର କରି ଯାଜପୁର ଏସପି ଚରଣ ସିଂ ମୀନା ଶାସକ ଦଳର ବାହୁବଳି ନେତାଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି। ଯାଜପୁରର ରଙ୍ଗଶାଳାରୁ ପୁରୀର ପୁଲିସ କ୍ବାର୍ଟର ମହିଳାଙ୍କ ଅତ୍ୟାଚାର ପାଇଁ ଭୋଗଶାଳା ପାଲଟିଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ହୋଇଥିବା ନେଇ ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ଖୋଦ ବିଭାଗୀୟ ମନ୍ତ୍ରୀଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମିଳିଥିବା ପ୍ରମାଣ ରାଜ୍ୟବାସୀଙ୍କ ଆଖି ଖୋଲିଦେଇଛି। ଶାସକ ଦଳର ଧନୀ ବଡ଼ ନେତାଙ୍କୁ ଘର ମିଳିଛି। ଅଥଚ ବିଧବା, ମହିଳା, ଭୂମିହୀନ, ଦିବ୍ୟାଙ୍ଗ ପରିବାର ଲାଞ୍ଚ ଦେଇନପାରିବା କାରଣରୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ମାହାଙ୍ଗାରେ ଆବାସ କେଳେଙ୍କାରୀରେ ଯେଉଁ ବିଡିଓ ସମ୍ପୃକ୍ତ ତାଙ୍କୁ ଖୋଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କର ଓଏସଡି ଭାବେ ସରକାର ପଦୋନ୍ନତି ଦେଇଛନ୍ତି। ଫନି ଆସିବା ପୂର୍ବରୁ ଓ ପରେ କେନ୍ଦ୍ର ସରକାର ରେକର୍ଡ଼ ପରିମାଣର ଆର୍ଥିକ ସହାୟତା ରାଜ୍ୟକୁ ଯୋଗାଇ ଦେଇଥିଲେ। ଫନିରେ ପୁରୀ, ଖୋର୍ଦ୍ଧା ସମେତ ଅଳ୍ପ କେତୋଟି ଉପକୂଳ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଏବେ ବି ପଲିଥିନ ତଳେ ଲୋକେ ଜୀବନ ବିତାଉଛନ୍ତି।

ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା ପ୍ରକଳ୍ପରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅପରପକ୍ଷରେ ସିଏଜିଙ୍କ ସଦ୍ୟତମ ରିପୋର୍ଟ ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି। କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବା ବଦଳରେ ବିନା କାରଣରେ ଋଣ ଆଣି ଓଡ଼ିଶା ଅର୍ଥନୀତିକୁ ଦେବାଳିଆ କରିବାରେ ବଡ଼ ଭୂମିକା ରାଜ୍ୟ ସରକାର ନେଇଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ସିଏଜି ତାଙ୍କ ରିପୋର୍ଟରେ ରାଜ୍ୟ ତହବିଲର ୩୮ ହଜାର ୪୨୭ କୋଟି ଟଙ୍କା ଗାଏବ ହେବା ଦର୍ଶାଇଛନ୍ତି। ଚିଟଫଣ୍ଡ୍ ଜମାକାରୀଙ୍କ ପାଇଁ ଗଠନ ହୋଇଥିବା ୩୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି କୁଆଡ଼େ ଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଥିଲେ। ଏବେ ଅର୍ଥ ଅଭାବ ହେବାରୁ ରାଜ୍ୟ ସରକାର ଏବେ କାଳିଆ ଯୋଜନାକୁ ପିଏମ କିଷାନ୍ ନିଧି ଯୋଜନା ସହିତ ସାମିଲ କରିବାକୁ ଯାଉଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ସରକାର ରାଜ୍ୟରେ ଲାଗୁ କରୁନାହାନ୍ତି। ଓଡ଼ିଶା ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରି ବିଜେଡି ଭୋଟ ସୁରକ୍ଷିତ ରଖିବା ଏ ସରକାରର ଲକ୍ଷ୍ୟ ବୋଲି ବିଜେପି ଅଭିଯୋଗ କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe