ଏନ୍‌ଆଇଏ ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ବିଜେପିର ଅନୁରୋଧ

ଗୁଡ୍ଡୁ ମୁସଲିମର ବରଗଡ଼ ଲିଙ୍କ୍‌ ନେଇ ଉଠାଇଲା ପ୍ରଶ୍ନ

ଏନ୍‌ଆଇଏ ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ବିଜେପିର ଅନୁରୋଧ

ଝାରସୁଗୁଡ଼ା : ସମ୍ବଲପୁର ହିଂସା ଘଟଣାକୁ ନେଇ ସୋମବାର ବିଜେପି ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। ହିଂସା ସମୟରେ ଜଣେ ଆଦିବାସୀ ଯୁବକକୁ ନିର୍ମମ ଭାବେ ହତ୍ୟା, ଦଙ୍ଗାକାରୀଙ୍କ ବିରୋଧରେ କୌଣସି ଆଖିଦୃଶିଆ ପଦକ୍ଷେପ ନନେବା, ଆକ୍ରୋଶମୂଳକ ଭାବେ ନିରୀହ ‌ଲୋକଙ୍କୁ ଗିରଫ କରିବା ଆଦି ପ୍ରସଙ୍ଗରେ ରାଜ୍ୟ ଓ ରାଷ୍ଟ୍ରୀୟ ମାନବାଧିକାର କମିସନ, ରାଷ୍ଟ୍ରୀୟ ଜନଜାତି କମିସନଙ୍କ ନିକଟରେ ଅଭିଯୋଗ କରାଯାଇଛି। କେବଳ ସେତିକି ନୁହେଁ ବରଂ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହାର ତଦନ୍ତ ଭାର ଏନ୍‌ଆଇଏକୁ ପ୍ରଦାନ କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ପଶ୍ଚିମବଙ୍ଗକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟର ଅନ୍ତୁଡ଼ିଶାଳ ବୋଲି କହିଛନ୍ତି ସାଂସଦ ଶ୍ରୀ ପୂଜାରୀ। ଏହାସହିତ ସମ୍ବଲପୁରର ମୋତିଝରନଠାରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରବିରୋଧୀ କାର୍ଯ୍ୟର ପ୍ରମୁଖ ସ୍ଥାନ ମୁର୍ସିଦାବାଦକୁ ପ୍ରତିଦିନ ବସ୍ ଚଳାଚଳ ହେଉଛି। ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ରଖିବାର ପ୍ରୟାସ କରାଯାଉ ନାହିଁ। ସେ ଅଂଚଳରେ ସାଂପ୍ରଦାୟିକ ସଦ୍‌ଭାବନା ବିଫଳ ହେବାରେ ଏହା ଅନ୍ୟତମ ମୁଖ୍ୟ କାରଣ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସେପଟେ, ୟୁପି ଏସ୍‌ଟିଏଫ୍‌ର ୱାଣ୍ଟେଡ୍‌ ତାଲିକାରେ ଥିବା ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍‌ ଏବଂ ଗତ ୧୨ ତାରିଖରେ ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ସ୍ଲୋଗାନ୍‌ ପରସ୍ପର ସହ ଜଡ଼ିତ ନୁହେଁ ତ ବୋଲି ବିଜେପି ପ୍ରଶ୍ନ କରିଛି।

ବରଗଡ଼ର ରାଜା ଖାନ୍‌ ଓ ଗୁଡ୍ଡୁ ମୁସଲିମ୍‌ର କଣ ଲିଙ୍କ୍‌ ରହିଛି? ୟୁପି ଏସ୍‌ଟିଏଫ୍‌ ରାଜା ଖାନ୍‌ ପାଖରେ ପହଞ୍ଚିବା ପୂର୍ବରୁ ଓଡ଼ିଶା ପୁଲିସ୍‌ କାହିଁକି ସେଠାରେ ପହଞ୍ଚି ପାରିଲାନି ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି। ଗୁଡ୍ଡୁର ବରଗଡ଼ ଲିଙ୍କ୍‌ ହୀରାକୁଦ ବନ୍ଧର ସୁରକ୍ଷାକୁ ନେଇ ବି ପ୍ରଶ୍ନବାଚୀ ଛିଡ଼ା କରିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟର ବଡ଼ ବଡ଼ ଅପରାଧୀମାନେ ଓଡ଼ିଶା ଆସି ସୁରକ୍ଷିତ ଭାବେ ଆଶ୍ରୟ ନେଉଛନ୍ତି। ୟୁପି ଏସ୍‌ଟିଏଫ୍‌ ଆସି ସେମାନଙ୍କୁ ଠାବ କରୁଛି। ଅଥଚ ପୁଲିସ୍‌ ଡିଜି କି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ କୌଣସି ବିବୃତ୍ତି ନଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe