ଝାରସୁଗୁଡ଼ାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କର୍ମୀଙ୍କୁ ଦେଲେ ୧୦ ସୂତ୍ରୀ ମନ୍ତ୍ର

ଝାରସୁଗୁଡ଼ାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କର୍ମୀଙ୍କୁ ଦେଲେ ୧୦ ସୂତ୍ରୀ ମନ୍ତ୍ର

ଝାରସୁଗୁଡ଼ା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟାରେ ଶ୍ରୀ ନଡ୍ଡା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ପଣ୍ଡ୍ରିପଥରସ୍ଥିତ ଜିଲ୍ଲା ବିଜେପିର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ। ଏଠାରେ ବରଗଡ଼ ଲୋକସଭାସ୍ତରୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ଶ୍ରୀ ନଡ୍ଡା ୧୦ ସୂତ୍ରୀ ମନ୍ତ୍ର ଦେଇଛନ୍ତି। ବୈଠକ ପରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ‘ନିର୍ବାଚନ ଜିତିବାର ମନ୍ତ୍ର ହେଉଛି ଆଭ୍ୟନ୍ତରୀଣ ରଣକୌଶଳ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜ ଅନୁଭୂତି ଓ ଅନୁଭବ ବାଣ୍ଟିଲେ। କିଭଳି ଭାବେ ଲୋକଙ୍କ ପାଖରେ କର୍ମୀ ପହଞ୍ଚିବେ, କିଭଳି ଭାବେ ସେମାନଙ୍କ ସହ ଯୋଡ଼ି ହେବେ ଓ ବିକାଶରେ ସାମିଲ୍‌ ହେବେ ସେନେଇ ଆଲୋଚନା ହେବ। କେଉଁ ମନ୍ତ୍ର ଗ୍ରହଣ କଲେ ବିଜେପି ନିର୍ବାଚନରେ ବିଜୟୀ ହେବ ସେନେଇ ସୂଚନା ଦେଲେ। ଆଗାମୀ ନିର୍ବାଚନ ସମୟରେ ନିଷ୍ଠା ଓ ପ୍ରତିବଦ୍ଧତା ବୃଦ୍ଧି ସହ ବିଜେପି କିଭଳି ବିପୁଳ ବିଜୟ ପାଇବ ସେନେଇ କାମ କରିବାକୁ ଅଧ୍ୟକ୍ଷ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି। ଏହାବାଦ୍‌ ଆଗାମୀ ନିର୍ବାଚନରେ ଓଡ଼ିଶାରେ କିଭଳି ଡବଲ୍‌ ଇଞ୍ଜିନ ସରକାର ହେବ ସେଦିଗରେ କାମ କରିବାକୁ ମଧ୍ୟ ମନ୍ତ୍ର ଦେଇଥିବା ଶ୍ରୀ ପୂଜାରୀ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, ସାଂସଦ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ବିଜେପି ନେତା ପ୍ରଦୀପ ପୁରୋହିତ ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ନଡ୍ଡାଙ୍କୁ ଦେଖିବା ପାଇଁ ବିମାନ ବନ୍ଦର ବାହାରେ ଲୋକଙ୍କ ଭିଡ଼ ଜମିଥିଲା। ବିମାନ ବନ୍ଦରରୁ ପଣ୍ଡ୍ରିପଥରସ୍ଥିତ ଜିଲ୍ଲା ବିଜେପିର ନୂତନ କାର୍ଯ୍ୟାଳୟ ଯିବା ବାଟରେ କିସାନ ଛକଠାରେ ଦଳୀୟ କର୍ମକର୍ତ୍ତା ଶ୍ରୀ ନଡ୍ଡାଙ୍କୁ ସ୍ୱାଗତ କରିଥିଲେ। ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟନ ପରେ ଏଠାରେ ବରଗଡ଼ ଲୋକସଭାସ୍ତରୀୟ ନେତାଙ୍କୁ ନେଇ ଆଲୋଚନା କରିଥିଲେ ଶ୍ରୀ ନଡ୍ଡା। ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେନେଇ ଶ୍ରୀ ନଡ୍ଡା କର୍ମୀଙ୍କ ସହ ଆଲୋଚନା କରିଥିଲେ। ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଅଭିମୁଖେ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe