ମାଲକାନଗିରି ଓ ବୀରମିତ୍ରପୁରରେ ଦୁଷ୍କର୍ମ ଘଟଣାରେ ପୁଲିସର ସଂପୃକ୍ତି ପ୍ରସଙ୍ଗ

ତଦନ୍ତ ପାଇଁ ସରକାର ଏସ୍‌ଆଇଟି ଗଠନ କରନ୍ତୁ: ବିଜେପି

ମାଲକାନଗିରି ଓ ବୀରମିତ୍ରପୁରରେ ଦୁଷ୍କର୍ମ ଘଟଣାରେ ପୁଲିସର ସଂପୃକ୍ତି ପ୍ରସଙ୍ଗ

ଭୁବନେଶ୍ୱର: ମାଲକାନଗିରି ଓ ବୀରମିତ୍ରପୁରରେ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ଏସ୍‌ଆଇଟି ଗଠନ କରିବାକୁ ଦାବି କରିଛି ବିଜେପି। ଉଭୟ ଘଟଣାରେ ପୁଲିସ୍‌ ସଂପୃକ୍ତ ଥିବାରୁ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ କହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଦୀର୍ଘ ସମୟ ଧରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି। ଲୋକମାନଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ଦାୟିତ୍ବ। କିନ୍ତୁ ଦୁଃଖର କଥା ମହିଳାମାନଙ୍କ ସହ ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ସରକାରଙ୍କ ଅବହେଳା ଯୋଗୁଁ ଦୋଷୀ ମାନଙ୍କୁ ଦଣ୍ଡ ମିଳିପାରୁ ନାହିଁ। ଖୋଦ୍ ପୁଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି। ମାଲକାନଗିରି ପୁଲିସ୍‌ କ୍ୟାଣ୍ଟିନ୍‌ରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପର ମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉତ୍ପୀଡ଼ନ କରିଆସୁଥିଲେ। ଏହି ଦୁଇଟି ଘଟଣାରେ ପୋଲିସର ସଂପୃକ୍ତି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୁଇଟି ଯାକ ଘଟଣା ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏପର୍ଯ୍ୟନ୍ତ କାହିଁକି ଏସ୍‌ସି ଏସ୍‌ଟି ଏଟ୍ରୋସିଟି ଆକ୍ଟ ଲଗାଯାଇ ନାହିଁ ? ପୀଡ଼ିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିଛନ୍ତି କାହିଁକି? ଏହି ଦୁଇଟି ଘଟଣା ପୁଲିସ୍‌ର କ୍ୟାମ୍ପସ୍‌ ଭିତରେ ହୋଇଥିବାରୁ ଏବଂ ପୁଲିସ୍‌ର ସଂପୃକ୍ତି ଥିବା ଯୋଗୁ ଚପେଇ ଦିଆଯାଉଛି। ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବ ନାହିଁ। ରାଜ୍ୟ ସରକାର ଏ ଦୁଇଟି ଘଟଣାକୁ ଗୁରୁତର ସହ ନେଇ ଏସ୍‌ଆଇଟି ଗଠନ କରି ସ୍ଥାନୀୟ ପୋଲିସଙ୍କୁ ବାଦ୍ ଦେଇ ତଦନ୍ତ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

ଆଗାମୀ ଦିନରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାଲକାନଗିରି ଏବଂ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୀରମିତ୍ରପୁର ଯାଇ ଘଟଣାର ସର୍‌ଜମିନ ତଦନ୍ତ କରିବେ। ଆବଶ୍ୟକ ପଡ଼ିଲେ ଏହି ଘଟଣା ସମ୍ପର୍କରେ ଆମେ କେନ୍ଦ୍ର ମହିଳା କମିସନ୍‌ ଓ କେନ୍ଦ୍ର ସରକାରଙ୍କୁ ଜଣାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶଙ୍କର ଓରାମ, ପ୍ରଭାତୀ ପରିଡ଼ା, ଲେଖାଶ୍ରୀ ସାମନ୍ତସିଂହାର, ସୁଦୀପ୍ତ ରାୟ, ସୋନାଲି ସାହୁ ଓ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe