‘ମୁଡ୍‌ ଅଫ୍ ଦ ନେସନ୍’ ସ୍ରୋତରେ ବିଜେଡିର ପତନ ନିଶ୍ଚିତ: ବିଜେପି

‘ମୁଡ୍‌ ଅଫ୍ ଦ ନେସନ୍’ ସ୍ରୋତରେ ବିଜେଡିର ପତନ ନିଶ୍ଚିତ: ବିଜେପି

ଭୁବନେଶ୍ବର : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ‘ମୁଡ୍‌ ଅଫ୍ ଦ ନେସନ୍’ ବୋଲି କହିଥିଲେ। ଚାଷ ଓ ଚାଷୀ ସମସ୍ୟା ସମାଧାନ ବିଫଳ ହେବା କାରଣରୁ ସାଧାରଣ ଜନତା ସରକାର ବଦଳାଇଲେ ବୋଲି ମୁଖ୍ୟମନ୍ତ୍ରୀ ଇଙ୍ଗିତ ଦେଇଥିଲେ। ଆଜି ବିଜେପି ଏହାକୁ କଟାକ୍ଷ କରି କହିଛି, ‘ମୁଡ୍ ଅଫ୍ ଦ ନେସନ୍’ରୁ ଓଡ଼ିଶା ବି ବାଦ୍ ପଡ଼ୁ ନାହିଁ। ଓଡ଼ିଶାର ୭୦ ଭାଗ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୃଷି ଅର୍ଥନୀତି ସହ ଜଡ଼ିତ। ଓଡ଼ିଶାର ଚାଷୀ ସାରା ଦେଶରେ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି। ତେଣୁ ଚାଷୀ ମାରଣ ନୀତି ପାଇଁ ଆଗାମୀ ଦିନରେ ‘ମୁଡ୍‌ ଅଫ୍ ଦ ନେସନ୍’ ସ୍ରୋତରେ ବିଜେଡି ସରକାରର ପତନ ଘଟିବ।

ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ରାଜ୍ୟରେ ଚାଷୀମାନଙ୍କ ସମସ୍ୟା ପ୍ରତି ମୁଖ୍ୟମନ୍ତ୍ରୀ ଆଖି ବୁଜି ‌େଦଉଛନ୍ତି। ଗୋଟିଏ ପଟେ ଚାଷର କ୍ଷୟକ୍ଷତି ଓ ଋଣ ଭାରରେ ବୁଡ଼ି ଚାଷୀ ଦମ୍ପତି ଆତ୍ମହତ୍ୟା କରିବା ସମୟରେ ମୁଖ୍ୟମନ୍ତ୍ରୀ ବଲିଉଡ୍‌ ତାରକାଙ୍କ ସହ ସେଲ୍‌ଫି ନେବାରେ ବ୍ୟସ୍ତ ଥିଲେ। ରାଜ୍ୟର ଚାଷ ଜମିକୁ ଜଳସେଚନର ସୁବିଧା ନାହିଁ, କୃଷି ଋଣ ଓ ଫସଲ ବୀମା ଯୋଜନା ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଧାନର ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉ ନାହିଁ। ନିମ୍ନମାନର କୀଟନାଶକ ଯୋଗୁଁ ଚକଡ଼ା ପୋକ ଲାଗି ହଜାର ହଜାର ହେକ୍ଟର ଫସଲ କ୍ଷୟକ୍ଷତି ହୋଇଛି। କୃଷିର ବିକାଶ ନ ହେବା କାରଣରୁ ଓଡ଼ିଶାର ଚାଷୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟ ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଷୀ ପରିବାରକୁ ଭୂତେଇ ଚାଲିଛନ୍ତି।

କଂଗ୍ରେସକୁ ସମାଲୋଚନା କରି ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟ କଂଗ୍ରେସ ଏଠି ବିଜେଡିର ଆଶାବାଡ଼ି ସାଜି କାର୍ଯ୍ୟ କରୁଛି। ଶାସକ ବିଜେଡି ପାଖରେ କଂଗ୍ରେସ ପ୍ରାର୍ଥୀମାନେ ବିକ୍ରି ହୋଇସାରିଛନ୍ତି। ବିଜେପୁର ଠାରୁ ବିଜାତୋଳା ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସକୁ ସାଧାରଣ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି। ନିଜର ବାସ୍ତବ ସ୍ଥିତିକୁ ନ ପରଖି ରାଜ୍ୟ କଂଗ୍ରେସ ଅନ୍ୟ ରାଜ୍ୟର ଫଳାଫଳକୁ ନେଇ ଉତ୍ସାହିତ ହେବା ଅତ୍ୟନ୍ତ ହାସ୍ୟାସ୍ପଦ। ଓଡ଼ିଶାରେ ବିଜେପି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରି ଆସୁଛି। ମୋଦୀ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚିବାରେ ଶାସକ ବିଜେଡି ବାଧକ ସାଜିଛି। ଏହାର ଜବାବ ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe