ବିଜେପି ପାଇଁ ଏବେ ଦିଲୀପ ଭରସା : ଦଳକୁ ଫେରି ଆସିବାକୁ ଅନୁରୋଧ କଲେ ଜୁଏଲ

Advertisment

୧୫ରେ ରାଉରକେଲା ଆସିବେ ଯୋଗୀ ଆଦିତ୍ୟନାଥ, ଏୟାରଷ୍ଟ୍ରିପ୍‌ ପଡ଼ିଆରେ ସଂକଳ୍ପ ସମାବେଶ

୧୫ରେ ରାଉରକେଲା ଆସିବେ ଯୋଗୀ ଆଦିତ୍ୟନାଥ, ଏୟାରଷ୍ଟ୍ରିପ୍‌ ପଡ଼ିଆରେ ସଂକଳ୍ପ ସମାବେଶ

ବିଜେପି ପାଇଁ ଏବେ ଦିଲୀପ ଭରସା : ଦଳକୁ ଫେରି ଆସିବାକୁ ଅନୁରୋଧ କଲେ ଜୁଏଲ

ରାଉରକେଲା : ରାଜ୍ୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ବହନ କରୁଥିବା ପୁରୁଖା ନେତା ଦିଲୀପ ରାୟଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିଜ ସମର୍ଥକଙ୍କୁ ପରୋକ୍ଷରେ ବିଜେପିକୁ ଭୋଟ ନ ଦେବାକୁ ଆହ୍ବାନ କରିବାର କିଛି ଦିନ ନ ଯାଉଣୁ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌କୁ ସୁପର ସ୍ପୋଶାଲିଟି ହସପିଟାଲ ପରିବର୍ତ୍ତନ କାର୍ଯ୍ୟ ତ୍ବରାନ୍ବିତ ହେଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଦେବା ଚର୍ଚ୍ଚାର ଶିରୋନାମା ପାଲଟିଥିଲା। ବିଜେପି ଛାଡ଼ିବା ପରେ ପ୍ରଥମ ଥର ପାଇଁ ଦିଲୀପ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ମତ ରଖିବା ଦେଖି ନିର୍ବାଚନର ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସୁନ୍ଦରଗଡ଼ରେ ବିଜେପିକୁ ଜିତାଇବା ପାଇଁ ତାଙ୍କର କୃପା ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲୀପ ରାୟ ଦଳକୁ ଫେରି ଆସନ୍ତୁ ବୋଲି ଜୁଏଲ ଅନୁରୋଧ କରିବା ସହ ଶ୍ରୀ ରାୟ ଦଳ ପାଇଁ ପ୍ରଚାର କରିବାକୁ ଦଳ ଆଶାବାଦୀ ଥିବା କହିଛନ୍ତି। ଜୁଏଲଙ୍କ ଏଭଳି ଅନୁରୋଧ ପୁଣିଥରେ ଶ୍ରୀ ରାୟ ବିଜେପିକୁ ଫେରିବା ଚର୍ଚ୍ଚାକୁ ଶାଣିତ କରିଛି।

ସ୍ଥାନୀୟ ଏକ ହୋଟେଲରେ ଦଳର ସଂକଳ୍ପପତ୍ର ଉନ୍ମୋଚନ ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଲେ, ଆଇଜିଏଚ୍‌ ସୁପରସ୍ପୋଶାଲିଟି ହସପିଟାଲ ଓ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏହାକୁ ଅଗ୍ରାଧିକାର ଦେବା ସହ ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ତଦାରଖ କରୁଛି। ଠିକ୍‌ ସମୟରେ ଏହି ଦୁଇଟି ପ୍ରକଳ୍ପ ଶେଷ ହେବ। ଏ ନେଇ ଦିଲୀପ ରାୟ ମଧ୍ୟ ସନ୍ତୋଷ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ଓରାମ ଆହୁରି ସୂଚନା ଦେଇଥିଲେ ଯେ ଶ୍ରୀ ରାୟ ଦଳରୁ କେବଳ ଇସ୍ତଫା ଦେଇଛନ୍ତି; ମାତ୍ର ତାଙ୍କ ଇସ୍ତଫାପତ୍ର ଏଯା‌ଏ ଗୃହୀତ ହୋଇନାହିଁ। ସେ ଦଳର ଜଣେ ଷ୍ଟାର୍‌ ପ୍ରଚାରକ। ତେଣୁ ସେ ଦଳକୁ ଫେରି ଆସିବେ ଏବଂ ଦଳ ପାଇଁ ପ୍ରଚାର କରିବେ ବୋଲି ମୁଁ ଆଶାବାଦୀ।

ଦଳର ସଂକଳ୍ପପତ୍ର ଉନ୍ମୋଚନ କରି ଶ୍ରୀ ଓରାମ କହିଲେ, ବିଜେପି ସରକାରକୁ ଆସିଲେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର, ବିଜୁଳି, ଜମି ପଟ୍ଟା, ପାଇଖାନା, ପାଇପ ଯୋଗେ ପାନୀୟ ଜଳ, ଜଳସେଚନ ସୁବିଧା, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବିଧବାଙ୍କୁ ୧ ହଜାର ଓ ୭୯ ବର୍ଷରୁ ଅଧିକ ବର୍ଷର ବିଧବାଙ୍କୁ ୧୫ଶହ ଟଙ୍କା, ତୃତୀୟ ଓ ଚତୁର୍ଥ ଶ୍ରେଣୀର ସରକାରୀ ଚାକିରି ପାଇଁ ଇଣ୍ଟରଭ୍ୟୁ ପ୍ରକ୍ରିୟା ଉଚ୍ଛେଦ, ରତ୍ନ ଭଣ୍ଡାର ଓ ନବ କଳେବର ମାମଲାର ସ୍ବଚ୍ଛ ଅନୁସନ୍ଧାନ, ୧୦ଟି ଆବାସିକ କୋଚିଂ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ତାଲିମ ପ୍ରଦାନ ଏବଂ ୩୦ଟି ମେଗା ୟୁଥ୍‌ ହଷ୍ଟେଲ ପ୍ରତିଷ୍ଠା କରାଯିବ। ଶ୍ରୀ ଓରାମ ଆହୁରି କହିଥିଲେ, ବିଜେପି ସରକାର ଆସିଲେ ୧୫ ବର୍ଷରୁ କମ୍‌ ବାଳିକାମାନଙ୍କୁ ଦୁଷ୍କର୍ମରେ ସଂପୃକ୍ତ ଅପରାଧୀଙ୍କୁ ଫାଶୀଦଣ୍ଡ ଦିଆଯିବ, ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରାଯିବ ଏବଂ ଯୁକ୍ତଦୁଇ ଶିକ୍ଷା ‌ଶେଷ କରୁଥିବା ସମସ୍ତ ମେଧାବୀ ଛାତ୍ରୀଙ୍କୁ ମାଗଣାରେ ଦୁଇ ଚକିଆ ଯାନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ପରେ ଦଳ ସପକ୍ଷରେ ପ୍ରବଳ ସମର୍ଥନ ମିଳୁଥିବାବେଳେ ଆଗାମୀ ୧୫ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ ଏୟାରଷ୍ଟ୍ରିପ୍‌ ପଡ଼ିଆରେ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ଶ୍ରୀ ଓରାମ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ପ୍ରାର୍ଥୀ ନିହାର ରାୟ, ଦଳର ବରିଷ୍ଠ ନେତା କିଶନ ସାହୁ, ରାଜ୍ୟ ସଂପାଦକ ଧୀରେନ ସେନାପତି, ତପନ ସ୍ବାଇଁ, ପୂର୍ଣ୍ଣିମା କେର୍କେଟା ଓ ପ୍ରମିଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe